ଓଡ଼ିଶା ତାଜା ନ୍ୟୁଜ୍ /୧୧ ମଇ ବୁଧବାର /ଭୁବନେଶ୍ୱର :- ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର୍ ନୱାଜ ଙ୍କ ନିଷ୍ପତି କ୍ରମେ ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଭି.ଆଇ.ପି ରୋଡ଼, ଝାଡ଼େଶ୍ୱର ଛକଠାରେ ବି.ଜେ.ପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଙ୍କୁ କଳାପତାକା ପ୍ରଦର୍ଶନ ଓ କାଳିମାଡ଼ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଛନ୍ତି ଯେ, ଗତକାଲି ଭୁବନେଶ୍ୱରଠାରେ ବର୍ଦ୍ଧିତ ଗ୍ୟାସ ଦର ପ୍ରତିବାଦରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିଥିଲା । ଯେଉଁଥିରେ କି, ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଙ୍କୁ ଗିରଫ କରାଯାଇଥିଲା ଏବଂ ୧ ଘଂଟା ଅଟକ ରଖି ଛାଡ଼ିଦିଆଯାଇଥିଲା ।
ଛାତ୍ର କଂଗ୍ରେସ ଘୋଷଣା କରିଥିଲା ଯେ, ଯେପର୍ଯ୍ୟନ୍ତ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡ଼ିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ ହୋଇନାହିଁ, ସେ ପର୍ଯ୍ୟନ୍ତ ବି.ଜେ.ପିର ଯେଉଁ ମନ୍ତ୍ରୀ ବା ରାଷ୍ଟ୍ରୀୟ ନେତା ଓଡ଼ିଶା ମାଟିରେ ପାଦ ଦେବେ ସେମାନଙ୍କୁ କାଳି ମାଡ଼ ଓ କଳାପତାକା ପ୍ରଦର୍ଶନରେ ସ୍ୱାଗତ କରାଯିବ । ବିଶେଷ କରି ରନ୍ଧନ ଗ୍ୟାସ ବୃଦ୍ଧି ଦ୍ୱାରା ଯେଉଁ ମହଙ୍ଗାମାଡ଼ ହେଉଛି ସେଥିରେ ହାଣ୍ଡିଶାଳରୁ ବିପ୍ଳବ ଆରମ୍ଭ ହେଉ ବୋଲି ଛାତ୍ର କଂଗ୍ରେସ ଆହ୍ୱାନ ଦେଇଛି ।
ଦରଦାମ୍ ବୃଦ୍ଧି ପ୍ରତିବାଦରେ ୟାସିର ନୱାଜଙ୍କ ନିଷ୍ପତିକ୍ରମେ ଆଜି ପୁରୀ ଭି.ଆଇ.ପି. ରୋଡ଼ ଝାଡେଶ୍ୱରୀ ଛକ ଠାରେ ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର ଏବଂ କର୍ମକର୍ତା ଅଗସ୍ତିନ୍ ଯୋସେଫ୍, ଭିସାନ ଦାସ, ସାହିଲ ମହାନ୍ତି ଓ ସୋମନାଥ ନାୟକ ପ୍ରମୁଖ ବି.ଜେ.ପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କଳାପତାକା ପ୍ରଦର୍ଶନ କରିବା ସହ କାଳି ମାଡ଼ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ।














