ଟାଟା ଷ୍ଟିଲ୍ ହସ୍ପିଟାଲ୍‌, ଯୋଡ଼ା ପକ୍ଷରୁ ‘ମାତୃଜ୍ୟୋତି’ ଅଭିଯାନକୁ ସହଯୋଗ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ଯୋଡ଼ା :- ଉତମ ପ୍ରସବକାଳୀନ ଯତ୍ନକୁ ନିଶ୍ଚିତ କରିବା ଓ ଶିଶୁ ତଥା ମା’ର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲାଗି ଟାଟା ଷ୍ଟିଲ୍ ହସ୍ପିଟାଲ୍‌, ଯୋଡ଼ା ପକ୍ଷରୁ ‘ମାତୃଜ୍ୟୋତି’ ଅଭିଯାନକୁ ସହାୟତା ପ୍ରଦାନ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ସହ ବୁଧବାର ଦିନ ବୁଝାମଣା ସ୍ୱାକ୍ଷର କରାଯାଇଛି । ସୁନ୍ଦରଗଡ଼ର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀଯୁକ୍ତ ନିଖିଲ୍ ପୱନ୍‌ କଲ୍ୟାଣଙ୍କ ଉପସ୍ଥିତିରେ ଏହି ବୁଝାମଣାରେ ଡକ୍ଟର ସରୋଜ କୁମାର ମିଶ୍ର, ମୁଖ୍ୟ ଜିଲ୍ଲା ମେଡିକାଲ୍ ଓ ସାର୍ବଜନୀନ ସ୍ୱାସ୍ଥ୍ୟ ଅଧିକାରୀ, ସୁନ୍ଦରଗଡ଼ ଓ ଡକ୍ଟର ସୁଚିସ୍ମିତା ଦାସ, ମୁଖ୍ୟ ମେଡିକାଲ୍ ଅଫିସର, ଟାଟା ଷ୍ଟିଲ୍‌ ହସ୍ପିଟାଲ୍‌, ଯୋଡ଼ା ସ୍ୱାକ୍ଷର କରିଛନ୍ତି ।

ଏହି ବୁଝାମଣା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ୍‌ ଅଧୀନରେ ଥିବା ଅଂଚଳରେ ବାସ କରୁଥିବା ଗର୍ଭବତୀ ମହିଳାମାନଙ୍କୁ ଟାଟା ଷ୍ଟିଲ୍ ହସ୍ପିଟାଲ୍ ପକ୍ଷରୁ ଏକ ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ଅଲଟ୍ରାସାଉଣ୍ଡ୍‌ ପରୀକ୍ଷା ସୁବିଧା ପ୍ରଦାନ କରାଯିବ । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶସ୍ୱରୂପ ଟାଟା ଷ୍ଟିଲ୍ ପକ୍ଷରୁ ମାଗଣାରେ ଏହି ପରୀକ୍ଷଣ କରାଯିବ । ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ନଭେମ୍ବରରେ ସୁନ୍ଦରଗଡ଼ ଜିଲ୍ଲାରେ ‘ମାତୃଜ୍ୟୋତି’ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଜିଲ୍ଲାରେ ମା ଓ ଶିଶୁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ।