No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ରାଜ୍ୟର ଶୈକ୍ଷିକ ପରିବେଶକୁ ସଶକ୍ତ କରିବାରେ ଶିକ୍ଷକନେତା ଅବନୀ ବରାଳଙ୍କ ଭୂମିକା ଅବିସ୍ମରଣୀୟ । ଶିକ୍ଷାବିତ୍, ଲେଖକ, ସଂଗଠକ ଓ ସର୍ବୋପରି ଜଣେ ସାମ୍ୟବାଦୀ ପ୍ରବକ୍ତା ଭାବରେ ତାଙ୍କ ଅବଦାନ ଭବିଷ୍ୟତ ପିଢ଼ିକୁ ଅନୁପ୍ରେରିତ କରୁଥିବ ବୋଲି ଏଠାରେ ଅତିଥିମାନେ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାର୍ପଣପୂର୍ବକ ଉଲ୍ଲେଖ କରିଛନ୍ତି । ଆଜି ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଅବନୀ ବରାଳ ଫାଉଣ୍ଡେସନ୍ ଆନୁକୂଲ୍ୟରେ ତଥା ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଉତ୍ସବରେ ସମାଲୋଚକ ତଥା ଅନୁବାଦକ କମଳା ପ୍ରସାଦ ମହାପାତ୍ର, ଶିକ୍ଷକ ନେତା ନିକୁଞ୍ଜ ପ୍ରସାଦ ମହାନ୍ତି ଓ ଆଡ୍ଭୋକେଟ୍ ଆକାଶ ବରାଳ ପ୍ରମୁଖ ବକ୍ତବ୍ୟ ରଖି ଅବନୀ ବରାଳଙ୍କ ବହୁମୁଖୀ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ ।
ଓଡ଼ିଶାରେ ଶିକ୍ଷା-ସଂସ୍କାର ଆନ୍ଦୋଳନ, ନାଟକ ଓ ଗଳ୍ପ ରଚନା, ସଂଗଠନ ତଥା ସଂପାଦନା କ୍ଷେତ୍ରରେ ତାଙ୍କର ଅମ୍ଳାନ ସ୍ୱାକ୍ଷର ତରୁଣମାନଙ୍କୁ ପ୍ରଭାବିତ କରିବ ବୋଲି ଅତିଥିମାନେ ମତ ଦେଇଥିଲେ । ଅତିଥିମାନେ ଅବନୀ ବରାଳଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ା ଡ. ଅମୀୟ ମହାନ୍ତି ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଫାଉଣ୍ଡେସନ୍ ପକ୍ଷରୁ ବିଶିଷ୍ଟ କବି ଅମରେଶ ପଟ୍ଟନାୟକଙ୍କୁ ଅବନୀ ବରାଳ ସାହିତ୍ୟ ସମ୍ମାନ ଏବଂ ‘ନାଟ୍ୟଚେତନା’ର ପ୍ରତିଷ୍ଠାତା, ନାଟ୍ୟ ନିର୍ଦ୍ଦେଶକ ତଥା ସଂସ୍କୃତିକର୍ମୀ ସୁବୋଧ ପଟ୍ଟନାୟକଙ୍କୁ ଆଦରମଣୀ ମଂଚକଳା ସମ୍ମାନ ପ୍ରଦାନ କରାଯାଇଥିଲା ।
ଫାଉଣ୍ଡେସନ୍ ପକ୍ଷରୁ ଅଧ୍ୟାପକ ଆଭାସ ବରାଳ, ଆହୁତି ବରାଳ ଓ ଆରତି ବରାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସକାଳେ ଖୋର୍ଦ୍ଧା ସହରରେ ସ୍ଥାପିତ ଓ ନବନିର୍ମିତ ଅବନୀ ବରାଳଙ୍କ ଏକ ପ୍ରତିମୂର୍ତ୍ତି ଅନାବରଣ ହୋଇଥିଲା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ବିଧାୟକ ଜିତୁ ମିତ୍ର ଓ ପ୍ରଫେସର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
No Result
View All Result