କନ୍ୟାସନ୍ତାନ ଭୃଣ ହତ୍ୟା ଓ କୁମାରୀ ବିବାହ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର ପ୍ରୟାସ ଗଢ଼ାହେବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଓଡ଼ିଶା ତାଜା ନ୍ୟୁଜ୍ (୨୫ ଅକ୍ଟୋବର ସୋମବାର) ନୟାଗଡ଼ :– ନୟାଗଡ଼ ଜିଲ୍ଲାରେ କନ୍ୟାସନ୍ତାନ ଭୃଣ ହତ୍ୟା ନିବାରଣ ଓ କୁମାରୀ ବିବାହ ରୋକିବା ପାଇଁ ଟାସ୍କଫୋର୍ସ ଢାଂଚାରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠିତ ହେବ । ଏହି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନ ଓ ବିଶେଷକରି ଗ୍ରାମାଂଚଳରେ ଝିଅମାନେ ସଅଳ ବିବାହ କରୁଥିବା କଥାକୁ ରୋଧ କରିବା ସହ ଝିଅମାନଙ୍କ ଉଚ୍ଚଶିକ୍ଷା ଲାଭ ଓ ସ୍ୱାବଲମ୍ବନଶୀଳ ଉପରେ ସଚେତନତା ସୃଷ୍ଟି କରିବେ । ଏହା ସହ କନ୍ୟାସନ୍ତାନ ଭୃଣହତ୍ୟା ପରି ଗୁରୁତ୍ୱପୂର୍ଣ ବିଷୟକୁ ଅଗ୍ରାଧିକାର ଦିଆଯିବ । ଏ ସଂକ୍ରାନ୍ତରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ଆହୁତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ନିଷ୍ପତି ନିଆଯାଇଛି ।

ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକର ସୂଚନା ଅନୁସାରେ କନ୍ୟାସନ୍ତାନ ଭୃଣହତ୍ୟା ନିରୋଧ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସଚେତନତା ସୃଷ୍ଟି ଓ ପୋଲିସ ପ୍ରଶାସନ ଦ୍ୱାରା ତୀକ୍ଷଣ ଅନୁଧ୍ୟାନ ସତ୍ୱେ ଅନେକ କ୍ଷେତ୍ରରେ ଲୋକେ କନ୍ୟାସନ୍ତାନ ଭୃଣହତ୍ୟା ପରି ଅପରାଧ କରୁଛନ୍ତି । ଏପରିକି ଛଅମାସର ଗର୍ଭକୁ ମଧ୍ୟ ପ୍ରି- ନାଟାଲ ଡାଏଗ୍ନୋଷ୍ଟିକ୍ ଜରିଆରେ ନଷ୍ଟ କରି ଦିଆଯାଉଛି । ଜିଲ୍ଲାରେ ଲିଙ୍ଗ ଅନୁପାତ ହାର ସନ୍ତୋଷ ଜନକ ଥିଲେ ମଧ୍ୟ ଯେଉଁ କେତେକ ସ୍ଥାନରେ ଏପରି ଆଇନ ବିରୁଦ୍ଧ କାର୍ଯ୍ୟ କରାଯାଉଛି ତାହାକୁ ସଂପୂର୍ଣ ମୂଳପୋଛ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛନ୍ତି ।

ତଥ୍ୟ ମୁତାବକ ୨୦୧୧ ଜନଗଣନା ଅନୁସାରେ ଜନ୍ମରୁ ୬ବର୍ଷ ପର୍ଯ୍ୟନ୍ତ ସର୍ବଭାରତୀୟ ସ୍ତରରେ ପୁଅ ଓ ଝିଅଙ୍କ ଲିଙ୍ଗଗତ ହାର ୯୧୯ ଥିଲାବେଳେ ଓଡ଼ିଶାରେ ୯୪୧ ଓ ନୟାଗଡ଼ ଜିଲ୍ଲାରେ ୮୫୫ ଅଟେ । ଏହି କ୍ରମରେ ସମୁଦାୟ ପୁଅଙ୍କ ସଂଖ୍ୟା ୫୭୫୯୯ ଓ ଝିଅଙ୍କ ସଂଖ୍ୟା ୪୯୨୭୨ । ୨୦୧୧ ଜନଗଣନା ଅନୁସାରେ ସବୁ ବୟସ ପାଇଁ ଉଭୟ ପୁରୁଷ ଓ ମହିଳାଙ୍କ ସଂଖା ନୟାଗଡ଼ ଜିଲ୍ଲାରେ ଯଥାକ୍ରମେ ୫୦୨, ୬୩୬ ଓ ୪୬୦,୧୫୩ ଏବଂ ଲିଙ୍ଗ ଅନୁପାତ ୯୧୫ ଅଟେ । ସେହିପରି ୨୦୧୨-୧୩ ବାର୍ଷିକ ସ୍ୱାସ୍ଥ୍ୟ ସର୍ଭେ ( ସବୁ ବୟସ ଓ ବର୍ଗ) ପାଇଁ ଲିଙ୍ଗ ଅନୁପାତ ୯୫୭ ଥିଲାବେଳେ ଏହି ସର୍ଭେର ଜନ୍ମରୁ ୪ବର୍ଷ ବୟସ ପର୍ଯ୍ୟନ୍ତ ବର୍ଗ ପାଇଁ ଲିଙ୍ଗ ଅନୁପାତ ୮୩୮ ଓ ଜନ୍ମ ସମୟରେ ୮୩୧ ଥିଲା ।

ଜାତୀୟ ସ୍ୱାସ୍ଥ୍ୟ ସର୍ଭେ-୪ ୨୦୧୫-୧୬ ( ସବୁ ବୟସ ବର୍ଗ) ରିପୋର୍ଟରେ ଲିଙ୍ଗ ଅନୁପାତ ନୟାଗଡ଼ ଜିଲ୍ଲାରେ ୧୦୦୯ ଥିଲାବେଳେ ଜାତୀୟ ସ୍ୱାସ୍ଥ୍ୟ ସର୍ଭେ-୪ ବିଗତ ୫ବର୍ଷର ରିପୋର୍ଟ ଅନୁସାରେ ଲିଙ୍ଗ ଅନୁପାତ ୭୨୫ ଥିଲା । ସମୀକ୍ଷାରୁ ପ୍ରାପ୍ତ ସୂଚନା ଅନୁସାରେ ଜିଲ୍ଲାରେ ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ ପଂଜୀକରଣ ପାଇଁ ବା ରେଜିଷ୍ଟ୍ରେସନ ନବୀକରଣ ପାଇଁ ସମସ୍ତ ଆବେଦନ ଗୁଡ଼ିକୁ ଗ୍ରହଣ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ଓ ଗତ ଜାନୁଆରୀ ମାସରୁ ଅନଲାଇନ ବ୍ୟବସ୍ଥାରେ ଆବେଦନପତ୍ର ଗୁଡ଼ିକର ପଂଜୀକରଣ କରାଯାଉଛି ।

ଏହା ବ୍ୟତୀତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ୨ ନିର୍ଦ୍ଦେଶକ୍ରମେ ଅଲଟ୍ରାସାଉଣ୍ଡ୍ ଡାଏଗ୍ନୋଷ୍ଟିକ୍ କ୍ଲିନିକ୍‌ର ରେଫରାଲ ରିପୋର୍ଟ ଓ ପ୍ରି-ନାଟାଲ ଡାଏଗ୍ନୋଷ୍ଟିକ୍ ପାଇଁ ଫର୍ମ-୮କୁ ପରୀକ୍ଷା ଓ ତର୍ଜମା କରିବା ପାଇଁ ଏକ କ୍ୱାଲିଟି ଭେରିଫାଇଙ୍ଗ୍ କମିଟି ଗଠନ କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଶକ୍ତିପ୍ରାସଦ ମିଶ୍ର, ଜିଲ୍ଲା ନୋଡାଲ ଅଫିସର ଡା.ସୁବାସ ଚନ୍ଦ୍ର ନାୟକ,ଜିଲ୍ଲା ପ୍ରୋଗ୍ରାମ ଅଫିସର(ସ୍ୱାସ୍ଥ୍ୟ) ଶ୍ରୀ ନିତ୍ୟ ରଂଜନ ବରାଳ, ଶ୍ରୀ ରବିନ୍ଦ୍ର ପ୍ରଧାନ, ଜିଲ୍ଲା ସ୍କୁଲ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।