ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ : ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ବ୍ୟାନର ପୋଷ୍ଟର ଜାରି

ଓଡ଼ିଶା ତାଜା ନ୍ୟୁଜ୍ /୧୮ ମଇ ବୁଧବାର / ବାଲିଗୁଡ଼ା :- କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡାଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ ମିଳିଛି । ମଇ ୨୦ ତାରିଖ ଓଡ଼ିଶା-ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ବ୍ୟାନର ପୋଷ୍ଟର ମାଧ୍ୟମରେ ଆହ୍ବାନ ଦିଆଯାଇଛି ।

ମୁକୁନ୍ଦ କହଁର ହତ୍ୟାକାରୀ ପୋଲିସ୍ କର୍ମଚାରୀଙ୍କୁ କଠିନରୁ କଠିନ ଦଣ୍ଡ ଦିଆଯାଉ, ଆଗାମୀ ଦିନରେ ପୋଲିସ୍ ଓ ସିଆରପିଏଫ୍ ଗୁଣ୍ଡାଙ୍କ ଅତ୍ୟାଚାର ଓ ହତ୍ୟା ବିରୋଧରେ ସ୍ଥାନୀୟ ଜନତା ବିଦ୍ରୋହ ଆରମ୍ଭ କରନ୍ତୁ ବୋଲି ବ୍ୟାନର ରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଗତ ଫେବୃଆରୀ ମାସରେ ପୋଲିସକୁ ଟାର୍ଗେଟ କରି ଆଇଇଡି ଖଞ୍ଜା ଯାଇଥିଲା କିନ୍ତୁ ଦୁର୍ଭାଗ୍ୟ ବଶତଃ ସାମ୍ବାଦିକ ରୋହିତ ବିଶ୍ଵାଳଙ୍କ ମୃତ୍ୟୁ ଘଟିଥିଲା ।

ଏହି ଦୁଃଖଦ ଘଟଣା ପାଇଁ ଆମେ ଜନତାଙ୍କୁ ଓ ମୃତକଙ୍କ ପରିବାରକୁ କ୍ଷମା ମାଗୁଅଛୁ । ଏହି ଘଟଣା ପାଇଁ ପୋଲିସ ଦାୟୀ ଅଟେ l କେକେବିଏନ,ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ଭାକପା), (ମାଓବାଦୀ) ବୋଲି ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି ।