No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଡିସେମ୍ବର ଗୁରୁବାର ) ଭୁବନେଶ୍ୱର :- କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବିଭିନ୍ନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିଆସୁଅଛନ୍ତି ସ୍ଵାଧୀନତାର ୭୫ବର୍ଷ ପରେ ମଧ୍ୟ ଏହି ଅବହେଳା ଲାଗି ରହିଛି । ଏହାର ସଦ୍ୟତମ ଉଦାହରଣ ହେଉଛି ଗତ ୩୦ ତାରିଖ ଦିନ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ ବୈଷ୍ଣବ ମହାଶୟ କନ୍ଧମାଳର ମାନ୍ୟବର ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କର ଏକ ପ୍ରଶ୍ନର ଉତ୍ତରରେ ପ୍ରକାଶ କରିଛନ୍ତି ଯେ, ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ନିକଟବର୍ତୀ ଶୀତଳାପଲ୍ଲୀଠାରେ ପ୍ରସ୍ତାବିତ ରେଳଡବା କାରଖାନା ପାଇଁ କୌଣସି ପ୍ରସ୍ତାବ ରେଳ ମନ୍ତ୍ରଣାଳୟର ନାହିଁ କିମ୍ବା ଏହା ନିକଟ ଭବିଷ୍ୟତରେ ମଧ୍ଯ ହେବାର ନାହିଁ । ଏଠାରେ ଉଲ୍ଲେଖଥାଉକି, ୨୦୧୧-୧୨ ମସିହାରେ ଏହି ୱାଗନ୍ ଫ୍ୟାକ୍ରି ପାଇଁ ତତ୍କାଳୀନ ରେଳମନ୍ତ୍ରୀ ମମତା ବାନାର୍ଜୀ ୨୦୧୧-୧୨ ମସିହାରେ ଘୋଷଣା କରିଥିଲେ ।
୨୦୧୮ ମସିହାରୁ ଏହି ପ୍ରସ୍ତାବିତ କାରଖାନା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିଲା ଗତ ଜୁଲାଇ ମାସରେ ମାନ୍ୟବର ରେଳମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ବ୍ରହ୍ମପୁରଠାରେ ନାଗରିକ ସମାଜ ତରଫରୁ ଏବଂ ସ୍ଥାନୀୟ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତାଙ୍କୁ ପ୍ରଦତ୍ତ ସ୍ମାରକପତ୍ରରେ ଏହି କାରଖାନା କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଅନୁରୋଧ କରାଯାଇଥିଲା ଏବଂ ଏ ଦିଗରେ ସକରାତ୍ମକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ଓଡ଼ିଶା ସରକାର ମଧ୍ୟ ଏହି କାରଖାନା ପାଇଁ ୧୦୧ ଏକ ଏକର ଜମି ଯୋଗାଇ ଦେଇଥିଲେ ।
କିନ୍ତୁ ଦୁଃଖର କଥା ଆଜି କେନ୍ଦ୍ର ସରକାର କାରଖାନା ହେବାପାଇଁ ମନା କରିଦେଲେ, ଏହା ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳାର ଅନ୍ୟତମ ଜ୍ଵଳନ୍ତ ଉଦାହରଣ । ତେଣୁ ଓଡ଼ିଶା ବିଧାନସଭାରେ କେନ୍ଦ୍ରର ଏହି ବୈମାତୃକ ମନୋଭାବ ବିରୁଦ୍ଧରେ ଓଡ଼ିଶାର ମାନ୍ୟବର ବିଧାୟକମାନେ ଦଳମତ ନିର୍ବିଶେଷରେ ଏକ ନିନ୍ଦା ପ୍ରସ୍ତାବ ଆଗତ କରିବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଅଛି । ପାର୍ଟିର ଏକ ଦୁଇଜଣିଆ ପ୍ରତିନିଧି ଦଳ ସଭାପତି ଶ୍ରୀ ରବି ବେହେରାଙ୍କ ନେତୃତ୍ବରେ ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଦ୍ଵିତୀୟତଃ ଏହି ସ୍ମାରକପତ୍ରରେ ବାତ୍ୟା ‘କଦ’ ଜନିତ ଲଗାଣ ବର୍ଷା ଯୋଗୁଁ କିଆରିରେ ହଜାର ହଜାର ହେକ୍ଟର ପାଚିଲା ଧାନ ପାଣିରେ ବୁଢି ନଷ୍ଟ ହୋଇଯାଇଛି ବୋଲି ଦର୍ଶାଯାଇଛି । ଲକ୍ଷଲକ୍ଷ ଚାଷୀଙ୍କର ପନିପରିବା ଚାଷ ମଧ୍ୟ ଉଜୁଡ଼ି ଯାଇଛି । ଚାଷୀ ସମାଜର ବର୍ଷକର ଆହାର ଲଗାଣ ବର୍ଷାରେ ଧୋଇହୋଇଯିବା ସହିତ ସେମାନଙ୍କର ଅର୍ଥନୈତିକ ମେରୁଦଣ୍ଡ ମଧ୍ୟ ଭାଙ୍ଗିଯାଇଛି । ବହୁ ଚାଷୀ ସମବାୟ ବ୍ୟାଙ୍କରୁ ଋଣ କରି କିମ୍ବା ହାତ ଉଦ୍ଧାରି କରି ଯେଉଁ ଫସଲ ଗଣ୍ଡାକ କରିଥିଲେ ଏହି ତିନିଦିନ ବର୍ଷାରେ ସେହି ସୁନାର ଫସଲ ଧୋଇ ହୋଇଗଲା । ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କର ଋଣ ଛାଡ କରିବା ସହିତ ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସମାବାଦୀ ପାର୍ଟି ଦାବି କରୁଛି ।
ଆଗାମୀ ରବି ଋତୁ ପାଇଁ ବିନା ସୁଧରେ ଚାଷୀମାନଙ୍କୁ ନୂଆ ବ୍ୟାଙ୍କ ଋଣ ଦେବା, ମାଗଣାରେ ବିହନ, ସାର ଓ କୀଟନାଶକ ଯୋଗାଇ ଦେବା ସହିତ ବର୍ଷା କ୍ଷତିଗ୍ରସ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କର ସ୍କୁଲ ଓ କଲେଜର ଦରମା ଓ ପରୀକ୍ଷା ଫିସ୍ ଛାଡ କରିବା ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ଦାବି କରାଯାଇଛି । ପାର୍ଟି ସଭାପତି ଶ୍ରୀ ବେହେରାଙ୍କ ସହିତ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଏହି ପ୍ରତିନିଧି ଦଳରେ ମାନ୍ୟବର ବାଚସ୍ପତିଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ । ମାନ୍ୟବର ବାଚସ୍ପତି ପ୍ରତିନିଧି ଦଳଙ୍କଠାରୁ ସ୍ମାରକପତ୍ର ଗ୍ରହଣ କରି ଦାବିଗୁଡ଼ିକ ପ୍ରତି ସହାନୁଭୂତି ପ୍ରକାଶ କରିବା ସହିତ ବିଧାନସଭା ଚାଲିଲେ ଏହି ଦାବି ଗୁଡ଼ିକ ଉପରେ ନିଶ୍ଚିତ ଭାବରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ
No Result
View All Result