No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୭ ଏପ୍ରିଲ ବୁଧବାର / ଭୁବନେଶ୍ୱର :- ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ପାଇକ ରେଜିମେଣ୍ଟ ଗଠନ ଆଦି ଦାବି ନେଇ ଭୁବନେଶ୍ୱରରେ ବିଶାଳ ପାଇକ ଆଖଡ଼ା ଜନଗଜର୍ନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକରୁ ହଜାର ହଜାର ପାଇକ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପରିକ ବେଶପୋଷକ ପରିଧାନ କରି ଖଣ୍ଡା, ତଲୱାର, ଗଦା, ମୁଦ୍ଗର ଆଦି ଧରି ପାଇକ ଆଖଡ଼ା ପ୍ରଦର୍ଶନ କରି, ରଣ କୁହାଟ ଦେଇ ରାମ ମନ୍ଦିର ଛକ ଅତିକ୍ରମ କରି ପ୍ରଦର୍ଶନୀ ପଡ଼ିଆରେ ପହଞ୍ôଚଥିଲା । ସେଠାରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିଲା ଓଡ଼ିଶାର ଖୋର୍ଦ୍ଧା ମାଟିରୁ ।
ତେଣୁ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଉତ୍ସବ ଦିଲ୍ଲୀର ବିଜ୍ଞାନ ଭବନରେ ପାଳନ ଅବସରରେ ମତବ୍ୟକ୍ତ କରିଥିଲେ । ସେହି ଆଧାରରେ ବର୍ତ୍ତମାନର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ବରୁଣେଇ ପାହାଡ଼ ପାଦଦେଶରେ ଆସି ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଓ ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ନିଜର ମନ୍ତବ୍ୟ ରଖିଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ଅସ୍ୱୀକାର କରାଯିବା ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ପ୍ରତି ଏହା ଏକ ବିଶେଷ କୁଠାରଘାତ । ସେମାନେ ଦାବି କରିଛନ୍ତି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବା ସହିତ ପଞ୍ଜାବ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ ଓ ଆସାମ ରେଜିମେଣ୍ଟ ପରି ଯଥାଶୀଘ୍ର ଓଡ଼ିଶାରେ ପାଇକ ରେଜିମେଣ୍ଟ ଗଠନ କରାଯାଉ ।
ଯାହାଦ୍ୱାରା ଓଡ଼ିଶା ଯୁବକମାନଙ୍କର ବେକାରୀ ସମସ୍ୟାର ସମାଧାନ ହେବା ସହ ସେମାନେ ଦେଶମାତୃକାର ସେବା ପାଇଁ ସୈନ୍ୟବାହିନୀରେ ଯୋଗ ଦେଇପାରିବେ,ଏହା ଆମର ହକ୍ ଦାବି । ଯେପର୍ଯ୍ୟନ୍ତ ଆମର ଦାବି ପୂରଣ ନହୋଇଛି, ପର୍ଯ୍ୟାୟକ୍ରମେ ଏହିଭଳି ଆନ୍ଦୋଳନ ଆଗାମୀ ଦିନରେ ଭୟଙ୍କର ଭାବେ କରାଯିବ ବୋଲି ସେମାନେ ଦୃଢ ଚେତାବନୀ ଦେଇଛନ୍ତି । ପ୍ରୟୋଜନ ହେଲେ ଏହି ଦାବି ପୂରଣ ପାଇଁ ଦିଲ୍ଲୀର ରାମଲୀଳା ମୈଦାନ, ଲାଲକିଲ୍ଲା ଆଦିରେ ହଜାର ହଜାର ପାଇକ ଯାଇ ବିପ୍ଲବ କରିବା ସହିତ ସମସ୍ତ ଐତିହାସିକ ତଥ୍ୟ ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ଏଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ ଯେ, ଏହିସବୁ ଦାବି ସହ ରାଜ୍ୟ ସରକାର ଯଥାଶୀଘ୍ର ବରୁଣେଇ ଠାରେ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ବିନା ମୂଲ୍ୟରେ ଯୋଗାଇ ଦିଅନ୍ତୁ ।
ଯାହାଦ୍ୱାରା ଯଥାଶୀଘ୍ର ପାଇକ ସ୍ମୃତି ସ୍କାରକୀ ନିର୍ମାଣ ହୋଇପାରିବ । ଏହି ସମାବେଶ ପାଇଁ ପୁରୀରୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆଣି ଆସିଥିଲେ ବିଶିଷ୍ଟ ସଂଗଠକ ଓ ଗୀତିକାର ବଦ୍ରୀନାରାୟଣ ମିଶ୍ର । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ନରେନ୍ଦ୍ର ପୃଷ୍ଟି, ଅନ୍ୟତମ ସଂଯୋଜକ ଡଃ ଅଶୋକ ସୁନ୍ଦରାୟ, ଗଣେଶ ସାମନ୍ତ, ରାମାକାନ୍ତ ମହାପାତ୍ର, ବିଶ୍ୱଭୂଷଣ ଛୋଟରାୟ, ଅବନିକାନ୍ତ ଜେନା, ପଦ୍ମଚରଣ ରାୟ ତଥା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ବହୁ ଦଳବେହେରା, ଦଳେଇ, ପାଇକ ଆଖଡ଼ା ଗୁରୁ ଓ ହଜାର ହଜାର ପାଇକ ଆଖଡ଼ା ଦଳ ଯୋଗଦାନ କରି ଏହିସବୁ ଦାବି ପ୍ରତି ନିଜର ସମର୍ଥନ ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ଏହି ସମାବେଶ ପାଇଁ ଶୋଭାଯାତ୍ରା ଖୋର୍ଦ୍ଧାର ମା’ ବରୁଣେଇ ପୀଠରୁ ପୂଜାର୍ଚ୍ଚନା ପରେ ବାହାରିଥିବା ବେଳେ ଖୋର୍ଦ୍ଧା ନାଗରିକ ମଞ୍ଚର ଶହ ଶହ ମହିଳା ଏଥିରେ ଯୋଗଦାନ କରି ଏହି ସମାବେଶ ପ୍ରତି ନିଜର ସମର୍ଥନ ମଧ୍ୟ ଜ୍ଞାପନ କରିଥିଲେ ।

No Result
View All Result