ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା : ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର – ଶ୍ରୀ ପ୍ରଦୀପ ଜେନା

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ସମ୍ଭାବ୍ୟ ବାତ୍ୟା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, ବିଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସାମାନ୍ୟ ଉତ୍ତର ଦିଗକୁ ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରି ଏକ ସାମୁଦି୍ରକ ଝଡ଼ ବା ବାତ୍ୟା ‘ଜୱାଦ’ ରେ ପରିଣତ ହୋଇଛି । ଏହା ଆଜି ଡିସେମ୍ବର ୪ ତାରିଖ ସକାଳ ୮.୩୦ ସମୟରେ ଅକ୍ଷାଂଶ ୧୬.୪ଂ ଉତ୍ତର ଏବଂ ଦ୍ରାଘିମା ୮୪.୮ଂ ପୂର୍ବ, ଯାହା ପାଖାପାଖି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି ।

ଏହା ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟନମ୍‌ଠାରୁ ୨୧୦ କିମି, ଗୋପାଳପୁରଠାରୁ ଦକ୍ଷିଣ ଦିଗରେ ୩୨୦ କିମି, ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୩୯୦ କିମି ଏବଂ ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୭୦ କିମି ଦୂରରେ ରହିଛି । ଏହା କ୍ରମଶଃ ଦୁର୍ବଳ ହୋଇ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରାୟ ଉତ୍ତର ଦିଗକୁ ଗତି କରିବ ଏବଂ ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳରେ ଡିସେମ୍ବର ୫ ତାରିଖ ମଧ୍ୟାହ୍ନରେ ପୁରୀ ନିକଟରେ ପହଞ୍ଚିବ ା ପରବର୍ତ୍ତୀ ସମୟରେ ଏହା ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି ଏବଂ ଉତ୍ତର-ଉତ୍ତରପୂର୍ବ ଦିଗକୁ ଓଡ଼ିଶା ଉପକୂଳ ଦେଇ ପଶ୍ଚିମ ବଙ୍ଗୋପସାଗର ଉପକୂଳ ଆଡ଼କୁ ଗତି କରିପାରେ ।

ଅନୁମାନ କରାଯାଉଛି ଯେ ବାତ୍ୟା ‘ଜୱାଦର ତୀବ୍ରତା ହ୍ରାସ ପାଇବାରେ ଲାଗିଛି । ଆସନ୍ତାକାଲି ମଧ୍ୟାହ୍ନରେ ଏହା ପୁରୀ ଉପକୂଳ ଦେଇ ହୁଏତ ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ରହିଛି ଓ ପରବର୍ତ୍ତୀ ସମୟରେ ଏହା ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ମୁହାଁଇପାରେ । ଆକଳନ କରାଯାଉଛି ଯେ ପୁରୀ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୬୦-୭୦ କିମି ରହିବ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଗଞ୍ଜାମ, ପୁରୀ, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି କଟକ ଏବଂ ଭୁବନେଶ୍ୱରରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ଏହି ବାତ୍ୟାରେ ଅତ୍ୟଧିକ ଭିତ୍ତିଭୂମି ନଷ୍ଟ ହେବାର ସମ୍ଭାବନା ନାହିଁ । କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ ପ୍ରଭାବିତ ହୋଇପାରେ । ଧାନ ଏବଂ ପନିପରିବା ଚାଷରେ ଅଧିକ କ୍ଷତି ହୋଇପାରେ । ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରି ମଧ୍ୟରାତ୍ର ପୂର୍ବରୁ ଓଡ଼ିଶାରୁ ଏହା ହଟି ଯାଇଥିବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗଣମାଧ୍ୟମ, ସୋସିଆଲ୍‌ ମିଡିଆ ଏବଂ େୱବ୍‌ ମିଡିଆରେ ୬ଟି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଜୁଆରର ପ୍ରଭାବ ଅଧିକ ରହିବ ବୋଲି ସମ୍ଭାଦ ପ୍ରସାରଣ ହେଉଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଜନସାଧାରଣ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ।

ଅମାବାସ୍ୟା ଏବଂ ପ୍ରତିପଦା ରହୁଥିବା ହେତୁ ଜୁଆରର ଉଚ୍ଚତା ଦେଢ଼ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଜିଲ୍ଲା ପ୍ରଶାସନ ଆବଶ୍ୟକ ସ୍ଥଳେ ଉଦ୍ଧାର କାର୍ଯ୍ୟ କରିବେ । ଗର୍ଭବତୀ ମହିଳାଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଉପକୂଳବର୍ତ୍ତୀ ଜିଲ୍ଲାର ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି । ୩୦୦ରୁ ଊଦ୍ଧ୍ୱର୍ ଗର୍ଭବତୀ ମହିଳାମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନାନ୍ତରଣ କରାଯାଇ ସାରିଛି । ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

ଜିଲ୍ଲାସ୍ତରରେ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ବୁଝାଯାଇ ନିକଟସ୍ଥ ଆଶ୍ରୟସ୍ଥଳୀକୁ ନିଆଯାଉଛି । ଏହି ପରିସ୍ଥିତିରେ ବିଦୁ୍ୟତ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇପାରେ । ବାତ୍ୟା ସମୟରେ ଘରୁ ନବାହାରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି । ବାତ୍ୟା ଆଶ୍ରୟସ୍ଥଳୀ, ନିକଟସ୍ଥ ସ୍କୁଲ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରରେ ଆଶ୍ରୟ ନେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ସରକାରଙ୍କ ପକ୍ଷରୁ କୌଣସି ପରିସ୍ଥିତିରେ କଚ୍ଚାଘରେ ନରହିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଅଦିନିଆ ବର୍ଷାରେ କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ତେବେ ଏକ ସପ୍ତାହ ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯାଇ ପରବର୍ତ୍ତୀ ସମୟରେ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି ।