ମୁଖ୍ୟମନ୍ତ୍ରୀ ଙ୍କ ଅନୁରୋଧକ୍ରମେ ୨୦ କୁ ଘୁଞ୍ଚିଲା ପଞ୍ଜାବ ନିର୍ବାଚନ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜାନୁଆରୀ ସୋମବାର ) ଭୁବନେଶ୍ୱର :- ୧୧୭ଟି ବିଧାନସଭା ଆସନ ପାଇଁ ଆସନ୍ତା ଫେବ୍ରୁଆରି ୨୦ ତାରିଖ ନିର୍ବାଚନ କରାଯିବାକୁ ନୂଆ ତାରିଖ ଘୋଷଣା ହୋଇଛି । ପଞ୍ଜାବରେ ବିଧାନସଭା ନିର୍ବାଚନ ନିମନ୍ତେ ଘୋଷଣା କରାଯାଇଥିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଫେବ୍ରୁଆରି ୧୪ ତାରିଖରେ ନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

ପୂର୍ବ ନିର୍ଦ୍ଧାରିତ ନିର୍ବାଚନ ତାରିଖ ଆଗକୁ ଘୁଞ୍ଚାଇବା ପାଇଁ କଂଗ୍ରେସ, ବିଜେପି ଏବଂ ପଞ୍ଜାବ ଲୋକ କଂଗ୍ରେସ ଦାବି କରିଥିଲେ । ଏହାକୁ ନେଇ ନର୍ବାଚନ ଆୟୋଗ ଏହି ତିନି ପ୍ରମୁଖ ଦଳ ସହ ଆଲୋଚନା କରି ତାରିଖ ଘୁଞ୍ଚାଇବା ପାଇଁ ସହମତି ପ୍ରକାଶ କରିଥିଲେ ।

ଫେବ୍ରୁଆରି ୧୬ ତାରିଖରେ ଗୁରୁ ରବିଦାସ ଜୟନ୍ତୀ ପଡୁଥିବାରୁ ନିର୍ବାଚନ ଘୁଞ୍ଚାଇବା ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଏବଂ ପଞ୍ଜାବ ଲୋକ କଂଗ୍ରେସ ଦାବି କରିଥିଲା । ଦୁଇ ଦିନ ପୂର୍ବରୁ ପଞ୍ଜାମ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ନିର୍ବାଚନ ତାରିଖ ଆଗକୁ ଘଞ୍ଚାଇବାକୁ ନିବେଦନ କହିଥିଲେ ।

ଗୁରୁ ରବିଦାସଙ୍କ ଜୟନ୍ତୀ ଅବସରରେ ଉତ୍ତର ପ୍ରଦେଶର ବାରାଣାସୀ ସ୍ଥିତ ତାଙ୍କ ଜନ୍ମସ୍ଥାନକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯାଇଥାନ୍ତି । ୧୪ ତାରିଖ ନିର୍ବାଚନ ହେଲେ ୧୬ ତାରିଖ ପୂର୍ବରୁ ଶ୍ରଦ୍ଧାଳୁମାନେ ସେଠାରେ ପହଞ୍ଚି ପାରିବେ ନାହିଁ ତେଣୁ ନିର୍ବାଚନ ତାରିଖକୁ ଆଉ ୬ ଦିନ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଚନ୍ନୀ ଚିଠିରେ ଉଲ୍ଲେଖ କରିଥିଲେ।