ନବମୀ’ ଚନ୍ଦ୍ରପକ୍ଷର ନବମ ଦିବସ :-
ଓଡ଼ିଶା ତାଜା ନ୍ୟୁଜ୍ (୧୪ ଅକ୍ଟୋବର ଗୁରୁବାର ) ଭୁବନେଶ୍ୱର ,କଟକ/ରିପୋର୍ଟ – ଅଭିମନ୍ୟୁ :- ଚନ୍ଦ୍ରର ନବମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ଅଷ୍ଟମୀର ପରବର୍ତ୍ତୀ ଓ ଦଶମୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ନବମୀକୁ କୃଷ୍ଣା ନବମୀ ଓ ଶୁକ୍ଳ ପକ୍ଷର ନବମୀକୁ ଶୁକ୍ଳା ନବମୀ କୁହାଯାଇଥାଏ । ଆଶ୍ୱିନ ଶୁକ୍ଳନବମୀ ମହାନବମୀ ଶାରଦୀୟା ଦୁର୍ଗା ପୂଜାର ତୃତୀୟ ବା ଶେଷ ଦିବସ । ଅଷ୍ଟମୀର ଶେଷ ଦଣ୍ଡ ଓ ନବମୀର ପ୍ରଥମ ଦଣ୍ଡ (୨୪+୨୪=୪୮ମିନିଟ) ସନ୍ଧିକ୍ଷଣରେ ପୂଜା କଲେ । ଏହାକୁ ‘ସନ୍ଧିପୂଜା’ କୁହାଯାଏ । ଚାମୁଣ୍ଡା ଦେବୀଙ୍କ ସହାୟତାରେ ଶ୍ରୀରାମଚନ୍ଦ୍ର ଏହି ‘ସନ୍ଧିପୂଜା’ କରିଥିଲେ । ଏହି ପୂଜା ପରେ ଅର୍ଥାତ୍ ନବମୀ ଦିନ ଦେବୀ ଜାଗ୍ରତ ହେଲେ ଏବଂ ପୁନର୍ବାର ‘କୁମାରୀ’ ରୂପରେ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ ଦେଲେ । ତେଣୁ ନବମୀ ଦିନ କୁମାରୀ ପୂଜାର ପ୍ରଚଳନ ଅଛି ।

କୁମାରୀ ସାକ୍ଷାତ ଯୋଗିନୀ, ପରମାଦେବୀ ପୁଣି ପରମପ୍ରକୃତି । ଶ୍ରୀ ଶ୍ରୀ ଚଣ୍ଡୀରେ ଉଲ୍ଲେଖ ଅଛି “ସ୍ତ୍ରୀୟା ସମସ୍ତା ସକଳ ଜଗତ ସୁ” ଅର୍ଥାତ୍ ସମସ୍ତ ସ୍ତ୍ରୀ ଜାତି ବ୍ରହ୍ମମୟୀ, ମହାମାୟା ଜଗଜ୍ଜନନୀଙ୍କର ଏକ ଅଂଶ ବିଶେଷ । ପ୍ରତି ନାରୀ ଭଗବତୀଙ୍କ ଅଂଶ ହେଲେ ମଧ୍ୟ କୁମାରୀଙ୍କ ମଧ୍ୟରେ ଭଗବତ୍ ସତ୍ତା ବିଶେଷ ଭାବରେ ପ୍ରକାଶିତ । ତନ୍ତ୍ରମତେ ଷୋହଳ ବର୍ଷ ପର୍ଯ୍ୟନ୍ତ ଅବିବାହିତା କନ୍ୟାଙ୍କୁ କୁମାରୀ କୁହାଯାଏ । ଯେତେଦିନ ପର୍ଯ୍ୟନ୍ତ କନ୍ୟା ଋତୁମତୀ ନହୁଅନ୍ତି ସେତେଦିନ ପର୍ଯ୍ୟନ୍ତ ‘କୁମାରୀ’ ତାହା କୁସୁମପରି ପବିତ୍ର । ତେଣୁ ସେତେଦିନ ପର୍ଯ୍ୟନ୍ତ କନ୍ୟା ଦେବସେବାରେ ନିବେଦିତ ହୋଇପାରିବେ ।

ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ କୁମାରୀ ରୂପରେ ଦର୍ଶନ କରିଥିଲେ ଏବଂ ପୂଜା କରିଥିଲେ ମଧ୍ୟ ପରବର୍ତ୍ତୀକାଳରେ ଶ୍ରୀଶ୍ରୀ ରାମକୃଷ୍ଣ ଓ ତାଙ୍କର ଶିଷ୍ୟ ବିବେକାନନ୍ଦ ଏହାର ବହୁଳ ପ୍ରଚାର କରିଥିଲେ ଏବଂ ରାଣୀ ରାସମଣୀ ଦେବୀଙ୍କଦ୍ୱାରା କୁମାରୀ ପୂଜାକରାଇ ଏହାର ପ୍ରସାର ମଧ୍ୟ କରିଥିଲେ । କାରଣ କୁମାରୀଙ୍କ ମଧ୍ୟରେ ଭଗବତ୍ ସତ୍ତା ଅନୁଭବ କରିଥିଲେ । ଏଣୁ ଦୁର୍ଗାପୂଜାର ନବମୀ ରାତ୍ରିରେ କେତେକ ବ୍ରାହ୍ମଣ ବଂଶୀୟ ସାତରୁ ଆଠ ବର୍ଷର କନ୍ୟାକୁ ପାଦରେ ଅଳତା, ଆଖିରେ କଜ୍ଜଳ ଓ କପାଳରେ ଚନ୍ଦନ ଟିପା ଦେଇ ସୁନ୍ଦର ଭାବରେ ସଜାଇ ନୂତନ ଶାଢ଼ି ପରିଧାନ କରାଇ ବିଭିନ୍ନ ଉପଢ଼ୌକନ ଦେଇ ପୂଜା କରାଯାଏ ।

ଏହାକୁ ‘କୁଆଁରୀ ଲକ୍ଷ୍ମୀ’ ପୂଜା କୁହାଯାଏ । ଓଡ଼ିଶାର ସବୁ ପୂଜାମଣ୍ଡପରେ ନବମୀ ଦିନ କୁମାରୀ ପୂଜା କରା ନ ଗଲେ ମଧ୍ୟ କଟକ ଜିଲ୍ଲାର ପୁନଙ୍ଗ ଗ୍ରାମର ଘୋଷଘର ପୂଜାମଣ୍ଡପରେ ଆବାହମାନକାଳରୁ କୁମାରୀ ପୂଜା ହୋଇଆସୁଛି । କଥିତ ଅଛି, ଯେଉଁମାନେ ଏହି ପୂଜା ଦର୍ଶନ କରନ୍ତି, ସେମାନେ ଚତୁବର୍ଗ ଫଳ ପାଆନ୍ତି । କୁମାରୀ ପୂଜା ହେଉଛି ନାରୀଜାତି ପ୍ରତି ସମ୍ମାନ ପ୍ରଦର୍ଶନର ଏକ ପ୍ରକ୍ରିୟା ମାତ୍ର । ଓଡ଼ିଶା ପ୍ରସିଦ୍ଧ କଟକ ଦୁର୍ଗା ପୂଜା ନବମୀ ଦିନରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ ।

କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି । ଶ୍ରଦ୍ଧାଳୁ ମାନେ ମା ଦୁର୍ଗାଙ୍କର ଏହି ବିରଳ ଭୋଗ ପାଇବା ନିମନ୍ତେ ଅପେକ୍ଷା କରିଥିବା ଗୋଟିଏ ବର୍ଷର ଅନ୍ତ ଘଟିବା ସହିତ ପୁଣି ଆସନ୍ତା ବର୍ଷର ମାଛ ଭୋଗ ପାଇବା ନିମନ୍ତେ ମା ଦୁର୍ଗତିନାସିନୀଙ୍କୁ ସ୍ମରଣ କରିଥାନ୍ତି । ପରଦିନ ଦଶହରା ମହା ଧୁମଧାମରେ ପାଳନ କରାଯାଏ ଏବଂ ଶେଷରେ ମା ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତିକୁ ଜାକଜମକରେ ପଟୁଆର ସହ ଭଷାଣୀ ଉତ୍ସବ ସହ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଥାଏ ।














