ପଞ୍ଚମ ସମ୍ବାଦ କର୍ପୋରେଟ୍ ଉତ୍କର୍ଷ ସମ୍ମାନ ୨୦୨୨ ସଚେତନ ସମ୍ପନ୍ନ ବିଶ୍ୱ ଗଠନ ବର୍ତ୍ତମାନ ସମୟର ଆହ୍ୱାନ – ରାଜ୍ୟପାଳ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଜାନୁଆରୀ ଶୁକ୍ରବାର ) ଭୁବନେଶ୍ୱର :- ସମଗ୍ର ବିଶ୍ୱର ସ୍ଥିତି ପାଇଁ ବିକାଶର ଢାଞ୍ଚା ଓ ପ୍ରକ୍ରିୟାରେ ପରିବର୍ତ୍ତନ ଅପରିହାର୍ଯ୍ୟ ହୋଇପଡ଼ିଛି । ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ଏଥିପାଇଁ ବିଶେଷ ଭାବେ ଦାୟୀ । ଈଶ୍ୱରଙ୍କ ସୁନ୍ଦର ସୃଷ୍ଟିରେ ମନୁଷ୍ୟର ଆବଶ୍ୟକତା ପାଇଁ ଅନେକ କିଛି ରହିଛି ଯାହାର ସଦୁପଯୋଗ ହିଁ ବିଜ୍ଞତାର ପରିଚୟ । ଏକ ସଚେତନ ସଂମ୍ପନ୍ନ ବିଶ୍ୱଗଠନ ବର୍ତ୍ତମାନ ସମୟର ଆହ୍ୱାନ ହୋଇଥିବା ଦୃଷ୍ଟିରୁ ସମସ୍ତେ ସଚେତନ ହେବା ସହିତ ପରସ୍ପର ମଧ୍ୟରେ ସହଯୋଗ ରଖି ଓ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବା ଉପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁତ୍ୱାରୋପ କରିଛନ୍ତି ।

ଆଜି ଭୁବନେଶ୍ୱରେ ଅନୁଷ୍ଠିତ ପଞ୍ଚମ ସମ୍ବାଦ କର୍ପୋରେଟ୍‍ ଉତ୍କର୍ଷ ସମ୍ମାନ (ଏକ୍ସଲେନ୍‍ସ ଆୱାର୍ଡ଼ ) ୨୦୨୨ ପ୍ରଦାନ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ସ୍ଥାନୀୟ ଦ୍ରବ୍ୟର ଉପଯୁକ୍ତ ବିନିଯୋଗ କରି ତା’କୁ ବିଶ୍ୱସ୍ତରରେ ଉପସ୍ଥାପନ କରିବାକୁ ଉଦ୍ୟୋଗପତି ଓ ଶିଳ୍ପପତିମାନଙ୍କୁ ଆହ୍ୱାନ ଜଣାଇଥିଲେ । ଓଡ଼ିଶାକୁ ଏକ ଅନନ୍ୟ ରାଜ୍ୟଭାବେ ବର୍ଣ୍ଣନା କରି ଏହାର ଖଣିଜ ସଂପଦ, ପର୍ଯ୍ୟଟନର ବିପୁଳ ସମ୍ଭାର, ପ୍ରାକୃତିକ ସୌନ୍ଦର‌୍ୟ୍ୟ୍,କଳା ସଂସ୍କୃତି ଓଡ଼ିଶାର ପରିଚୟ ଏବଂ ଏହାର ସଦୁପଯୋଗ ଦ୍ୱାରା ଓଡ଼ିଶାର ନିଜସ୍ୱ ବ୍ରାଣ୍ଡ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣକରିବ ବୋଲି ରାଜ୍ୟପାଳ କହିଥିଲେ ।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଉଦ୍ୟୋଗପତିମାନଙ୍କୁ ସମ୍ବାଦ ପକ୍ଷରୁ ପାଞ୍ଚବର୍ଷ ଧରି ସମ୍ମାନିତ କରା ଯାଉଥିବାରୁ ସେ “ସମ୍ବାଦ” ଗ୍ରୁପ୍‌କୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ଏବଂ ପ୍ରଗତି ଦିଗରେ ଅନେକ କାର୍ଯ୍ୟକ୍ରମ ସଫଳ ଭାବରେ କାର୍ଯ୍ୟକାରୀ କରାଯାଉଛି ଓ ଓଡ଼ିଶାକୁ ପୁଞି ବିନିଯୋଗର ଉତ୍କୃଷ୍ଟ କ୍ଷେତ୍ର ଭବେ ଗଢାଯାଇପାରିଛି ବୋଲି କହିଥିଲେ । ଯୁବ ଉଦ୍ୟୋଗପତିମାନଙ୍କୁ ରାଜ୍ୟରେ ଥିବା ସଂପଦକୁ ବ୍ୟବହାର କରି ଓଡ଼ିଶାର ବ୍ରାଣ୍ଡକୁ ବିଶ୍ୱଦରବାରରେ ଗୌରବାନ୍ୱିତ କରିବାକୁ କହିଥିଲେ ।

ଆଗାମୀ ୨୦୨୫ ସୁଦ୍ଧା ରାଜ୍ୟରେ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି ବୋଲି ସେ ସୂଚନା ଦେଇଥିଲେ ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟ ରଞନ ପଟ୍ଟନାୟକ ଓଡ଼ିଶାର ଗୌରବମୟ ଅତୀତ ଏକ ଅପୂର୍ବ ବ୍ରାଣ୍ଡ ଥିଲା ବୋଲି ଅଭିହିତ କରିବା ସହ ଆଧୁନିକ ଯୁଗରେ ଆଗକୁ ବଢିବାକୁ ହେଲେ ବ୍ରାଣ୍ଡର ଆବଶ୍ୟକତା ଦୃଷ୍ଟିରୁ ଉଦ୍ୟୋଗପତିମାନେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପରିବେଶକୁ ସମ୍ମାନ ଦେଇ ଉତ୍କର୍ଷର ଉପାସକ ହେବାକୁ କହିଥିଲେ । ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ମୋନିକା ନାୟାର ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟପାଳ ବ୍ରାଣ୍ଡ ଅଫ ଦି ଇୟର ସିଏସଆର, ଲଘୁ, ମଧ୍ୟମ, ବୃହତ ଶିଳ୍ପ ସହିତ ଇମର୍ଜିଂ ଏପରି ପାଞ୍ଚଟି ବିଭାଗରେ ଶ୍ରେଷ୍ଠ ବିବେଚିତ ଉଦ୍ୟୋଗପତି ଓ ଶିଳ୍ପକୁ ପଞ୍ଚମ ସମ୍ବାଦ କର୍ପୋରେଟ୍ ଉତ୍କର୍ଷ ସମ୍ମାନ -୨୦୨୨ରେ ସମ୍ମାନିତ କରିଥିଲେ ।