No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୫ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର ,କଟକ/ରିପୋର୍ଟ – ଅଭିମନ୍ୟୁ :- ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଓଡ଼ିଶା ଭଳି ବିଭିନ୍ନ ଭାରତୀୟ ରାଜ୍ୟରେ ଏହା ଦଶେରା, ନବରାତ୍ରି, ଦୁର୍ଗା ପୂଜା ନାମରେ ସମାନ ସମୟରେ ପାଳିତ । ଏହା ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି ଦୁର୍ଗା ପୂଜା ଅଥବା ଉତ୍ତର ଭାରତରେ ପାଳିତ “ନବରାତ୍ରି” ସହିତ ପାଳିତ ହୋଇଆସୁଛି । ଦଶହରା ଅବସରରେ ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ଅରି ପରାହତ ନିମନ୍ତେ ବ୍ୟବହାର ହୋଇଥିବାରୁ ଖଣ୍ଡା, ଢାଲ ଆଦି ଉପକରଣ ତଥା ନଥିକରଣରେ ମୁଖ୍ୟ ଭୂମିକା ନିଭାଇଥିବାରୁ କରଣୀ ଆଦି ଉପକରଣକୁ ଏହି ଦିନ ପୂଜା କରାଯାଇଥାଏ । ଏହା ଓଡ଼ିଶାର ବିଭିନ୍ନ ଜାତିର ଲୋକଙ୍କ କୌଳିକ ପେଷାର ଉପକରଣମାନଙ୍କ ପ୍ରତି ଅଙ୍ଗୀକାରବଦ୍ଧତାକୁ ଦର୍ଶାଇବା ନିମନ୍ତେ ପାଳିତ ହୋଇଥାଏ ।

ଦୁର୍ଗା ପୂଜା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ । ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି – ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।

ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ସାମ୍ରାଜ୍ୟର ରାଜା ଖ୍ରୀ:ପୂ ୩୦୦ରେ ଦୁର୍ଗାପୂଜା ଆରମ୍ଭ କରିଥିଲେ । କିନ୍ତୁ ଐତିହାସିକ ଉଦାହରଣରୁ ଜାଣି ବାକୁ ମିଳେ ଚୈତନ୍ୟ ମହାପ୍ରଭୁ ପ୍ରାୟ ୪୦୦ ବର୍ଷ ପୂର୍ବେ କଟକରେ ଏହି ପୂଜା ଆରମ୍ଭ କରିଥିଲେ । ଚୈତନ୍ୟଦେବ ନଦିଆଠାରୁ ବାହାରି ବାଟରେ ରହି ରହି ଆସୁଥିଲେ । କଟକ ରହଣି କାଳରେ ସେ ସ୍ଥାନୀୟ ବିନୋଦବିହାରୀ ପୀଠରେ ରହି ୧୫୦୯ ମସିହାରେ ପ୍ରଥମେ ମା’ଙ୍କ ଘଟପୂଜା ଆରମ୍ଭ କରିଥିଲେ । ଚୈତନ୍ୟ ଦେବଙ୍କ ସହିତ ଆସିଥିବା ଅନୁଗାମୀମାନଙ୍କ ମଧରୁ କେତେଜଣ ଏହି ପୂଜାକୁ ସାର୍ବଜନୀନ କରିବା ପାଇଁ ମା’ଙ୍କ ମୂର୍ତ୍ତି ପୂଜା ଆରମ୍ଭ କଲେ । ୧୮୩୨ ମସିହାରେ କାଜିବଜାରର କେତେକ ଓଡ଼ିଆ ଓ ବେଙ୍ଗଲୀ କର୍ମଜୀବୀ ଯେଉଁମାନେ ଇଂରେଜ ସରକାରଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀରେ କାମ କରୁଥିଲେ ସାର୍ବଜନୀନ ଭାବେ ମା’ଙ୍କ ମୂର୍ତ୍ତି ପୂଜାକଲେ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗା ପୂଜାକୁ ବିଜୟାଦଶମୀ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ଦଶହରା ।

ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକ, ସାଧାରଣ ସମ୍ପାଦକ “ନୀଳଶୈଳ” ଏବଂ “ବିଶ୍ବ ଓଡ଼ିଆ ସମ୍ମିଳନୀ”
No Result
View All Result