ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର : ପୁଲିସ୍‌କୁ ନାକେଦମ କରୁଥିଲେ

ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ଭଦ୍ରକ :- ସକାଳୁ ସକାଳୁ ଭଦ୍ରକ ଜିଲ୍ଲାର ପୁଲିସ୍‌ ଏନକାଉଣ୍ଟରରେ ୨ ଦୁର୍ବୃତ୍ତ ଗୁରୁତର ହୋଇଥିବା ବେଳେ ୪ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୁଲିସ୍‌ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନା ଓ ପୁଲିସ୍‌ କର୍ମୀ ଶ୍ରୀକାନ୍ତ ନାୟକ ଆହତ ହୋଇଛନ୍ତି । ଏହି ଦୁର୍ବୃତ୍ତମାନେ ରହୁଥିବା ଘରୁ ମ୍ୟାଗାଜିନ, ବନ୍ଧୁକ, ଗୁଳି, ଖଣ୍ଡା ଜବତ ହୋଇଛି । ବରପଦା ନିକଟରେ ପୁଲିସ୍‌ ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର ହୋଇଛନ୍ତି । ସେମାନେ ବିଭିନ୍ନ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥାଇ ପୁଲିସ୍‌କୁ ଦୀର୍ଘ ଦିନ ହେଲା ନାକେଦମ କରି ଆସୁଥିଲେ । ସେମାନଙ୍କୁ ଧରିବାକୁ ଜାଲ ବିଛାଇ ଆଜି ସକାଳୁ ସକାଳୁ ପୁଲିସ୍‌ ସେମାନେ ରହୁଥିବା ଘରକୁ ଚାରିପଟୁ ନାକାବନ୍ଦୀ କରି ଏନକାଉଣ୍ଟର କରିଥିଲା ।

ଏଥିରେ ୨ ଜଣ ଗୁରୁତର ହୋଇଥିବା ବେଳେ ଗ୍ୟାଙ୍ଗର ଆଉ ୪ ଜଣଙ୍କୁ ଅଟକ ରଖିଛି ପୁଲିସ୍‌ । ଏନକାଉଣ୍ଟରର ଶିକାର ହୋଇଥିବା ୨ ଅପରାଧୀ ହେଲେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ । ସେମାନଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ରେଫର କରାଯାଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ପୁଲିସ୍‌ ଅଧିକାରୀଙ୍କ ସମେତ ୨ ଜଣ ଆହତ ହୋଇଥିବା ଜଣାଯାଇଛି ।  ଏହି ଗ୍ୟାଙ୍ଗରେ ୬ ଜଣ ସଦସ୍ୟ ଥିବା ବେଳେ ସେମାନେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିଲେ । ପୂର୍ବରୁ ଘର ଭଡ଼ା ନେବା ବାହାନାରେ ଏକ ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ଆକ୍ରମଣ କରିଥିଲେ । ଏପରିକି ଏକ ମେଡିସିନ ଷ୍ଟୋରରୁ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିଥିବା ବେଳେ ବହୁ ହାଇୱେ ଲୁଟ୍‌ରେ ବି ଏହି ଗ୍ୟାଙ୍ଗର ସଦସ୍ୟ ସମ୍ପୃକ୍ତ ଥିବା ପୁଲିସ୍‌ ଜାଣିବାକୁ ପାଇଥିଲା ।

ପୂର୍ବରୁ ପୁଲିସ୍‌ ଏହି ଗ୍ରୁପ୍‌ ଉପରେ ନଜର ରଖିଥିବା ବେଳେ ସେମାନେ ବରପଦାରେ ଘର ଭଡ଼ା ନେଇ ରହୁଥିବା ଜାଣିବାକୁ ପାଇଥିଲା । ଏହାପରେ ପୂର୍ବ ଯୋଜନା ମୁତାବକ ଆଜି ଭୋରୁ ଭୋରୁ ବରପଦା ପୁଲିସ୍‌ ଟିମ୍‌ ପହଞ୍ଚି ଘରକୁ ଚାରି ପଟୁ ଘେରି ଯାଇଥିଲେ । ଏହାପରେ ଦୁର୍ବୃତ୍ତଙ୍କ ଉପରକୁ ଆକ୍ରମଣ କରିବାରୁ ସେମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । କିଛି ସମୟ ପାଇଁ ଘଟଣାସ୍ଥଳ ଋଣକ୍ଷେତ୍ରରେ ପରିଣତ ହୋଇ ଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ଗତ ୨୬ ତାରିଖ ରାତିରେ ଭଦ୍ରକ ଚରମ୍ପାସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍‌ରେ ଟଙ୍କା ଲୋଡ୍‌ ବେଳେ ପ୍ରାୟ ୨୯ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା । ଏହି ଲୁଟ୍‌ ମାମଲାରେ ପ୍ରହ୍ଲାଦ ଓ ସୁଶାନ୍ତଙ୍କ ସମ୍ପୃକ୍ତ ଥିବା ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଥିଲା । ଏହାପରେ ପୁଲିସ୍‌ ସେମାନଙ୍କୁ ଧରିବାକୁ ଅପରେସନ ଆରମ୍ଭ କରିଥିଲା ।