ତିନି ଅପହରଣକାରୀ ଙ୍କୁ ଗିରଫ କଲା ନୟାଗଡ ଟାଉନ ଥାନା ପୋଲିସ : ୩ଟି ମୋଟର ସାଇକେଲ ଜବତ

ଗତକାଲି ବିଳମ୍ବିତ ରାତିସାରା ପୁଲସ ଓ ଅପହରଣକାରୀଙ୍କ ମଧ୍ୟରେ ଏଭଳି ଛକାପଞା ଲାଗି ରହିଥିଲା ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଅନ୍ଧାରର ସୁଯୋଗ ନେଇ ଆଉ କିଛି ଅପହରଣକାରୀ ଯୁବକ ଚମ୍ପଟ ମାରିଥିବା ଜଣାପଡ଼ିଛି ।

ଓଡ଼ିଶା ତାଜା ନ୍ୟୁଜ୍ /୧୮ ମଇ ବୁଧବାର / ନୟାଗଡ଼ :- ଗତ ସୋମବାର ସନ୍ଧ୍ୟା ସମୟରେ ନୟାଗଡ଼ ଟାଉନ୍‌ର ଏକ ମଦ ଦୋକାନରୁ ଜଣେ ଯୁବକଙ୍କୁ ଅପହରଣ କରି ନିଆଯିବା ସହିତ ପ୍ରବଳ ମାଡ଼ ମରାଯିବା, ପରିବାରଠାରୁ ଟଙ୍କା ଦାବି କରିବା, ନଚେତ ଯୁବକଙ୍କୁ ହତ୍ୟା କରିଦେବା ଭଳି ଧମକ ଘଟଣା ଘଟିଛି । ଏଭଳି ଅପହରଣକୁ ନେଇ ନୟାଗଡ଼ ଟାଉନ୍‌ରେ ଚର୍ଚ୍ଚା ମୋର ଧରିଛି । ଟାଉନ୍ ଥାନା ପୁଲିସ ଯୁବକଙ୍କୁ ଉଦ୍ଧାର କରିଥିବା ବେଳେ, ୩ ଅଭିଯୁକ୍ତ ଅପହରଣକାରୀ ଇଟାମାଟି ପାଇକସାହିର ଅକ୍ରୁର ପ୍ରଧାନଙ୍କ ପୁଅ ବାପିନୀ କୁମାର ପ୍ରଧାନ (୨୭), ଘଡ଼ିଆଳର ଦାଶରଥି ବରାଜଙ୍କ ପୁଅ ପ୍ରିୟବ୍ରତ ବରାଡ଼ ୨୮), ରଣପୁର ଭଣ୍ଡାରିସାହିର କେଶବଚନ୍ଦ୍ର ବାରିକଙ୍କ ପୁଅ ରାକେଶ ବାରିକ(୨୮)ଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ଅନ୍ୟ କିଛି ଅପହରଣକାରୀ ଖସି ଯାଇଥିବା ନେଇ ମଧ୍ୟ ଜଣାପଡ଼ିଛି । ୩ଟି ମୋଟର ସାଇକେଲ ମଧ୍ୟ ଜବତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଅପହୃତ ଯୁଳକଙ୍କ ନାମ ଦୀପକ କୁମାର ମହାନ୍ତି । ସେ ରଣପୁରର ମଣିକପାଟଣା ସାହିର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ପୁଅ ଏନେଇ ଦୀପକଙ୍କ ମା’ ସୌଦାମିନୀ ମହାରି ନୟାଗଡ଼ ଟାଉନରେ ଥନାରେ ଏଫ୍ଆଇଆର ଦେଇଥିଲେ ସୌଦାମିନୀଙ୍କ ଏଫ୍‌ଆଇଆର୍ ଅନୁଯାୟୀ, ଦୀପକ ରଣପୁରରେ ବଦ୍ରି ବାବୁଙ୍କ ଚାଉଳ ଗୋଦାମରେ କାମ କରନ୍ତି । ଗତକାଲି ସନ୍ଧ୍ୟାରେ ସେ ନୟାଗଡ଼ସ୍ଥିତ ବଦ୍ରିଙ୍କର ଅନ୍ୟ ଏକ ଦୋକାନକୁ କୌଣସି କାମରେ ଆସିଥିଲେ। ଏହା ପରେ ନୟାଗଡ଼ରେ ବିରପା ଅଭିଯୁକ୍ତ ଯୁବକଙ୍କ ନଜରରେ ସେ ପଡ଼ିବା ପରେ ସେମାନେ ଦୀପକଙ୍କୁ ସେଠାରୁ କୌଣସି ଉପାୟରେ ଅପହରଣ କରିନେଇଥିଲେ। ଦୀପକ ଓ ଅପହରଣକାରୀ ଯୁବକଙ୍କ ମଧ୍ୟରେ କିଛି ମାସ ତଳେ ରଣପୁରରେ କୌଣସି କାରଣରୁ ବିବାଦ ରହିଥିଲା। ପ୍ରତିଶେଧ ନିଆଁରେ ସେମାନେ କହୁଥିବା ବେଳେ, ନୟାଗଡ଼ରେ ଦୀପକଙ୍କୁ ଦେଖି ନିଜ ରାଗ ସୁଝାଇବାକୁ ମଉକା ପାଇ ଯାଇଥିଲେ ।

ଦୀପକଙ୍କୁ ସନ୍ଧ୍ୟା ସମୟରୁ ସେମାନେ ଉଠାଇ ନେଇ ଘଡ଼ିଆଳି – ବରପଲ୍ଲୀ ମଝିରେ ଥିବା ରେଳ ଲାଇନ୍ ତଳେ ରଖିଥିଲେ ସେଠାରେ ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରବଳ ମାଡ଼ ମାରିବା ସହିତ, ଘର ଲୋକଙ୍କୁ ଦୀପକଙ୍କ ମୋବାଇଲ୍‌ରୁ ଫୋନ୍ କରିଥିଲେ । ଦୀପକଙ୍କ ପତ୍ନୀ ଫୋନ୍ ଉଠାଇଥିବା ବେଳେ, ଅପହରଣକାରୀମାନେ ୩୦ ହଜାର ଟଙ୍କା ଦାବି କରିଥିଲେ ଟଙ୍କା ନ ପଠାଇଲେ ଦୀପକଙ୍କୁ ହତ୍ୟା କରି ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗଦେବାକୁ ଧମକ ଦେଇଥିଲେ । ଏଭଳି ଖବର ପାଇ ଦୀପକଙ୍କ ପରିବାର ହଡ଼ବଡ଼େଇ ଯାଇଥିଲେ । ତୁରନ୍ତ ନୟାଗଡ଼ ଆସିବା ସହିତ ଟାଉନ ଥାନା ପୁଲିସ ଓ ଦାପକ ଆସିଥିବା ଦୋକାନର କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ ।

ଟାଉନ୍ ଥାନା ପୁଲିସ ଚତୁରତାର ସହିତ ଉକ୍ତ ସ୍ଥାନକୁ ୩୦ ହଜାର ଟଙ୍କା ଦୀପକଙ୍କ ପରିଚିତ ଲୋକ ମାଧ୍ୟମରେ ପଠାଇଥିଲା । ସେମାନଙ୍କ ପିଛା କରି ଟାଉନ୍ ଥାନା ପୁଲିସ ମଧ୍ୟ ସେଠାକୁ ଯାଇଥିଲା । ସଂପୃକ୍ତ ରେଳ ଲାଇନ୍ ପାର୍ଶ୍ଵରୁ ଅପହରଣକାରୀଙ୍କୁ କବଜା କରିବା ସହିତ ଦୀପକଙ୍କୁ ଉଦ୍ଧାର କରାଯାଇଥିଲା । ଗତକାଲି ବିଳମ୍ବିତ ରାତିସାରା ପୁଲସ ଓ ଅପହରଣକାରୀଙ୍କ ମଧ୍ୟରେ ଏଭଳି ଛକାପଞା ଲାଗି ରହିଥିଲା ତେବେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଅନ୍ଧାରର ସୁଯୋଗ ନେଇ ଆଉ କିଛି ଅପହରଣକାରୀ ଯୁବକ ଚମ୍ପଟ ମାରିଥିବା ଜଣାପଡ଼ିଛି । ଦୀପକଙ୍କ ଚିକିତ୍ସା ପରେ ପରିବାର ହେପାଜତରେ ତାଙ୍କୁ ଛଡ଼ାଯାଇଛି । ଅପହରଣକାରୀ ଯୁବକଙ୍କୁ ଜେଲ୍ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।