ପୂର୍ବତନ ରାଜ୍ୟପାଳ ଏମ୍.ଏମ୍. ରାଜେନ୍ଦ୍ରନଙ୍କ ପୁସ୍ତକ ‘ସର୍ଭିସ ଅନ୍‍ଇଣ୍ଟରପ୍‍ଟେଡ଼୍’ଲୋକାର୍ପିତ

ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସମର୍ପିତ ବ୍ୟକ୍ତି ସବୁ ସ୍ତରରେ ପ୍ରଶଂସିତ-ରାଜ୍ୟପାଳ

ଓଡ଼ିଶା ତାଜା ନ୍ୟୁଜ୍ /୧୪ ମଇ ଶନିବାର/ ଭୁବନେଶ୍ୱର :- ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଦା ସଚେତନ ଏବଂ ସମର୍ପିତ ବ୍ୟକ୍ତି ସବୁ ସ୍ତରରେ ପ୍ରଶଂସିତ ଓ ଏପରି ଏକ ସଫଳ ଦୃଷ୍ଟାନ୍ତ ହେଉଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନ ଯେ କି ବିଭିନ୍ନ ଉଚ୍ଚ ପଦପଦବୀରେ କାର୍ଯ୍ୟ କରି ଓ ନିରନ୍ତର ସେବା ପ୍ରଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ସେ ଯୁବପିଢିଙ୍କ ପାଇଁ ଆଦର୍ଶ ଓ ପ୍ରେରଣା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲରେ ପୂର୍ବତନ ରାଜ୍ୟପାଳ ଏମ୍.ଏମ୍. ରାଜେନ୍ଦ୍ରନଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘ ସର୍ଭିସ୍‍ ଅନ୍‍ଇଣ୍ଟରପ୍‍ଟେଡ୍’ କୁ ଲୋକାର୍ପଣ କରି ରାଜ୍ୟପାଳ ଶିଶୁମାନଙ୍କର ବିକାଶ ପାଇଁ ପୂର୍ବତନ ରାଜ୍ୟପାଳଙ୍କ କାର୍ଯ୍ୟ ଓ ଯୋଜନା ପ୍ରଣୟନରେ ଭୂମିକାକୁ ପ୍ରଶଂସା କରିବା ସହ ଶିଶୁମାନଙ୍କ ମଧ୍ୟରେ ଥିବା ଅସୀମିତ ସମ୍ଭାବନାକୁ ବାସ୍ତବତାରେ ପରିପ୍ରକାଶ କରିବା ପାଇଁ ଉଦ୍ୟମ ଆମର ସର୍ବଦା ପ୍ରାଥମିକତା ବୋଲି କହିଥିଲେ ।

ବିଶ୍ୱବିଦ୍ୟାଳୟର କାର୍ଯ୍ୟଧାରାରେ ଉନ୍ନତି ଆଣିବା ପାଇଁ ପୂର୍ବତନ ରାଜ୍ୟପାଳଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ବର୍ତ୍ତମାନ ମଧ୍ୟ ମାର୍ଗଦର୍ଶନରେ ବେଶ୍‍ ସହାୟକ ହେଉଛି ଓ ଓଡ଼ିଶା ଜାତୀୟ ସ୍ତରରେ ପ୍ରଶଂସିତ ହେବା ଗୌରବର କଥା ବୋଲି ରାଜ୍ୟପାଳ କହିଥିଲେ । ନିଜର ଦୀର୍ଘ ଅଭିଜ୍ଞତା ଓ ପ୍ରଶାସନିକ ଦକ୍ଷତା ଏବଂ ଜ୍ଞାନକୁ ନେଇ ପୁସ୍ତକ ରଚନା କରିଥିବାରୁ ପୂର୍ବତନ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ସବୁ ବର୍ଗର ଜନସାଧାରଣଙ୍କ ପାଇଁ ଉପାଦେୟ ହେବ ବୋଲି ରାଜ୍ୟପାଳ କହିଥିଲେ । ଏହି ଅବସରରେ ଉଦ୍‍ବୋଧନ ଦେଇ ପୂର୍ବତନ ରାଜ୍ୟପାଳ ଏମ୍.ଏମ୍. ରାଜେନ୍ଦ୍ରନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ କାର୍ଯ୍ୟ କରିବା ସମଯରେ ଘଟିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ସେ କହିଥିଲେ ଯେ ପ୍ରତିକୂଳ ପରିସ୍ଥିତିରେ ସେ ବିଚଳିତ ନ ହୋଇ ଏହାର ସାମ୍‍ନା କରିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି । ସେ ସର୍ବଦା କଠିନ ପରିଶ୍ରମ ଓ ନିଷ୍ଠାର ସହ କାର୍ଯ୍ୟ କରି ଆସିଛନ୍ତି ବୋଲି କହିବା ସହ ଆହ୍ୱାନ ଓ ଅସୁବିଧା ମଧ୍ୟରେ ଏଥିରୁ ଉତ୍ତୀର୍ଣ୍ଣ ହେବା ପାଇଁ ଦୃଢ ମନୋବଳ ସହିତ ବାଟ କାଢିବା ପ୍ରକୃତ ପକ୍ଷେ ସଫଳତାର ରହସ୍ୟ । ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟ କରିବାର ଅନୁଭୂତି ଅନନ୍ୟ ଓ ଏହା ତାଙ୍କୁ ଅଶେଷ ଆତ୍ମ ସନ୍ତୋଷ ପ୍ରଦାନକରିଛି ଓ ସମ୍ମାନ ଆଣିଦେଇଛି ବୋଲି ସେ ପ୍ରକାଶ କରିଥିଲେ । ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ କୌଣସି କାର୍ଯ୍ୟ କରିଲେ ମଧ୍ୟ ତାହା ମଧ୍ୟରେ ନିଜର ସବୁ କିଛି ଦେଇ କାର୍ଯ୍ୟ କଲେ ସଫଳତା ସହ ସନ୍ତୋଷ ଆଣି ଦେବ ବୋଲି ସେ କହିଥିଲେ ।

ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ଠାରୁ ପାଇଥିବା ଉତ୍ସାହ ଓ ସହଯୋଗକୁ ସେ ଏହି ଅବସରରେ ସ୍ମରଣ କରିଥିଲେ । ଜନସାଧାରଣଙ୍କ ପାଇଁ ସେବା କରିବାର ପ୍ରତିଟି ସୁଯୋଗକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଛନ୍ତି ଓ ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର ବୋଲି କହିଥିଲେ । ଏହି ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ପ୍ରଥମ ମହିଳା ଶ୍ରୀମତୀ ସୁଶୀଳା ରାଜେନ୍ଦ୍ରନ , ବିପିୟୁଟିରପ୍ରଥମ କୁଳପତି ଓଏଆଇସିଟିର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ମଧ୍ୟ ଉଦ୍‍ବୋଧନ ଦେଇଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ହର ଆନନ୍ଦ ପବ୍ଲିକେସନ ଦ୍ୱାରା ପ୍ରକଶିତ ପୁସ୍ତକର ପ୍ରକାଶକ ଶ୍ରୀ ନରେନ୍ଦ୍ର କୁମାର ପୁସ୍ତକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ ବହୁ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ ।