ମୃତ୍ୟୁଞ୍ଜୟ ବୈଦ୍ୟ ସଂଘରେ ଧନ୍ୱନ୍ତରୀ ପୂଜା ଓ ସାଧାରଣ ସଭା

ଓଡ଼ିଶା ତାଜା ନ୍ୟୁଜ୍ (୩ ନଭେମ୍ବର ବୁଧବାର) କଳାହାଣ୍ଡି :- କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଦିବ୍ୟ ଚିକିତ୍ସା ଶାସ୍ତ୍ର ଆୟୁର୍ବେଦର ଅଧିପତି ଦେବତା ଶ୍ରୀ ଧନ୍ୱନ୍ତରୀ ମହାପ୍ରଭୁଙ୍କ ପୂଜନ ଉତ୍ସବ ଅନୁଷ୍ଠିତ ହୁଏ । ଏହି କ୍ରମରେ କେସିଙ୍ଗା ବ୍ଳକ ଅନ୍ତର୍ଗତ କିକିଆ କଟାପଡା ଆମ୍ବ ବଗିଚାରେ ମୃତ୍ୟୁଞ୍ଜୟ ବୈଦ୍ୟ ସଂଘର ଆନୁକୁଲ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେସିଙ୍ଗା, ଭବାନୀପାଟଣା, ନର୍ଲା, କୋକସରା ବ୍ଲକର ଶତାଧିକ ବୈଦ୍ୟମାନେ ଯୋଗଦେଇ ଧନ୍ୱନ୍ତରୀ ପୂଜା ସହ ଏକ ସାଧାରଣ ସଭାରେ ଏକତ୍ରିତ ହୋଇଥିଲେ ।

ସଭାରେ ମୁଖ୍ୟ ଅତିଥି ରୂପେ ପଲମ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ା ରାଜେଶ କୁମାର ସାହୁ ଯୋଗଦାନ କରି ଆୟୁର୍ବେଦ ଶାସ୍ତ୍ରରେ ରୋଗର ନିରାକରଣ ଓ ବିଭିନ୍ନ ରୋଗର ଲକ୍ଷଣ ଉପରେ ଆଲୋକପାତ କରିଥିଲେ। ମୃତ୍ୟୁଞ୍ଜୟ ବୈଦ୍ୟ ସଂଘର ସଭାପତି ଦ୍ବାରିକା ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ ।

ସଂଘର ସମ୍ପାଦକ ତ୍ରିଲୋକ୍ୟ ପଧାନ, ବୈଦ୍ୟ ସରୋଜ ପଧାନ, ଜଗନ୍ନାଥ ମୁନି, ମୋହନ ନାଏକ, କିରଣ ଚନ୍ଦ୍ର ଭୋଇ, କୁଶ ସିଂ, ଦୁର୍ଗା ପଧାନ, ଧର୍ମାନନ୍ଦ ପଧାନ, କେଶବ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦାନ କରି ଆୟୁର୍ବେଦ ଔଷଧର ପ୍ରସ୍ତୁତି ଓ ଔଷଧୀୟ ବୃକ୍ଷ ଚିହ୍ନଟ ଉପରେ ଆଲୋଚନା କରିଥିଲେ।