୧୩ ଦିନରେ ୯ଟି ଚକରେ ପଇ ପିନ୍ଧା ଅନୁକୂଳ ହୋଇଛି : କଳସା କାମ ଜାରି

1. ତିନିଟି ଚକର ପଇ ପିନ୍ଧା ଶେଷ ହୋଇଥିବା ବେଳେ ବିଲେଇ ବାଡ଼ିଆ ଓ କଳସା କାମ ଜାରି ରହିଛି ।

2. ରଥଖଳାରେ ରଥ ନିର୍ମାଣରେ ୧୩ ଦିନରେ ଆଜି ଚକରେ ପଇ ପିନ୍ଧା ଅନୁକୂଳ ହୋଇଛି ।

ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ ପୁରୀ :- ରଥଖଳାରେ ରଥ ନିର୍ମାଣରେ ୧୩ ଦିନରେ ଆଜି ଚକରେ ପଇ ପିନ୍ଧା ଅନୁକୂଳ ହୋଇଛି । ମହାରଣା ସେବକମାନେ ନଡ଼ିଆ ବାଡ଼େଇ ଏହି କାର୍ଯ୍ୟ ଆଜିଠାରୁ ଆରମ୍ଭ କରିଛନ୍ତି । ଗତକାଲି ଯନ୍ତାଗାଡ଼ରେ ତୁମ୍ବ ଓ ଅର ସଂଯୋଗ ପାଇଁ ଶିଙ୍ଗଡ଼ା ବାଡ଼ିଆ ପରେ ଭୋଇ ସେବକମାନେ ତିନି ରଥ ଚାଳିକୁ ଏହା ଯୋଗାଇ ଦେବା ପରେ ଆଜିଠାରୁ ମହାରଣା ସେବକମାନେ ମାପ ଅନୁଯାୟୀ ପଇ ସଂଯୋଗ କାମ ଆରମ୍ଭ କରିଛନ୍ତି । ଏଥିସହ ବିଲେଇ ବାଡ଼ିଆ ଓ କଳସା କାମ ବି ଆରମ୍ଭ ହୋଇଛି ।

ଆଜି କାମ ଶେଷ ସୁଦ୍ଧା ତିନି ରଥର ୯ଟି ଚକରେ ପଇ ପିନ୍ଧା ପରେ ବିଲେଇ ବାଡ଼ିଆ କାମ ଶେଷ ହୋଇଛି ଅଳ୍ପ କିଛି ଚକରେ କଳସା କାମ ସରିଥିବାବେଳେ ଅନ୍ୟ ଚକର କାର୍ଯ୍ୟ ଜାରି ରହିଛି । ତିନି ରଥ ଉପରେ ନଜର ପକାଇଲେ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ତିନି ଚକରେ ପଇ ସଂଯୋଗ ଶେଷ ହୋଇଛି । ଏଥିରୁ କିଛି ଚକର ବିଲେଇ ବାଡ଼ିଆ କାମ ବି ଶେଷ ହୋଇଛି । ବାକି କଳସା କାମ ଜାରି ରହିଛି । ଗୋଟିଏ ଚକରେ ପଇ ସଂଯୋଗ ପାଇଁ ବିନ୍ଧି କାର୍ଯ୍ୟ ଶେଷ ହୋଇଛି । ଆସନ୍ତାକାଲି ଏଥିରେ ପଇପିନ୍ଧା ସହ ବିଲେଇ ବାଡ଼ିଆ ଓ କଳସା କାମ ହେବ ।

ସେହିଭଳି ବଡ଼ଠାକୁରଙ୍କ ତାଳଧ୍ଵଜ ରଥର ତିନିଟି ଚକର ପଇ ପିନ୍ଧା ଶେଷ ହୋଇଥିବା ବେଳେ ବିଲେଇ ବାଡ଼ିଆ ଓ କଳସା କାମ ଜାରି ରହିଛି । ଗୋଟିଏ ଚକର ବିନ୍ଧ ଶେଷ ହୋଇ ପଇ ପିନ୍ଧା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁଭଦ୍ରାଙ୍କ ଦେବଦଳନ ରଥର ଦୁଇଟି ଚକରେ ପଇ ପିନ୍ଧା ଶେଷ ହୋଇଥିବାବେଳେ ବିଲେଇ ବାଡ଼ିଆ ଓ କଳସା କାମ ଜାରି ରହିଛି ଆଉ ଦୁଇଟି ଚକର ପଇ ପିନ୍ଧା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ଦୋଳବେଦି କମାରଶାଳରେ ଅରକଣ୍ଟା, ପନ୍ଦାରି, ପନ୍ଦାରି ବଳା ଆଦି କାମ ଜାରି ରହିଛି ।