ଓଡ଼ିଶା ତାଜା ନ୍ୟୁଜ୍ (୨ ନଭେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ଭୁବନେଶ୍ୱର ସ୍ଥିତ ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ (ସ୍ୱତନ୍ତ୍ର ଅପରେସନ) ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ କରାଯାଇଛି । ଆଜି ପୂର୍ବାହ୍ଣରେ ବିଜୟ ମଶାଲକୁ ୧୨୦ ବାଟାଲିୟନ ତରଫରୁ କର୍ଣ୍ଣେଲ ଯଶୱନ୍ତ ସିଂ ସାମରିକ ମର୍ଯ୍ୟାଦାର ସହ ପାଇପ୍ ବ୍ୟାଣ୍ଡ ଶୋଭାଯାତ୍ରା ମଧ୍ୟରେ ସେନା ସୁରକ୍ଷାବଳ(ବି.ଏସ୍.ଏଫ) କାର୍ଯ୍ୟାଳୟରେ ପହଁଚାଇଥିଲେ । ସୀମା ସୁରକ୍ଷା ବଳର ଉପ ମହା ନିରୀକ୍ଷକ (ବି.ଏସ୍.ଏଫ୍) ଶ୍ରୀ ଧୀରେନ୍ଦ୍ର କୁମାର ମଶାଲକୁ ଭବ୍ୟ ସମ୍ମାନର ସହ ଗ୍ରହଣ କରିବା ପରେ ଏହାକୁ କାର୍ଯ୍ୟାଳୟ ଠାରେ ଅବସ୍ଥାପିତ କରାଯାଇଥିଲା ।
ଏଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉପ ମହାନିରୀକ୍ଷକ ଶ୍ରୀ କୁମାର ବି.ଏସ୍.ଏଫ୍ ର ଯବାନମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ, ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ସୀମା ସୁରକ୍ଷା ବଳ, ଭାରତୀୟ ପଦାତିକ ବାହିନୀ ସହ ସମ ତାଳରେ ବାୟୁସେନା ଏବଂ ନୌସେନା ସହିତ ସାମିଲ ହୋଇ ବୀରତ୍ୱର ଉଲ୍ଲେଖନୀୟ ପରାକାଷ୍ଟା ବଳରେ ପାକିସ୍ତାନକୁ ପରାସ୍ତ କରିଥିଲେ । ଏହି ବିଜୟ ଫଳରେ ବାଂଲାଦେଶ କିପରି ଏକ ନୂତନ ରାଷ୍ଟ୍ର ଭାବେ ଜନ୍ମ ନେଇଥିଲା, ସେ ସଂପର୍କରେ ଆଲୋକପାତ କରିଥିଲେ ।
ଏହି ଯୁଦ୍ଧରେ ଅସାଧାରଣ ବୀରତ୍ୱ ପ୍ରଦର୍ଶନ କରିଥିବା ବାୟୁସେନା, ନୌସେନା ସହ ସୀମା ସୁରକ୍ଷା ବଳର ବୀର ଯବାନମାନଙ୍କୁ ବୀର ଚକ୍ର, ପରମବୀରଚକ୍ର ଆଦି ସମ୍ମାନରେ ଭୂଷିତ କରାଯାଇଥିବା ସଂପର୍କରେ ସେ ବିଶେଷ ଭାବେ ବର୍ଣ୍ଣନା କରିଥିଲେ । ଯୁଦ୍ଧରେ ପ୍ରାଣବଳି ଦେଇଥିବା ଭାରତୀୟ ବୀର ଯବାନମାନଙ୍କର ତ୍ୟାଗ ଓ ଆତ୍ମୋତ୍ସର୍ଗ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ସେନା ବଳ ଦରଫରୁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।