No Result
View All Result
ବି.ଏମ.ସି ର ମେୟର ଆସନ ପାଇଁ ଶ୍ରୀମୟୀଙ୍କୁ ନେଇ ବଡ଼ ଚର୍ଚ୍ଚା

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଜାନୁଆରୀ ଗୁରୁବାର ) ଭୁବନେଶ୍ଵର :- ଭୁବନେଶ୍ଵର ମହାନଗର ନିଗମ (ବିଏମସି)ର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ବିଭଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ମେୟର ଗାଦିରେ କିଏ ବସିବ ସେ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ନେତ୍ରୀଙ୍କୁ ନେଇ ଆଲୋଚନା ଆରମ୍ଭ କଲେଣି । କିଏ ହେବ ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର । ଏହି ଦୌଡ଼ରେ କିଏ କିଏ ସାମିଲ ହେବାକୁ ଯାଉଛନ୍ତି ତାହାକୁ ନେଇ ଏବେ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି ।
ଭୁବନେଶ୍ଵର ମହାନଗର ନିଗମ ଗଠନ ହେବାଠାରୁ କୌଣସି ମହିଳା ମେୟର ହୋଇନାହାନ୍ତି । ଚଳିତ ଥର ଭୁବନେଶ୍ଵର ଦେଖିବାକୁ ଯାଉଛି ପ୍ରଥମ ମହିଳା ମେୟର । ୨୦୦୩ ମସିହାରେ ଭୁବନେଶ୍ଵର ମହାନଗର ନିଗମ ପାଇଁ ହୋଇଥିବା ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ବହୁମତ ପାଇଥିଲା । ତେଣୁ ମେୟର ପଦବୀ ବିଜେପି ଭାଗରେ ପଡ଼ିଥିଲା । ଫଳରେ ବିଏମସିର ପ୍ରଥମ ମେୟର ହୋଇଥିଲେ ତତ୍କାଳୀନ ବଜେପି ନେତା ମିହିର ମହାନ୍ତି ।
ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ୨୦୦୯ ମସିହାରେ ପୁଣି ହୋଇଥିଲା ଭୁବନେଶ୍ଵର ମହାନଗର ନିଗମ ପାଇଁ ନିର୍ବାଚନ । ଏଥିରେ ବିଜେଡି-ବିଜେପି ଅଲଗା ଅଲଗା ହୋଇ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚରେ ବିଜେଡି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ଫଳରେ ବିଜେଡିରୁ ଅନନ୍ତ ନାରାୟଣ ଜେନା ମେୟର ପଦବୀ ହାତେଇ ଥିଲେ । ଅନନ୍ତଙ୍କ ହାତରେ ଦୁଇ ଦୁଇ ଥର ବିଏମସିର ମେୟର ପଦବୀ ରହିଥିଲା ।
ତେବେ ୨୦୧୯ ମସିହାରେ ବିଭିନ୍ନ ପୌରପାଳିକାରେ ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ୟ୍ୟକାଳ ସରିଥିଲେ ମଧ୍ୟ ନିର୍ବାଚନ ହୋଇପାରିନଥିଲା । ତେଣୁ ତିନିବର୍ଷ ପରେ ପୌର ନିର୍ବାଚନ କରିବା ପାଇଁ ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି । ଭୁବନେଶ୍ଵର ଭଳି ଏକ ଗୁରୁତ୍ଵପୂର୍ଣ୍ଣ ସହରରେ ପ୍ରଥମ ଥର ପାଇଁ ମେୟର ପଦବୀ ମହିଳାମାନଙ୍କ ଲାଗି ସଂରକ୍ଷିତ ରହିଛି । ଭୁବନେଶ୍ଵର ମେୟର ପଦବୀ ହାତେଇବା ପାଇଁ ବିଭିନ୍ନ ଦଳର ନେତ୍ରୀମାନଙ୍କ ଲମ୍ବା ରେସ୍ ଦେଖିବାକୁ ମିଳୁଛି ।
ବିଏମସି ମହିଳା ମେୟର ଦୌଡ଼ରେ ଶାସକ ବିଜେଡି ପକ୍ଷରୁ ଓଟିଡିସି ଚେୟାରମ୍ୟାନ ଶ୍ରୀମୟୀ ମିଶ୍ରଙ୍କ ନାଁ ଆଗରେ ରହିଛି । ଏହା ସହ ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ, ବିଜେଡି ମୁଖପାତ୍ର ସୁଲତା ଦେଓ, ଇତିରାଣୀ ସାମନ୍ତ, ମୀରା ପରିଡ଼ା, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ମିଶନ ଶକ୍ତି ପରମର୍ଶଦାତା ତଥା ବିଜେଡି ସାଧାରଣ ସମ୍ପାଦକ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ନାଁ ଚର୍ଚ୍ଚାକୁ ଆସିଛି । ସେହିପରି ବିଜେପି ପକ୍ଷରୁ ଦଳର ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏବଂ ଅଭିନେତ୍ରୀ ତଥା ବିଜେପି କାର୍ୟ୍ୟକାରିଣୀ ସଦସ୍ୟା ଅନୁ ଚୌଧୁରୀଙ୍କ ନାଁ ଚର୍ଚ୍ଚା ହେଉଛି । କଂଗ୍ରେସ ଦଳ ପକ୍ଷରୁ ରଶ୍ମି ମହାପାତ୍ର ମେୟର ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।
ରାଜଧାନୀ ରାଜନୀତିରେ ଓଟିଡିସିର ଚେୟାରମ୍ୟାନ ଶ୍ରୀମୟୀ ମିଶ୍ର ସକ୍ରିୟ ରହିଛନ୍ତି । ଶ୍ରୀମୟୀ ଶାସକ ଦଳର ଜଣେ ଲୋକପ୍ରିୟ ନେତ୍ରୀ ମଧ୍ୟ । ତାଙ୍କର ତୃତୀୟ ମହଲା ଏବଂ ପ୍ରଶାସନିକ ସ୍ତରରେ ସୁସମ୍ପର୍କ ରହିଛି । ଶାସକ ଦଳର ବହୁ ତୁଙ୍ଗନେତା ତାଙ୍କ ପାଇଁ ଲବି କରିପାରନ୍ତି ବୋଲି ଆଶା କରାଯାଉଛି । ବିଭିନ୍ନ ସ୍ଥାନରେ ଶ୍ରୀମୟୀଙ୍କର ପୋଷ୍ଟର ଦେଖିବାକୁ ମିଳୁଛି । ଗତବର୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିମନ୍ତ୍ରଣ ହୋଟେଲ କରାଇ ବେଶ୍ ଚର୍ଚ୍ଚାରେ ରହିଥିଲେ ସେ । ଅନ୍ୟ ପକ୍ଷରେ ଦଳ ତାଙ୍କୁ ଯେଉଁ ଦାୟିତ୍ଵ ଦେବ ସେ ତୁଲାଇବେ ବୋଲି ଶ୍ରୀମୟୀ କହିଛନ୍ତି ।
ବିଏମସି ମେୟର ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଛି। ମେୟର ପ୍ରାର୍ଥୀ ପାଇଁ ଶ୍ରୀମୟୀ ମିଶ୍ରଙ୍କ ନାଁ ସବୁଠାରୁ ଆଗରେ ରହିଛି । ଏହା ସହ ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି । ସୁସ୍ମିତା ଜଣେ ସୁଲେଖିକା । ସେ ସୁବ୍ରତ ବାଗ୍ଚୀଙ୍କ ପତ୍ନୀ । ରାଜ୍ୟ ସରକାର ଏବଂ ପ୍ରଶାସନିକ ସ୍ତରରେ ବାଗ୍ଚୀଙ୍କର ମଧ୍ୟ ସୁସମ୍ପର୍କ ରହିଛି । ତେଣୁ ସୁସ୍ମିତାଙ୍କୁ ମେୟର ପ୍ରାର୍ଥୀ କରାଇବା ପାଇଁ ପ୍ରଶାସନିକ ସ୍ତରରୁ ଲବି କରାଯିବା ନେଇ ଚର୍ଚ୍ଚା ହେଉଛି ।
ସେହିପରି ବିଜେଡ ମୁଖପାତ୍ର ସୁଲତା ଦେଓ ଦଳ ପକ୍ଷରୁ ମେୟର ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି । ଦଳରେ ସେ ବେଶ୍ ସକ୍ରିୟ ରହିଛନ୍ତି । ସୁଲତାଙ୍କୁ ମେୟର ପ୍ରାର୍ଥୀ କରିବାକୁ ବହୁ ନେତା ସୁପାରିଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା ସହ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଭଉଣୀ ଇତିରାଣୀ ସାମନ୍ତଙ୍କ ନାଁ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇପାରେ ବୋଲି କୁହାଯାଉଛି । ଇତି ସାମନ୍ତ ଉତ୍ତର ଭୁବନେଶ୍ଵରରେ ବେଶ୍ ସକ୍ରିୟ ରହିଛନ୍ତି । ଏବେ ସେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି । ଇତି ସାମନ୍ତ ସୁଲେଖିକା ଭାବେ ଘରେ ଘରେ ବେଶ୍ ପରିଚିତ । ବିଭିନ୍ନ ଫିଲ୍ମଫେୟାର ଆଓ୍ଵାର୍ଡର ଅଧିକାରୀଣି ମଧ୍ୟ ସେ ହୋଇପାରିଛନ୍ତି । ତାଙ୍କର ଲୋକ ପ୍ରିୟତାକୁ ଦେଖି ତାଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି ।
ସାମାଜିକ କର୍ମୀ ତଥା ବିଜେଡି ନେତ୍ରୀ ମିରା ପରିଡ଼ାଙ୍କ ନାଁ ମଧ୍ୟ ମେୟର ପ୍ରାର୍ଥୀ ପାଇଁ ଚର୍ଚ୍ଚାକୁ ଆସିଛି । ଶାସକ ଦଳ ସହ ତାଙ୍କର ସୁସମ୍ପର୍କ ରହିଛି । ଦଳ ପକ୍ଷରୁ ତାଙ୍କୁ ବିଭିନ୍ନ ସମୟରେ ଗୁରୁତ୍ଵପୂର୍ଣ୍ଣ ଦିଆଯାଉଛି । ତାଙ୍କୁ କୋରପୁଟ ଜିଲ୍ଲା ପର୍ୟ୍ୟବେକ୍ଷକ ଦାୟିତ୍ଵ ଦେଇଥିଲା ବିଜେଡି । ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଏହା ସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମେୟର ପ୍ରାର୍ଥୀ ହୋଇପାରିନ୍ତି ବୋଲି ଶୁଣିବାକୁ ମିଳୁଛି ।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମାହାନ୍ତି ଏବଂ ବର୍ଷାଙ୍କ ବିବାହ ବିବାଦକୁ ନେଇ ଦଳର ସମ୍ମାନ ତଳେ ପଡ଼ିଥିବାରୁ ଅନୁଭବଙ୍କୁ ଦଳରୁ ହଟାଇବା ପାଇଁ ଯୋଜନା କରାଯାଉଛି । ଏହି କାରଣରୁ ବର୍ଷା ପ୍ରାର୍ଥୀ ହେଲେ ଦଳକୁ ଜଣେ ନେତ୍ରୀ ସହ ଲୋକପ୍ରିୟ ଅଭିନେତ୍ରୀ ମିଳିଯିବ ବୋଲି କୁହାଯାଉଛି । ମିଶାନ ଶକ୍ତିର ପରାମର୍ଶଦାତା ତଥା ବିଜେଡି ସାଧାରଣ ସମ୍ପାଦିକା ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ଦଳ ମୟେର ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।
No Result
View All Result