ମାନସ ସ୍ୱାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଂଚ

ଶର୍ମିଷ୍ଠା ସହ ଯୋଡି ହୋଇ ରହିଛି ବହୁ ଚର୍ଚ୍ଚିତ ଚିପ୍ସ । ଯେଉଁ ଚିପ୍ସ ଉଗ୍ର କରିଥିଲା ଶର୍ମିଷ୍ଠାଙ୍କୁ । ସାମ୍ନାକୁ ଆସିଥିଲା ରାଜ କମ୍ୟୁନିକେସନର ମୁଖ୍ୟ ରଞ୍ଜନଙ୍କ ଚରିତ୍ର । ଫୁଟି ବାହାରିଥିଲା ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀ ନିରଞ୍ଜନ ସେଠୀଙ୍କ ଅନୈତିକ ସମ୍ପର୍କ ଓ ଏହାସହ ଅନେକ କଳାକାରନାମାର ଘଟଣା ଦୁର୍ଘଟଣାରେ କଳଙ୍କିତ କାହାଣୀ

ଓଡ଼ିଶା ତାଜା ନ୍ୟୁଜ୍ (୧ ଏପ୍ରିଲ ଶୁକ୍ରବାର ) ଭୁବନେଶ୍ୱର / ଭଦ୍ରକ :- ମାନସ ସ୍ୱାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ ଆଜି କ୍ରାଇମ ସିନ ରିକ୍ରିଏସନ କରିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁର ଗାଁରେ କ୍ରାଇମ ସିନ ରିକ୍ରିଏସନ କରିଛି । ଶର୍ମିଷ୍ଠାଙ୍କ ସହ ଝୁନା ଭୋଇ, ରଞ୍ଜନ ନାୟକ ଓ ନିରଞ୍ଜନ ସେଠୀ ମଧ୍ୟ ପଳାସପୁର ଯାଇଥିଲେ । ତେବେ କ୍ରାଇମ ସିନ ରିକ୍ରିଏସନ କରିବାକୁ ଗଲା ବେଳକୁ ପଳାସପୁର ଗାଁରେ ଶର୍ମିଷ୍ଠାଙ୍କୁ ଦେଖିବା ଲାଗି ଶହଶହ ଲୋକ ରୁଣ୍ଡ ହେବାରୁ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଭିଡ଼ ନିୟନ୍ତ୍ରଣ କରିବାକୁ ଦୁଇ ପ୍ଲାଟୁନ ଫୋର୍ସ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ନାକେଦମ ହୋଇଥିଲେ । ଖବର ଅନୁସାରେ ପ୍ରଥମେ ଶର୍ମିଷ୍ଠା ଓ ଅନ୍ୟମାନେ ମାନସଙ୍କୁ ଅପହରଣ କରିଥିଲେ ।

ଏହା ପରେ ଦୟାଲ ଆଶ୍ରମରେ ନିରଞ୍ଜନ ସେଠୀ ଓ ଅନ୍ୟମାନେ ପିଟିପିଟି ମାନସଙ୍କୁ ହତ୍ୟା କରିଥିଲେ । ଏହାପରେ ଶର୍ମିଷ୍ଠାଙ୍କ କାରରେ ମୃତ ଶରୀରକୁ ରଣପୁର ନିଆଯାଇଥିଲା । ଏବଂ ରଣପୁରରେ ମାନସଙ୍କ ଶବକୁ ପୋତି ଦିଆଯାଇଥିଲା । ଫେରିବା ବାଟରେ ଚଣ୍ଡିଖୋଲ ନିକଟରେ ମାନସର ଜିନିଷ ପୋଡ଼ିଥିଲେ । ମାନସଙ୍କ ଇୟର୍ ଫୋନ୍‌, ଚପଲ, ଶବ ନେଇଥିବା ଝୋଟ ଅଖା ପୋଡ଼ାଯାଇଥିଲା । ଶବ ପୋତିବା ପାଇଁ ବ୍ୟବହାର କୋଦାଳ, ଗଇଁତକୁ ବୁଦାମୂଳେ ଫିଙ୍ଗିଥିଲେ । ରିମାଣ୍ଡରେ ଥିବା ଶର୍ମିଷ୍ଠା ପ୍ରଥମେ ତଦନ୍ତରେ ସହଯୋଗ କରୁନଥିବା ବେଳେ ଶେଷରେ ସବୁ ସତ ମାନି ଯାଇଛି ।

ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଘଟଣାର ଟିକନିଖ ତଥ୍ୟ ରଖିଛି । ପରେ କ୍ରାଇମବ୍ରାଂଚ ତାଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରୁଛି । ଆଜି ପ୍ରଥମ ଦିନରେ ଚାନ୍ଦବାଲି ପଳାସପୁର ଗାଁକୁ ଯାଇ କ୍ରାଇମ ସିନ ରିକ୍ରିଏସନ କରିଛି । ସେଠାକୁ ଶର୍ମିଷ୍ଠା କିପରି ଯାଇଥିଲେ, ସାଙ୍ଗରେ କିଏ ଥିଲେ ଓ କେମିତି ମାନସଙ୍କୁ ଅପହରଣ କରାଯାଇଥିଲା ସେସବୁର ଡେମୋ ଦେଖାଇଥିଲା । ଗତକାଲି ରିମାଣ୍ଡରେ ଥିବା ରାଜ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକ ଜେରା ବେଳେ ସତ ମାନିବା ସହ ତଥ୍ୟ ପ୍ରମାଣ ମଧ୍ୟ ଦେଇଥିଲା । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ରଞ୍ଜନ ସ୍ୱୀକାର କରିଛି । ରାଜ ସୁନାଖଳା ରୁ ଶବ କୁ ପୋତିବା ପାଇଁ ୧୦ କେଜି ଲୁଣ , କୋଦାଳ , ଗଇନ୍ତି ଇତ୍ୟାଦି କିଣି ଥିଲେ ବୋଲି ତଥ୍ୟ ଦେଇଛନ୍ତି ।

କେବଳ ଶର୍ମିଷ୍ଠା ନୁହେଁ, ମାନସ ହତ୍ୟାକାଣ୍ଡରେ ରଞ୍ଜନ ବି ମୁଖ୍ୟ ଭୂମିକା ନିଭାଇଥିବାର ତଥ୍ୟ କ୍ରାଇମବ୍ରାଂଚ ହାତରେ ଲାଗିଛି । ଗତକାଲି କ୍ରାଇମବ୍ରାଂଚର ଏକ ଟିମ ରଞ୍ଜନଙ୍କୁ ଚଣ୍ଡିଖୋଲ-ଡୁବୁରୀ ଏକ୍ସପ୍ରେସ ହାଇୱେ ନିକଟ ନିକଟସ୍ଥ ଶଙ୍ଖାରିଗଡ଼ାକୁ ନେଇ ସେଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଗଇଁତି, ଏକ ଅଖା, ଶାଢୀ ସମେତ ମାନସର ଇଅରଫୋନ, ଚପଲ ଜବତ କରିଛି । ଏହି ପ୍ରମାଣ ପରେ କ୍ରାଇମବ୍ରାଂଚ ସେମାନଙ୍କୁ ନେଇ ଚଣ୍ଡଖୋଲ, ଭୁବନେଶ୍ୱର ଓ ନୟାଗଡ ଯିବ ବୋଲି ଜଣାପଡିଛି ।