No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) ଭୁବନେଶ୍ୱର :- କୋଭିଡ୍-୧୯ ସ୍ଥିତି ଲାଗି ରହିଥିବା ବେଳେ ଅର୍ଥନୀତିରେ ଯେଉଁ ସୁଧାର ପ୍ରକ୍ରିୟା ଜାରି ରହିଛି ତାହାକୁ ବଜେଟ୍ ତ୍ୱରାନ୍ୱିତ କରିବ ବୋଲି ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଆଶା ପ୍ରକଟ କରିଛି । କେନ୍ଦ୍ର ସରକାର ବଜେଟ୍ ୨୦୨୨ରେ ସାର୍ବଜନୀନ ବ୍ୟୟ ବଢ଼ାଇବା, ବିଶେଷ କରି ପୁଞ୍ଜି ବ୍ୟୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଇସିସି ଆଶା କରୁଛି ଯାହା ଚାହିଦାରେ ଉନ୍ନତି ଆଣିବ, ନିଯୁକ୍ତି ସୃଷ୍ଟି କରିବ ଏବଂ ଯୋଗାଣ କ୍ଷେତ୍ରରେ ରହିଥିବା ସମସ୍ୟାକୁ ଦୂର କରି ମୁଦ୍ରାସ୍ଫୀତି ଜନିତ ସମସ୍ୟାର ସମାଧାନ କରିବ ।

କିଛି ନିର୍ଦିଷ୍ଟ ଅର୍ଥନୈତିକ ଲକ୍ଷ୍ୟ ହାସଲ କରିବା ପାଇଁ ବଜେଟ୍ରେ କେତେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି ବୋଲି ଆଇସିସି ଆଶା କରୁଛି । ବିଳମ୍ବିତ ହେଉଥିବା ପ୍ରକଳ୍ପଗୁଡ଼ିକ ଲାଗି ସନ୍ସେଟ୍ ତାରିଖ ଧାର୍ଯ୍ୟ କରିବା, ସବୁଜ ଶକ୍ତିରେ ନିବେଶ କରୁଥିବା କଂପାନିଗୁଡ଼ିକୁ ଟିକସ ସୁବିଧା ପ୍ରଦାନ କରିବା, ବ୍ୟକ୍ତିଗତ ଆୟକର ଓ କର୍ପୋରେଟ୍ ଟିକସରେ ରହିଥିବା ଅସମାନତାକୁ ଦୂର କରିବା ଲାଗି ଆୟକର ନିୟମର ସରଳୀକରଣ କରିବାର ଆବଶ୍ୟକତା ରହିଛି ।

ଜିଏସ୍ଟି ଢାଂଚାର ସରଳୀକରଣ କରିବା ଏବଂ ସ୍ଲାବ୍ ସଂଖ୍ୟା ହ୍ରାସ କରିବା, ଘରୋଇ ନିବେଶ ବଢ଼ାଇବା ଲାଗି କଂପାନିଗୁଡ଼ିକୁ ଟିକସ କ୍ଷେତ୍ରରେ ବିଭିନ୍ନ ସୁବିଧା ପ୍ରଦାନ କରିବା, କ୍ରିପ୍ଟୋକରେନ୍ସି ଲାଗି ସ୍ୱତନ୍ତ୍ର ନିୟମ ଆଣିବା, ଭିତିଭୂମିରେ ଉଭୟ ସରକାରୀ ଓ ଘରୋଇ ନିବେଶ ବଢ଼ାଇବା, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଓ କୃଷି ଏବଂ ରାଜସ୍ୱ ସୃଷ୍ଟି ପ୍ରତି ଧ୍ୟାନ ଦେବା ଲାଗି ଆଇସିସି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଆଇସିସିର ଏଗ୍ରି ଆଣ୍ଡ୍ ଫୁଡ୍ ପ୍ରୋସେସିଂ କମିଟିର ସଂଯୋଜକ ଶ୍ରୀରାମ ପଣ୍ଡା ଓ ଆଇସିସି ମହିଳା ଉଦ୍ୟମିତା କମିଟିର ସଦସ୍ୟା ରିମା ଧାୱନ କୃଷି ଓ ମହିଳା ଉଦ୍ୟମିତାକୁ ନେଇ ସ୍ୱତନ୍ତ୍ର ପ୍ରସ୍ତାବ ଦେଇଛନ୍ତି ।

No Result
View All Result