କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧିକୁ ନେଇ ବିଡିଓ ଓ ବିଇଓଙ୍କୁ ଦାବିପତ୍ର

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) କଳାହାଣ୍ଡି :- ଲାଞ୍ଜିଗଡ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ହୋଇ ଥିବାବେଳେ ଏହି ଦୁର୍ଗମ ଅଂଚଳରେ ଅନେକ କୋମଳମତି ଶିଶୁ ଶିକ୍ଷାଲାଭ କରୁଥିବା ବେଳେ ଏହି ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ l ଶିକ୍ଷକ ମାନେ ଅନେକ ଝଡଝଞ୍ଜା ମଧ୍ୟରେ ଦୁର୍ଗମ ଅଂଚଳରେ ଶିକ୍ଷାଦାନ କରୁ ଥିଲେ ହେଁ ସେମାନଙ୍କ ମାସିକ ଦରମା ଆବଶ୍ୟକ ଅନୁସାରେ ପାଇପାରୁ ନାହାନ୍ତି l ଏହାକୁ ନେଇ ଆଜି ଲାଞ୍ଜିଗଡ ବ୍ଲକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ବିଡ଼ିଓ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l

ସେମାନଙ୍କ ଦାବି ହେଉଛି ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କନିଷ୍ଠ ଶିକ୍ଷକ ମାନଙ୍କୁ ଭୁଁଆ ବୁଲାଇ ଆସୁଛନ୍ତି l ବଜାରର ଦର ଦାମ ବୃଦ୍ଧି ପାଉଥିବା ବେଳେ ମାସିକ ଦରମା ୬୫୧୨ ଟଙ୍କାରେ ପରିବାର ପ୍ରତିପୋଷଣ କିଭଳି ହବ ସେ ନେଇ ଶିକ୍ଷକମାନେ ଚିନ୍ତା ପ୍ରକଟ କରିଛନ୍ତି l ୨୦୧୬ ମସିହା ଠାରୁ ଦୀର୍ଘ ୫ ବର୍ଷ ହେଲା କନିଷ୍ଠ ଶିକ୍ଷକମାନେ ପାରିଶ୍ରମିକ ବୃଦ୍ଧି ପାଇଁ ବାରମ୍ବାର ଅଭିଯୋଗ କରୁ ଥିଲେ ହେଁ କର୍ଣ୍ଣପାତ କରୁନାହାନ୍ତି ରାଜ୍ୟ ସରକାର l ଏଥି ପାଇଁ କନିଷ୍ଠ ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି l ଏଥିପାଇଁ ଲାଞ୍ଜିଗଡ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଏକ ଶୋଭା ଯାତ୍ରାରେ ବାହାରି ବିଡ଼ିଓ, ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l

ଶୋଭାଯାତ୍ରାରେ ସଂଘ ସଭାପତି ଚନ୍ଦନ ସାହୁ, ଉପସଭାପତି ମିହିର ତରାଇ, କାର୍ଯ୍ୟକାରି ସଭାପତି ରତିକାନ୍ତ ସେଠି, ସମ୍ପାଦକ ଦେବାଶିଷ ସେଠି ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ମୀନକେତନ ତାଣ୍ଡି ଓ ଝରଣା ପାତ୍ର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l