ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ ଭୁବନେଶ୍ୱର :- ମସିହା ସୁଦ୍ଧା ଦେଶକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ଆମ ରାଜ୍ୟରେ ମ୍ୟାଲେରିଆ ରୋଗର ପ୍ରକୋପ, ରୋଗର ଗତିବିଧି, ନିରାକରଣ ପନ୍ଥା ଓ ଅନ୍ତର୍ବିଭାଗୀୟ ସହଭାଗିତା ଆଦି ସଂପର୍କରେ ତର୍ଜମା କରିବା ପାଇଁ ଆଜି ସମୟ ଆସିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରକାଶ କରିଛନ୍ତି । ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ସମାରୋହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଆମ ରାଜ୍ୟରେ ୨୦୧୬ ମସିହାରୁ ୨୦୨୧ ମଧ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୯୪% ହ୍ରାସ ହୋଇଥିଲେ ମଧ୍ୟ ଏହା ଆମ ପାଇଁ ଏକ ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇ ରହିଛି ।
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ମ୍ୟାଲେରିଆ ନିରାକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟାନ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ଦ୍ୱାରା ଓଡ଼ିଶା ସରକାର ପ୍ରଶଂସିତ ହୋଇଛନ୍ତି । ତେବେ ଆମେ ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ ରାଜ୍ୟକୁ ମ୍ୟାଲେରିଆମୁକ୍ତ କରିବାରେ ସଫଳ ହୋଇପାରିବା । ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜକୁମାର ଶର୍ମା ଯୋଗଦେଇ କହିଲେ ଯେ ଆମ ରାଜ୍ୟର ନିଜସ୍ୱ ତଥା ଅଭିନବ ଯୋଜନା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ବା ଞ୍ଜଫଞ୍ଚଟ୍ଟ;ଦମନି୩୯; ରାଜ୍ୟର ୨୪ଟି ଜିଲ୍ଲାର ଦୁର୍ଗମ ଅପହଞ୍ଚ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି ।
ଏଥିରେ ଲକ୍ଷଣବିହୀନ ଓ ଲକ୍ଷଣ ଥିବା ସମସ୍ତ ମ୍ୟାଲେରିଆ ରୋଗୀଙ୍କୁ ଖୋଜି ବାହାର କରିବା ସହିତ ଅପପୃଷ୍ଟିରେ ଆକ୍ରାନ୍ତ ପିଲାଙ୍କର ଚିହ୍ନଟ, ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କର ଉପଚାର ଆଦି ଆନୁସଙ୍ଗିକ ସ୍ୱାସ୍ଥ୍ୟସେବା ମଧ୍ୟ ଯୋଗାଇ ଦିଆଯାଉଛି । ଆମର ଏହି ଯୋଜନା ବିଶ୍ୱବ୍ୟାପୀ ଆଦୃତ ଲାଭ କରିବା ସହ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି । କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ କହିଲେ ଯେ ଆଜି ଏହି ଅବସରରେ ମୁଁ ଓଡ଼ିଶାର ସମସ୍ତ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଓ ଏହି ମହତ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସରକାରୀ ଓ ସେ୍ୱଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର ସହଯୋଗ କାମନା କରୁଛି ।
ପ୍ରତ୍ୟେକ ଗାଁରେ ଆଶାମାନଙ୍କୁ ତାଲିମ ପ୍ରଦାନ ସହିତ ମ୍ୟାଲେରିଆ ଔଷଧ ଯୋଗାଇଦେଇ ଜ୍ୱର ଚିକିତ୍ସା କେନ୍ଦ୍ରମାନ ଖୋଲାଯାଇଛି । ଫଳରେ ଲୋକମାନଙ୍କୁ ଘର ପାଖରେ ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସା ସୁବିଧା ମିଳିପାରିଛି । କୋଭିଡ୍ ମହାମାରୀ ଏବଂ ଅନ୍ୟାନ୍ୟ କଷ୍ଟକର ପରିସ୍ଥିତି ସତ୍ତେ୍ୱ ଆମ ରାଜ୍ୟ ନିଜର ଲକ୍ଷ୍ୟ ଏବଂ ଆଭିମୁଖ୍ୟରୁ କେବେହେଲେ ଦୂରେଇ ଯାଇନାହୁଁ । ବିଶ୍ୱ ମ୍ୟାଲେରିଆ ଦିବସ ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ କହିଲେ ଯେ, ୨୦୨୦-୨୧ରେ ଆମେ ମୋଟ ୧ କୋଟି ୫୬ ଲକ୍ଷ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବାଣ୍ଟି ସାରିଛୁ । ଫଳରେ ମ୍ୟାଲେରିଆ ଦ୍ୱାରା ସର୍ବାଧିକ ଆକ୍ରାନ୍ତ ହେବାର ଭୟଥିବା ବ୍ୟକ୍ତିମାନଙ୍କୁ ସୁରକ୍ଷା ଦିଆଯାଇପାରିଛି ଓ ମ୍ୟାଲେରିଆ ବ୍ୟାପିବାକୁ ଫଳପ୍ରଦ ଭାବେ ରୋକାଯାଇ ପାରିଛି ।
ଏତେ ସଂଖ୍ୟକ ମଶାରୀ ବଣ୍ଟନର ପରିଚାଳନା ଓ ମଶାରୀ ବ୍ୟବହାର ସଂପର୍କରେ ଲୋକମାନଙ୍କର ସଚେତନତା ବୃଦ୍ଧିରେ ଆମ ଆଶା ଓ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କର ଭୂମିକାକୁ ମୁଁ ପ୍ରଶଂସା ନକରି ରହିପାରୁନାହିଁ । ଏଥିରେ ହାତ ବଢ଼ାଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ମ୍ୟାଲେରିଆ ନିରାକରଣ ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିବାବେଳେ ବିଭାଗୀୟ ସ୍ୱତନ୍ତ୍ର ସଚିବ ଡା. ଅଜିତ ମହାନ୍ତି ସରକାରଙ୍କ ଆଭିମୁଖ୍ୟ ଓ ସଫଳତା ଉପରେ ମତ ରଖିଥିଲେ । ଶେଷରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।














