କନ୍ଧମାଳରେ ଅସହ୍ୟ ହେଲାଣି ଥଣ୍ଡା : ଖସିଲା ପାରଦ, ଦାରିଙ୍ଗବାଡିରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଥଣ୍ଡା ଅସହ୍ୟ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ପାରଦ ନିମ୍ନଗାମୀ ହେଉଛି । ଗତ ଦୁଇ ଦିନରେ ୪ ଡିଗ୍ରୀ ସେଲସିଅସ ତାପମାତ୍ରା କମିଛି । ଶୁକ୍ରବାର ଦିନ ୧୩ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ଶନିବାର ଦିନ ୨ ଡିଗ୍ରୀ ହ୍ରାସ ପାଇ ୧୧ ଡିଗ୍ରୀ ସେଲସିଅସରେ ପହଂଚିଥିଲା ସର୍ବନିମ୍ନ ତାପମାତ୍ରା । ପୁଣି ରବିବାର ଦିନ ୨ ଡିଗ୍ରୀ ତାପମାତ୍ରା ହ୍ରାସ ପାଇ ଆଜି ୯ ଡିଗ୍ରୀରେ ପହଞ୍ଚିଛି । ଯାହାକି ଏ ବର୍ଷର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ କରାଯାଇଛି । ତାପମାତ୍ରା ହ୍ରାସ ପାଇବା ଫଳରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି ।

ଲୋକେ ସକାଳୁ ଉଠିବା କଷ୍ଟସାଧ୍ୟ ହେଉଥିବା ବେଳେ ସଠିକ ସମୟରେ କାମଧନ୍ଦାକୁ ଯାଇପାରୁନାହାନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ଗରମ ପାନୀୟ ଜଳ ବ୍ୟବହାର କରୁଥିବା ବେଳେ ସକାଳେ ପ୍ରାତଃ ଭ୍ରମଣ କରି ବ୍ୟାୟାମ କରୁଛନ୍ତି । ଆଗକୁ ଆହୁରି ତାପମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଫଳରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି । ଶୀତ ଯୋଗୁ ସକାଳୁ ଘରୁ ବାହାରିବା କଷ୍ଟ ହୋଇପଡ଼ିଛି l

ସୂଚନାନୁଯାୟୀ, ଗତ କିଛିଦିନ ହେଲା ଲଘୁଚାପ ଜନିତ ବର୍ଷା ଏବଂ ପାଗ ମେଘୁଆ ଯୋଗୁ କେବଳ ଦିନରେ ଶୀତ ଅନୁଭୂତ ହେବା ତାପମାତ୍ରା ବୃଦ୍ଧି ପାଇ ୧୭ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବା ସହ ରାତିରେ ଶୀତ ଜଣାପଡୁ ନ ଥିଲା ା କିନ୍ତୁ ଏବେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ବିଳମ୍ବିତ ରାତି ଠାରୁ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ଶୀତ ଦ୍ୱିଗୁଣିତ ହୋଇଛି । ଚଳିତ ବଷ ଏହା ଦ୍ୱୀତିୟଥର ପାଇଁ ପାରଦ ଖସି ୯ରେ ପହଞ୍ଚିଥିବା ବେଳେ ପ୍ରଥମଥର ପାଇଁ ଚଳିତ ମାସ ୭ରେ ତାପମାତ୍ରା ୯.୫ ଡିଗ୍ରୀ ରହିଥିଲା l