୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ଆୟୋଜିତ ହେଉଥିବା “ଆଜାଦୀ କା ଅମୃତ ମହୋତ୍ସବ”

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର :- ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆମ ରାଜ୍ୟର ପ୍ରଲୁବ୍ଧ ଲୋକକଳାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ମାସରେ ଗୋଟେ ଦିନ ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏବର୍ଷ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ଆୟୋଜିତ ହେଉଥିବା “ଆଜାଦୀ କା ଅମୃତ ମହୋତ୍ସବ”ପରିପ୍ରେକ୍ଷୀରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ବିଭାଗ ତରଫରୁ ଏହି ସ୍ବତନ୍ତ୍ରତାର ମହୋତ୍ସବ ପାଳନକୁ ଚିରସ୍ମରଣୀୟ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

 

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ (ଭା. ପ୍ର. ସେ)ଙ୍କ ପୌରହିତ୍ୟରେ ସନ୍ଧ୍ୟା ୬ ଟାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଓ ସମ୍ମାନିତ ଅତିଥି ରୂପେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉପ ଶାସନ ସଚିବ ସଂଜୟ ମିଶ୍ର, ଅନୁସଚିବ ଲକ୍ଷ୍ମୀଧର ବେହେରା, ଶୁଭଶ୍ରୀ ପ୍ରଧାନ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଓ ରାଜ୍ୟ କଳାକାର ମହାସଂଘ ଉପସଭାପତି ଶ୍ରୀଯୁକ୍ତ ଅବନୀ କୁମାର ମିଶ୍ର ଉପସ୍ଥିତ ଥିଲେ । ନୟାଗଡ଼ ଜିଲ୍ଲା ଦଶପଲ୍ଲାର ସିଂହବାଦ୍ୟ ପ୍ରଦର୍ଶନ କରାଯାଇଥିଲା । ସେହିପରି ଖୋର୍ଦ୍ଧାର ଘୋଡ଼ାନାଚ ପରିବେଷଣ କରାଯାଇଥିଲା । କରୋନା ମହାମାରୀ ସମୟରେ ମଧ୍ୟ ଲୋକକଳାକାର ମାନେ ଆବେଗାତ୍ମକ ସମ୍ପର୍କ ଅତୁଟ ରଖି ସାଧାରଣ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟି ନିଜର ସାମାଜିକ ସାମାଜିକ ଦାୟିତ୍ୱ ସମ୍ପାଦନ କରିଥିଲେ ବୋଲି ନିଜ ବକ୍ତବ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ ।

ଓଡ଼ିଶାର ବିଭବ ଆମ ଲୋକକଳାର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ସମଗ୍ର ଭାରତରେ ଅନନ୍ୟ ଓ ଆଦର୍ଶ ଓ ଏହାର ବିକେନ୍ଦ୍ରୀକରଣ କରାଯାଇ କେବଳ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସୀମିତ ନରଖି ପ୍ରତ୍ୟେକ ଜିଲ୍ଲାରେ ସେହି ସବୁ ଜିଲ୍ଲା ମାନଙ୍କରେ ଥିବା ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ଆମ ଲୋକ କଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ସ୍ଥିରୀକୃତ ହୋଇଥିବା ନିଜ ବକ୍ତବ୍ୟରେ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସୂଚନା ଦେଇଥିଲେ ।

କୋଭିଡ ନିୟମ ଅନୁପାଳନ ପୂର୍ବକ ଦର୍ଶକଙ୍କୁ ନେଇ ଆୟୋଜିତ ହେଇଥିବା ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଘରେ ବସି ଅନେକ ଦର୍ଶକ ବିଭାଗର ଅଫିସିଆଲ ଫେସବୁକ ପେଜ ଓ ୟୁଟ୍ୟୁବ ଚ୍ୟାନେଲରେ ଦେଖିଥିଲେ । ପରିଶେଷରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବାସୁଦେବ ମାଳବିଶୋଇ ଲୋକକଳା ଆମ ସ୍ୱତନ୍ତ୍ର ପରିଚାୟକ ହେଇଥିବାରୁ ଏହାର ପ୍ରଚାର ପ୍ରସାର ଓ ଆଦର ଆମ ଗୌରବବୃଦ୍ଧି ଦିଗରେ ସହାୟକ ହେବ ବୋଲି ମତବ୍ୟକ୍ତ କରି ଧନ୍ୟବାଦ ଅର୍ପଣ କରିଥିଲେ ।