ଆଜି ମାତୃ ଦିବସ : ସନ୍ତାନର ଖୁସି ପାଇଁ ସେ ନିଜର ସବୁ କିଛି ଉତ୍ସର୍ଗ କରିଦିଏ…

ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର /ଖୋର୍ଦ୍ଧା-ଜଟଣୀ :- ମା’ ଓ ସନ୍ତାନର ବନ୍ଧନ ମାତୃଗର୍ଭରୁ ହିଁ ହୋଇଥାଏ । ଗର୍ଭରୁ ମା’ ନିଜ ସନ୍ତାନ ପାଇଁ ଚିନ୍ତା କରିବା ଆରମ୍ଭ କରିଦିଏ । ସନ୍ତାନ ମଧ୍ୟ ମା’ର ଭାବନା ବୁଝିପାରେ । ସାରା ଜୀବନ ମା’ ନିଜ ସନ୍ତାନର ଅତି ନିକଟରେ ଥାଏ । ସନ୍ତାନର ଖୁସି ପାଇଁ ସେ ନିଜର ସବୁ କିଛି ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହୋଇଯାଏ । ମା’ କେବଳ ସନ୍ତାନର ଲାଳନ ପାଳନ କରେ ନାହିଁ, ବରଂ ତା’ ଭିତରେ ସଂସ୍କାରର ମଞ୍ଜି ବୁଣିବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ।

ମା’ର ନିଃସ୍ୱାର୍ଥ ପ୍ରେମ ଓ ତ୍ୟାଗ ପ୍ରତି କୃତଜ୍ଞତା ଜଣାଇବା ଲାଗି ପ୍ରତି ବର୍ଷ ମେ ମାସର ୨ୟ ରବିବାରକୁ ‘ମାତୃ ଦିବସ’ ଭାବେ ପାଳନ କରାଯାଏ । ଏନା ଜାର୍ଭିସ ନାମ୍ନୀ ଜଣେ ଆମେରିକୀୟ ମହିଳା ପ୍ରଥମେ ମାତୃ ଦିବସ ପାଳନ ଆରମ୍ଭ କରିଥିଲେ । ସେ ନିଜ ମା’ଙ୍କୁ ବହୁତ ସମ୍ମାନ ଦେଉଥିଲେ । ଯେତେବେଳେ ମା’ଙ୍କର ମୃତ୍ୟୁ ହେଲା, ସେ ନିଜ ଜୀବନ ମା’ଙ୍କୁ ଉତ୍ସର୍ଗ କରିଦେଲେ । ମା’ଙ୍କ ନିଧନ ପରେ ସେ ମାତୃ ଦିବସ ପାଳନ କରିଥିଲେ ।

କୁହାଯାଏ, ୧୯୧୪ ମସିହା, ମେ ୯ ତାରିଖରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଉଡ୍ରୋ ୱିଲ୍‌ସନ ମାତୃ ଦିବସ ପାଳନ ଆରମ୍ଭ କରିଥିଲେ । ଏହା ପରେ ଆମେରିକୀୟ ସଂସଦରେ ଏହି ଆଇନ ପାରିତ ହେଲା । ଏଠାରେ ନିଷ୍ପତ୍ତି ନିଆଗଲା ଯେ ପ୍ରତି ବର୍ଷ ମେ ମାସର ୨ୟ ରବିବାର ମାତୃ ଦିବସ ପାଳନ କରାଯିବ । ଏହା ପରେ ୟୁରୋପ, ଭାରତ ଓ ଅନ୍ୟ ଦେଶରେ ଏହାକୁ ସ୍ୱୀକୃତି ମିଳିଲା । ଏବଂ ସେହିଦିନଠାରୁ ଏହା ପାଳିତ ହୋଇ ଆସୁଛି ।