No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଫେବ୍ରୁଆରୀ ଶୁକ୍ରବାର) ଭୁବନେଶ୍ୱର :- ରାଜ୍ୟରେ ଶୁକ୍ରବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଦ୍ଵିତୀୟ ପର୍ଯ୍ୟାୟରେ ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହୋଇଛି। ୧,୫୧୪ ପଞ୍ଚାୟତ ଏବଂ ୨୦,୪୩୬ ଓ୍ଵାର୍ଡରେ ମତଦାନ କରିଛନ୍ତି ମୋଟ ୬୨ ଲକ୍ଷ ୧୦ ହଜାର ଭୋଟର ।

ଭୋଟ ଗ୍ରହଣ ସମୟରେ ଅଳ୍ପ କିଛି ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଏବଂ ବିଶୃଙ୍ଖଳାକୁ ବାଦ ଦେଲେ ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ କାର୍ଯ୍ୟସମ୍ପନ୍ନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ କମିଶନ ଗମ୍ଭିରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ୟ୍ୟାୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତିପୁର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ ସାରିବା ପାଇଁ ପୋଲିସ ଡି.ଜି.ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆଜିର ନିର୍ବାଚନରେ ତାର ପ୍ରତିଫଳନ ଦେଖାଦେଇଛି। କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କିଛି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏତଦ୍ବ୍ୟତୀତ ବାଲଟ ପେପରରେ ତୃଟି ପାଇଁ ଦୁଇ ତିନୋଟି ସ୍ଥାନରେ ପୁନଃ ନିର୍ବାଚନ ଆବଶ୍ୟକ ହୋଇପାରେ ।

ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇଲାପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆଜିର ନିର୍ବାଚନରେ ଭାଗ ନେଇଥିବା ସମସ୍ତ ଅଧିକାରୀ, ପୋଲିସ କର୍ତ୍ତୃପକ୍ଷ, ସମସ୍ତ ଜନସାଧାରଣ ତଥା ଭୋଟର ମାନେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଥିବାରୁ ଆଗାମୀ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସ୍ଥାନମାନଙ୍କରେ ମଧ୍ୟ କମିଶନ ଏହିପରି ସହଯୋଗ ଆଶା କରୁଛନ୍ତି ।
No Result
View All Result