ଡାକ୍ତର ତାରକପ୍ରସନ୍ନ ତ୍ରିପାଠୀଙ୍କ “କୃଷ୍ଣପ୍ରିୟା କାବ୍ଯ” ଲୋକାର୍ପିତ

କଟକ :- କଟକ ସ୍ଥିତ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ମାଳିକା ଗବେଷକ ତଥା ବିଶିଷ୍ଟ କବି କୃଷ୍ଣକିଙ୍କର ଡାକ୍ତର ତାରକ ପ୍ରସନ୍ନ ତ୍ରିପାଠୀଙ୍କ କାବ୍ଯ ପୁସ୍ତକ “କୃଷ୍ଣ ପ୍ରିୟା” କାବ୍ଯ ଲୋକାର୍ପିତ ହୋଇଯାଇଛି । ଉତ୍କଳ ସାହିତ୍ୟ ସମାଜର ସଭାପତି ଶ୍ରୀଯୁକ୍ତ ତରୁଣ କୁମାର ସାହୁ ଏହି ଉତ୍ସବରେ ସଭାପତିତ୍ୱ କରି “କୃଷ୍ଣପ୍ରିୟା”ର ଉଚ୍ଚ ପ୍ରଶଂସା କରି କହିଥିଲେ ଡାକ୍ତର ତ୍ରିପାଠୀଙ୍କ ଏହି କାବ୍ଯ ଯୁଗ ଯୁଗ ଧରି ଓଡ଼ିଶାର ବାଣୀଭଣ୍ଡାରର ସୋଭାବର୍ଦ୍ଧନ କରିବା ସହ ଆଗାମୀ ପିଢ଼ି ପାଇଁ ଉପାଦେୟ କାବ୍ଯ ହୋଇ ରହିବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଓ ସମାଲୋଚକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ କହିଥିଲେ ତେରଟି ରାଗ ଉପରେ ପର୍ଯ୍ଯବେସିତ ଏହି କାବ୍ଯ ଅତ୍ୟନ୍ତ ମର୍ମ ସ୍ପର୍ଶୀ ହୋଇଛି ।

ଡକ୍ଟର ପଟ୍ଟନାୟକ ଏହି କାବ୍ଯରେ ଥିବା ଶବ୍ଦ ସଂଯୋଜନା ଅତ୍ୟନ୍ତ ଚମତ୍କାର ବୋଲି କହିଥିଲେ । ବିଶିଷ୍ଟ ଗବେଷକ ଓ ପ୍ରାବନ୍ଧିକ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କୃଷ୍ଣ ପ୍ରିୟା କାବ୍ଯରେ ଥିବା ହୃଦୟକୁ ଛୁଉଁଥିବା କିଛି କବିତାର ପଂକ୍ତି ବିଶ୍ଳେଷଣ କରିଥିଲେ । ବିଶିଷ୍ଟ ପ୍ରାବନ୍ଧିକ ଏବଂ ଗବେଷକ ଡକ୍ଟର ହରିହର କାନୁନଗୋ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ କବି ଡାକ୍ତର ତ୍ରିପାଠୀଙ୍କ ଏହି ପୁସ୍ତକ ଏକ ଅନନ୍ୟ କୃତି ବୋଲି କହିଥିଲେ ।

ଅନ୍ୟତମ ସମ୍ମାନନୀୟ ଅତିଥି ବିଶିଷ୍ଟ କବି ତଥା ଉପସ୍ଥାପକ ଶ୍ରୀଯୁକ୍ତ ଶପଥ ମହାପାତ୍ର କହିଥିଲେ ଏହି କାବ୍ଯରେ ଥିବା କବିତାକୁ ସେ ବାଦୀପାଲା ମାଧ୍ୟମରେ ସାରା ଓଡ଼ିଶାରେ ପ୍ରଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଉତ୍ସବର କବି ଡାକ୍ତର ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଶିଷ୍ଟ ସାହିତ୍ୟିକ ବ୍ରହ୍ମାନନ୍ଦ ବିଶ୍ବାଳ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ବ୍ଯଙ୍ଗକବି ଡକ୍ଟର ଧର୍ମଛଡା ଧନ୍ୟବାଦ ଅର୍ପଣ କରିଥିଲେ ।