No Result
View All Result
ଏହି ମହାନପର୍ବ ପଶ୍ଚିମବଙ୍ଗରେ ଓଡ଼ିଆ ଭାଇଭଉଣୀଙ୍କୁ ଓଡ଼ିଆତ୍ୱର ପ୍ରତିଷ୍ଠା ପାଇଁ ପ୍ରେରଣା ଦେବ : ଶ୍ରୀ ସଂଜୟ ଦାସବର୍ମା
ଓଡ଼ିଶା ତାଜା ନ୍ୟୁଜ୍ (୧ ଏପ୍ରିଲ ଶୁକ୍ରବାର ) କୋଲକାତା/ଭୁବନେଶ୍ୱର :- ଅପ୍ରେଲ ୧ ତରିଖ ଓଡ଼ିଆ ଜାତି ପାଇଁ ଏକ ଅବିସ୍ମରଣୀୟ ଦିବସ । ୧୯୩୬ ମସିହାରେ ଭାଷାଭିତ୍ତିରେ ଓଡ଼ିଶା ପ୍ରଦେଶ ଜନ୍ମଲାଭ କରିଥିଲା । ଓଡ଼ିଶାର ଲୋକପି୍ରୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱ ଓ ପଦକ୍ଷେପ ବଳରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ବହୁଦଶନ୍ଧି ପରେ ଆମେ ପାଇଲେ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ କୃତି ‘ବନ୍ଦେ ଉତ୍କଳ ଜନନୀ’ କୁ ରାଜ୍ୟସଂଗୀତର ମାନ୍ୟତା ନବୀନ ସରକାରଙ୍କ ଏକ ବଡ଼ ଉପଲବ୍ଧି ।

ସତ୍ୟବାଦୀ ବକୁଳବନର ପୁଣ୍ୟଭୂମି ପଞ୍ଚସଖାଙ୍କ ପୀଠରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନଠୁ ଆରମ୍ଭ କରି ଓଡ଼ିଆ ଭାଷା ଓ ସାହିତ୍ୟର ଜନକ ଆଦିକବି ସାରଳା ଦାସଙ୍କର ସମ୍ମାନରେ ଦିଲ୍ଲୀର ଜେଏନ୍ୟୁରେ ଗବେଷଣା ପାଇଁ ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠା ସରକାରଙ୍କ ଅନ୍ୟ ଏକ ବଡ଼ ଉପଲବ୍ଧି । ଓଡ଼ିଆ ସଂସ୍କୃତି, ସାହିତ୍ୟ ଓ ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥ । ବିଶ୍ୱପ୍ରସିଦ୍ଧ ଜଗନ୍ନାଥ କ୍ଷେତ୍ର ପୁରୀଠାରୁ ଆରମ୍ଭ କରି ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇବା ପାଇଁ ରାଜ୍ୟସରକାରଙ୍କ ଉଦ୍ୟମ ସବୁବେଳେ ସ୍ମରଣୀୟ ହୋଇ ରହବ ବୋଲି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ପ୍ରକାଶ କରିଛନ୍ତି ।
ଆଜି କୋଲକାତାଠାରେ ଓଡ଼ିଶା ମିଳିତ ମଞ୍ଚ ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସବର୍ମା କହିଲେ ଯେ ଏହି ଅବକାଶରେ ଓଡ଼ିଆ ଭାଷାର ସୁରକ୍ଷା ତଥା ଓଡ଼ିଆ ଜାତିର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ଉତ୍କଳ ସମ୍ମିଳନୀର ନିରବଚ୍ଛିନ୍ନ ଉଦ୍ୟମ ତଥା କୁଳବୃଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ରାମଚନ୍ଦ୍ର ମର୍ଦ୍ଦରାଜ, ପଣ୍ଡିତ ନୀଳକଣ୍ଠ, କବିବର ରାଧାନାଥ, କର୍ମବୀର ଗୌରୀଶଙ୍କର, ନୀଳମଣି ବିଦ୍ୟାରନି ଆଦି ବରପୁତ୍ରଙ୍କର ତ୍ୟାଗ, ତପସ୍ୟା ଓ ସାଧନାର ଫଳସ୍ୱରୂପ ଭାଷାଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ହାସଲ କରିଥିବାରୁ ଏହି ବରପୁତ୍ରମାନଙ୍କୁ ଶ୍ରୀ ଦାସବର୍ମା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

୫୦ ବର୍ଷ ଇଂରେଜ ଶାସନ ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନ ଦେଖିଥିବା ଏହି ମହାନ ପୁରୁଷମାନେ ଅନୁଭବ କରିଥିଲେ ଯେ ଭାଷା ହିଁ ଗୋଟିଏ ଜାତିକୁ ରକ୍ଷା କରିପାରିବ । ଯେଉଁଥି ପାଇଁ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ତଥା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ କରିବା ପାଇଁ ଏହି ମହାପୁରୁଷମାନଙ୍କ ଆପ୍ରାଣ ଉଦ୍ୟମ ଓ ସମର୍ପିତ ମନୋଭାବକୁ ଓଡ଼ିଆ ଜାତି ସବୁବେଳେ ସ୍ମରଣ କରିବ ା ସ୍ୱତନ୍ତ୍ର ପ୍ରଦେଶ ଗଠନ ଏକ ଆକସ୍ମିକ ଘଟଣା ନୁହେଁ ବରଂ ଅଗଣିତ କବି, କଳାକାର, ସାହିତି୍ୟକ ଏବଂ ଜାତିପ୍ରତି ଉତ୍ସର୍ଗୀକୃତ ପ୍ରୟାସର ଫଳସ୍ୱରୂପ ଆଜିର ଦିନଟି ଉପଲବ୍ଧ ହୋଇଛି ।
ପ୍ରାବସ ପଶ୍ଚିମବଙ୍ଗରେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ମଧ୍ୟରେ ସାଂସ୍କୃତିକ ନବଜାଗରଣ ପାଇଁ ତଥା ଓଡ଼ିଆ ଅସ୍ମିତା, ସ୍ୱାଭିମାନ ତଥା ଆତ୍ମପରିଚିତିର ଏହି ମହାନପର୍ବ ପଶ୍ଚିମବଙ୍ଗରେ ଓଡ଼ିଆ ଭାଇଭଉଣୀଙ୍କୁ ଓଡ଼ିଆତ୍ୱର ପ୍ରତିଷ୍ଠା ପାଇଁ ପ୍ରେରଣା ଦେବ ବୋଲି ଶ୍ରୀ ଦାସବର୍ମା ଆଶା ପ୍ରକାଶ କରିଥିଲେ । ଶ୍ରୀ ଦାସବର୍ମା କହିଛନ୍ତି ଯେ ପଶ୍ଚିମବଙ୍ଗରେ ଏବେ ମଧ୍ୟ ଓଡ଼ିଆ ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି । ପ୍ରାୟ ୨୦ରୁ ଅଧିକ ଓଡ଼ିଆ ସ୍କୁଲ ରହିଛି । କୋଲକାତାରେ ପ୍ରବାସୀ ଓଡ଼ିଆମାନଙ୍କ ସଂଗଠନଗୁଡ଼ିକ କ୍ରୀଡ଼ା, ସ୍ୱାସ୍ଥ୍ୟସେବା, ସଂସ୍କୃତି, ଧାର୍ମିକ, ବୃତ୍ତିଗତ ଶିକ୍ଷାକ୍ଷେତ୍ରରେ ଅନେକ କାର୍ଯ୍ୟ କରୁଛନ୍ତି । ସେସବୁ ସଂଗଠନର କର୍ମକର୍ତ୍ତା, ସଦସ୍ୟମାନଙ୍କୁ ଏହି ମହାନ ଦିବସରେ ଶ୍ରୀ ଦାସବର୍ମା ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀ ଦାସବର୍ମା କହିଛନ୍ତି ଯେ ଓଡ଼ିଶାର ଇତିହାସ ଓ ପରମ୍ପରା ମହାନ । ଜଗନ୍ନାଥ ସଂସ୍କୃତି ସବୁବେଳେ ଆମକୁ ବିଶ୍ୱଭାତୃତ୍ୱ ଓ ସଂପ୍ରୀତି ସହିତ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଛି । ଓଡ଼ିଶାରେ ପ୍ରଚୁର ପ୍ରାକୃତିକ ସଂପଦ ଭରି ରହିଛି । ଏହି ସଂପଦର ବିିନିଯୋଗ କରି ସମୃଦ୍ଧ ରାଜ୍ୟ ଗଠନରେ ଯେଭଳି ସରକାରଙ୍କ ଉଦ୍ୟମ ରହିଛି ସେଭଳି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱରେ ପଞ୍ଚମ ଥର ପାଇଁ ଓଡ଼ିଶାର ସାଢ଼େ ଚାରିକୋଟି ଜନସାଧାରଣ ଶାସନ ପାଇଁ ନୁହେଁ ସେବା କରିବା ପାଇଁ ଯେଉଁ ସୁଯୋଗ ଦେଇଛନ୍ତି ସେଥିପାଇଁ ସମୟ ଆସିଛି । କେବଳ ସମୃଦ୍ଧ ଓଡ଼ିଶା ନୁହେଁ, ସମୃଦ୍ଧ ଓଡ଼ିଆ ଜାତି ଗଠନ ପାଇଁ ଆମେ ସମର୍ପିତ ହେବା । ଭାଷା ସମୃଦ୍ଧ ହେଲେ ଜାତି ସମୃଦ୍ଧ ହେବ ।
ପ୍ରତ୍ୟେକ ପ୍ରବାସୀ ଓଡ଼ିଆ ଭାଇଭଉଣୀ ଓଡ଼ିଆ ଭାଷା, ସଂସ୍କୃତି, କଳା, ସାହିତ୍ୟ ଓ ଐତିହ୍ୟକୁ ସାରା ବିଶ୍ୱ ନିକଟରେ ପହଞ୍ଚାଇ ଜାତିର ଇତିହାସକୁ ସଠିକ ଭାବରେ ଉପସ୍ଥାପନ କରିବା ପାଇଁ ଏହି ମହାନ ଦିବସରେ ସଂକଳ୍ପ ନେବାକୁ ଶ୍ରୀ ଦାସବର୍ମା ଆହ୍ୱାନ ଦେଇଛନ୍ତି । ଉତ୍କଳ ମିଳିତ ମଞ୍ଚର ସଭାପତି ରବିନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉତ୍କଳ ମିଳିତ ମଞ୍ଚର ସଂପାଦକ ବିଜୟ କୁମାର ବାରିକ ଉଦ୍ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତି୍ୟକ ସକଳନନ୍ଦୀ, ବାସୁଦେବ ମିଶ୍ର, ସୁଶାନ୍ତ ପଣ୍ଡା, ପ୍ରଶାନ୍ତ ଦାସ ଓ କୁମୁଦ ସାହୁ ତାଙ୍କର ବକ୍ତବ୍ୟ ରଖିଥିଲେ ।
No Result
View All Result