ଭୁବନେଶ୍ୱର :- ଭାରତ ଭୂମିର ସ୍ଵାଧୀନତା ପାଇଁ ଯେଉଁ ସଂଘର୍ଷମୟ ସଂଗ୍ରାମ ଜାରି ରହିଥିଲା ସେଥିରେ ଓଡ଼ିଶାର ବହୁ ବୀର ସଂଗ୍ରାମୀ ନିଜର ସର୍ବସ୍ୱ ତ୍ୟାଗକରି ଆତ୍ମ ବଳିଦାନ ଦେଇଥିଲେ । ଶହୀଦ ବିର୍ସା ମୁଣ୍ଡା ମାତ୍ର ୨୫ ବର୍ଷ ବୟସରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି ପ୍ରାଣବଳୀ ଦେଇଥିଲେ । ଆଜି ସଂଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ସଭାରେ ବିଶିଷ୍ଟ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଉଭୟ ମଞ୍ଚ ଓ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଶହୀଦ ବିର୍ସା ମୁଣ୍ଡାଙ୍କୁ ସ୍ଵାଭିମାନ ଓ ଦେଶପ୍ରେମ ର ପ୍ରତୀକ ଭାବେ ବର୍ଣ୍ଣନା କରିବା ସହ ଆଦିବାସୀ ମାନଙ୍କ ନିମନ୍ତେ ପରିଚିତି ସୃଷ୍ଟି କରିବା ସହ ଭବିଷ୍ୟତ ପିଢିଙ୍କ ନିମନ୍ତେ ଆଲୋକ ବର୍ତ୍ତିକା ବୋଲି କହିଥିଲେ ।
ଆଜିର ଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳିତ ହେଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ । ପୂର୍ଵତନ ସାଂସଦ ଡକ୍ଟର ପ୍ରଭାସ ସିଂ ଭର୍ଚୁଆଲ ମାଧ୍ୟମରେ ଉତ୍ସବରେ ଯୋଗ ଦେଇ କହିଥିଲେ ଯେ ଶହୀଦ ବିର୍ସା ମୁଣ୍ଡା ଅତି ଅଳ୍ପ ବୟସରୁ ଆଦିବାସୀ ସଂପ୍ରଦାୟର ଅସ୍ମିତା ତଥା ଉନ୍ନତି ପାଇଁ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ର ସଂମ୍ପାଦକ ଡକ୍ଟର ଲେନିନ୍ ମହାନ୍ତି ଏହି ଜୟନ୍ତୀ ଉତ୍ସବରେ ଉପସ୍ଥିତ ରହି କହିଥିଲେ ,ଶହୀଦ ବିର୍ସା ମୁଣ୍ଡା ୨୫ ବର୍ଷର ସ୍ଵଳ୍ପ ଜୀବନ କାଳରେ ଶୋଷଣ ବିରୋଧରେ ସଂଗ୍ରାମ କରି ପରିବର୍ତ୍ତନ ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଥିଲେ ।