ଓଡ଼ିଶା ତାଜା ନ୍ୟୁଜ୍ (୧୯,ଅକ୍ଟୋବର,ମଙ୍ଗଳବାର) ବଲାଙ୍ଗିର :- ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରା ପଡ଼ିଛି । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଗୋବିନ୍ଦ ଲୁଚିଥିଲା । ଗାଁ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦ ସାହୁକୁ ଧରିଛି । ଶିକ୍ଷୟିତ୍ରୀ ନିଖୋଜରେ ଗୋବିନ୍ଦଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ତତ୍ପର ହୋଇଥିଲା ସିନ୍ଧେଇକେଲା ପୁଲିସ୍ । ଆଉ ୧୪ ତାରିଖରେ ପୁଲିସ୍ ଗୋବିନ୍ଦକୁ ଉଠାଇ ଆଣିଥିଲା । ଦୀର୍ଘ ସମୟ ଧରି ଶିକ୍ଷୟିତ୍ରୀ ନିଖୋଜ ସମ୍ପର୍କରେ ପୁଲିସ ତାକୁ ପଚରାଉଚରା କରିଥିଲା । ତେବେ ସୋମବାର ହାତ ଧୋଇବା ବାହାନା କରି ପୁଲିସକୁ ଚମକା କରି ବାରାକରୁ ଚମ୍ପଟ୍ ମାରିଥିଲା ଗୋବିନ୍ଦ ।
ପୁଲିସ୍ କବଜାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବାକୁ ନେଇ ଜିଲ୍ଲାରେ ଆଲୋଡ଼ନ ଖେଳିଯାଇଥିଲା । ଏଥିପାଇଁ ପୁଲିସ୍ ନାନା ସମାଲୋଚନାର ଶିକାର ମଧ୍ୟ ହୋଇଥିଲା । ଶେଷରେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ପରେ ପୁଲିସ ଗୋବିନ୍ଦକୁ ଧରିବା ପାଇଁ ଅଣ୍ଟା ଭିଡ଼ିଥିଲା । ଏଥିପାଇଁ ପୁଲିସ୍ ତିନୋଟି ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିଲା । ତଥାପି ଗୋବିନ୍ଦ ପୁଲିସ୍ ଜାଲରେ ପଡ଼ିନଥିଲା । ଏହାରି ଭିତରେ ଗୋବିନ୍ଦକୁ ଧରାଇଦେବା ପାଇଁ ପୁଲିସ୍ ପୁରସ୍କାର ରାଶିର ଘୋଷଣା କରିଥିଲା । ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦକୁ ଧରାଇ ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ପୁଲିସ ।
ଏହି ଘୋଷଣାର କିଛି ସମୟ ପରେ ପୁଲିସ କବଜାକୁ ଆସିଛି ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ । ସେ ଏକ ଆଖୁବାଡ଼ିରେ ଲୁଚିଥିବା ଗାଁ ଲୋକଙ୍କ ଠାରୁ ଖବର ପାଇ ପୁଲିସ ତାକୁ ଧରିଛି । ପୁଲିସ୍ ତା’ ଠାରୁ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ତଥ୍ୟ ହାସଲ କରିବ ବୋଲି ଅନୁମାନ କରାଯାଉଛି । ସୋମବାର ପୁଲିସ୍ ତଥ୍ୟ ଆଧାରରେ ପୁଲିସ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମରେ ଖୋଳିଥିଲା । ଆଉ ପାଇଥିଲେ ଏକ ପୋଡ଼ା ଯାଇଥିବା ମୃତଦେହ । ଏଥିସହ ପାଉଁଜି, ସୁନା ଚେନ୍ ଓ ବ୍ୟାଗ ମିଳିଥିଲା । ଏ ସବୁ ସାମଗ୍ରୀ ମମିତାର ବୋଲି ପରିବାର ଲୋକେ ଚିହ୍ନିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ପଡ଼ିଆରେ ମମିତାଙ୍କୁ ପୋଡ଼ାଯାଇ ପୋତା ଯାଇଥିଲା, ସେହି ପଡ଼ିଆରେ ଷ୍ଟାଡିୟମ୍ ନିର୍ମାଣ କରିବାର ଦାୟିତ୍ୱ ନେଇଥିଲା ଗୋବିନ୍ଦ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରମାଣ ନଷ୍ଟ କରିବା ପାଇଁ ଗୋବିନ୍ଦ ସବୁ ପ୍ରକାର ବ୍ୟବସ୍ଥା କରିଥିଲା । ହେଲେ ଦୁର୍ଭାଗ୍ୟକୁ ତା’ପୂର୍ବରୁ ସବୁ ପ୍ରକାର ଖେଳ ଖତମ ହୋଇଗଲା ।