ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ କୁଶୁପଙ୍ଗି ପଞ୍ଚାୟତରେ ଭିଜିଲାନ୍ସ ତଦନ୍ତ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଅକ୍ଟୋବର ବୁଧବାର ) ବାଙ୍କୀ :- ଡମପଡ଼ା ବ୍ଲକ କୁଶୁପଙ୍ଗି ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ସାମାଜିକ କର୍ମୀ ସୁଶାନ୍ତ କୁମାର ଜେନା କୁଶୁପଙ୍ଗି ପଞ୍ଚାୟତରେ ହୋଇଥିବା ମନେରେଗା ଯୋଜନାରେ ୩୭ଗୋଟି ପ୍ରକଳ୍ପ ଦୁର୍ନିତି ସଂପର୍କରେ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଭିଜିଲାନ୍ସ୍ ଇନିସ୍ପେକ୍ଟର ଅନୁପମା ସାହୁଙ୍କ ନେତୃତ୍ୱରେ ବୈଶୟିକ ପ୍ରତିନିଧିଦଳ ଆସି କୁଶୁପଙ୍ଗିପଞ୍ଚାୟତର କାର୍ଯ୍ୟାଳୟ ଠାରେ ଆଜି ପ୍ରଥମ ଦିନରେ ୩ଗୋଟି ପ୍ରକଳ୍ପର ଦୁର୍ନିତି ଅଭିଯୋଗ ହୋଇଥିବା ସଂପର୍କରେ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ ।

ଏହାପରେ ପଞ୍ଚାୟତ କାର୍ଯ୍ୟାଳୟ ପଛପଟେ ମାଟି ଫିଲିଂ ସଂପର୍କରେ ତନଖି କରିବା ସହିତ ମାପଚୁପ କରିଥିଲେ । କୁଶୁପଙ୍ଗି ପଞ୍ଚାୟତରେ ଭିଜିଲାନ୍ସ ତଦନ୍ତ ପାଇଁ ଭାରତୀୟ ଜାତିୟ କଂଗ୍ରେସ ଓ ବିଜେପି ଦଳପକ୍ଷରୁ ପୃଥକ ପୃଥକ ଭାବେ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ପାଖରେ ଦାବି କରାଯାଇଥିଲା । ମାତ୍ର ଘଟଣା ସଂର୍ପକରେ ଏପର୍ଯ୍ୟନ୍ତ ତଦନ୍ତ ହୋଇ ନାହିଁ । ଅଭିଯୋଗ ହୋଇଥିବା ସମସ୍ତ ପ୍ରକଳ୍ପର ତଦନ୍ତ ସରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତ କାରି ଅଧିକାରିଣୀ ପ୍ରକାଶ କରିଛନ୍ତି । ଲୋକାୟୁକ୍ତଙ୍କ ତଦନ୍ତ ଠିକ୍ ଭାବେ ହେବା ପାଇଁ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ତଥା ରାଜ୍ୟ କଂଗ୍ରେସ ଉପସଭାପତି ଡଃ.ଦେବାଶିଷ ପଟ୍ଟନାୟକ ଦାବି କରିଛନ୍ତି ।