No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ଭୁବନେଶ୍ୱର :- ପୂଜ୍ୟପୂଜା ସଂସ୍କୃତି ଆନ୍ଦୋଳନ ଓ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ପକ୍ଷରୁ ଓଡ଼ିଆ ଭାଷାପ୍ରାଣ ପର୍ଶୁରାମ ଦ୍ୱିବେଦୀଙ୍କ ୮୮ତମ ସ୍ୱନକ୍ଷତ୍ର ଉତ୍ସବ ନ୍ୟାସର ଅଧ୍ୟକ୍ଷ ସୀତା ବଲ୍ଲଭ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ପୂଜ୍ୟପ୍ରଣାମ ଟ୍ରଷ୍ଟର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ ଓ ବିଶେଷଭାବେ ବିଚ୍ଛାନ୍ନାଞ୍ଚଳରେ ଥିବା ଓଡ଼ିଆ ପରିବାରଙ୍କ ପ୍ରତିବଦ୍ଧତା ପ୍ରତି ଓଡ଼ିଆ ଯୁବକମାନେ ସଚେତନ ହେବାକୁ ସେ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ଅତିଥି ବରିଷ୍ଠ ସାମ୍ବାଦିକ, ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସଭାପତି ପ୍ରଦ୍ୟୁମ୍ନ କୁମାର ଶତପଥୀ କହିଲେ ଯେ, ଛତିଶଗଡ଼, ମଞ୍ଜୁଷା, ଚକ୍ରଧରପୁର ଭଳି ବିଚ୍ଛିନ୍ନାଞ୍ଚଳରେ ଏବେବି ଗୋପବନ୍ଧୁଙ୍କ ଦ୍ୱିତୀୟ ଅବତାର ଭାବେ ପର୍ଶୁରାମ ବାବୁଙ୍କୁ ସେମାନେ ଗ୍ରହଣ କରିଥାନ୍ତି ।
ଉପସ୍ଥିତ ଶୁଭେଚ୍ଛୁଙ୍କୁ ଆଶୀର୍ବାଦ କରି ମାନନୀୟ ପର୍ଶୁରାମ ଦ୍ୱିବେଦୀ କହିଲେ ଯେ, ଉତ୍କଳ ବାହିନୀର ପ୍ରାଣ ପ୍ରତିଷ୍ଠାତା ଭଗବାନ ରଥଙ୍କ ଠାରୁ ଆରମ୍ଭ କରି ଚିନ୍ତାମଣି ପାଣିଗ୍ରାହୀଙ୍କ ସ୍ୱପ୍ନର ଅଖଣ୍ଡ ଓଡ଼ିଶା ପାଇଁ ମୁଁ ମୋର ସଂଗ୍ରାମ ଅବ୍ୟାହତ ରଖିଛି । ପ୍ରଭୁ ଯେତେଦିନ ପର୍ଯ୍ୟନ୍ତ ଆୟୁଷ ଦେଇଥିବେ, ବିଚ୍ଛିନ୍ନାଞ୍ଚଳ ଭାଇଭଉଣୀଙ୍କ ମୁହଁରେ ହସ ଫୁଟାଇବା ମୋର ଏକମାତ୍ର କାର୍ଯ୍ୟ ହେବ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କବି ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଓ ନ୍ୟାସର ଯୁଗ୍ମ ସମ୍ପାଦକ ରାମନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ କବୟତ୍ରୀ ବିମଳା ସିଂହ, ନାଟ୍ୟକାର ଭଜକୃଷ୍ଣ ମହାନ୍ତି ଓ ବିରଞ୍ôଚ ନାରାୟଣ ଶତପଥୀ ନିଜସ୍ୱ କବିତା ପାଠ କରିଥିଲେ । ସଙ୍ଗୀତଗୁରୁ ନୃସିଂହ ଚରଣ ଦାସ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଭାଷା ସୈନିକ ନାରାୟଣ ଓଝା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ପର୍ଶୁରାମ ବାବୁଙ୍କ ଶୁଭେଚ୍ଛୁ ତଥା ଓଡ଼ିଆ ଭାଷାକୁ ଭଲ ପାଉଥିବା ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଶେଷରେ ମା’ ଅନ୍ନପୂର୍ଣ୍ଣା ଦ୍ୱିବେଦୀ ସମସ୍ତଙ୍କୁ ରାତ୍ରୀ ଭୋଜନରେ ଆପ୍ୟାୟିତ କରିଥିଲେ ।
No Result
View All Result