No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) ଭୁବନେଶ୍ୱର :- ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତଥା ‘ଗାନ୍ଧିଜୀ ଏବଂ ଓଡିଶା’ ଶୀର୍ଷକ ଆଲୋଚନା ଚକ୍ର ଆଜି ଜୟଦେବ ଭବନଠାରେ ଉଭୟ ମଂଚ ଓ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ୧୯୭୦ ମସିହାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଇଂରାଜୀ ଭାଷାରେ ପ୍ରକାଶିତ ଗାନ୍ଧିଜୀଙ୍କ ଓଡିଶା ଆଗମନ ସଂପର୍କିତ ପୁସ୍ତକ ‘ଗାନ୍ଧିଜୀ ଇନ୍ ଓଡିଶା’ ସଂସ୍କରଣକୁ ଆଜିର ଏହି ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଲୋକାର୍ପଣ କରିଛନ୍ତି । ଜୟଦେବ ଭବନରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବକୁ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଗାନ୍ଧିଜୀଙ୍କର ଓଡିଶା ସହିତ ଭାବଗତ ସଂପର୍କ ରହିଥିଲା । ଗାନ୍ଧିଜୀଙ୍କ ଓଡିଶା ଆଗମନ ଓଡିଶାବାସୀଙ୍କୁ ଧନ୍ୟ କରିଛି । ତାଙ୍କର ବିଚାରଧାରାକୁ ଆଜିର ଉତରପିଢିଙ୍କ ସହିତ ଯୋଡିବାକୁ ସଂକଳ୍ପ ନେବାର ସମୟ ଆସିଛି ବୋଲି ଶ୍ରୀ ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ସଭାପତିତ୍ୱ କରି କହିଲେ ଯେ, ଗାନ୍ଧିଜୀ ଜଣେ ସାଧାରଣ ବ୍ୟକ୍ତି ନଥିଲେ, ସେ ଥିଲେ ବାସ୍ତବରେ ଜଣେ ମହାପୁରୁଷ, ସନ୍ଥ । ତାଙ୍କର ଚିନ୍ତାଧାରା ଆମ ସମୟର ଓ ସେ ସମୟର ବ୍ୟକ୍ତିମାନଙ୍କର ଚିନ୍ତାଧାରାଠାରୁ ଊର୍ଦ୍ଧ୍ୱରେ ଥିଲା । ଗାନ୍ଧିଜୀଙ୍କ ଚିନ୍ତନ ଓ ଦର୍ଶନ ଆମ ଗଣତନ୍ତ୍ରକୁ ପରିପୁଷ୍ଟ କରିଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ ‘ଗାନ୍ଧିଜୀ ଇନ୍ ଓଡିଶା’ ପୁସ୍ତକରେ ଗାନ୍ଧିଜୀଙ୍କ ଓଡିଶାପ୍ରତି ରହିଥିବା ସଂପର୍କ, ଓଡିଶାବାସୀଙ୍କ ଗାନ୍ଧିଜୀଙ୍କ ପ୍ରତି ଆତିଥେୟତା, ଓଡିଶାବାସୀଙ୍କୁ ଭଲ ପାଇବା ଓ ତାଙ୍କର ଅଭିଳଷିତ ଓଡିଶା ଏବଂ ଭାରତ ବର୍ଷର ସ୍ୱପ୍ନ ଉପରେ ଆଲୋକପାତ କରିଥିଲେ ।

ମୁଖ୍ୟ ବକ୍ତା ତଥା ବହୁ ଗାନ୍ଧି ପୁସ୍ତକର ଲେଖକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ପରିଡା ଯୋଗଦେଇ କହିଲେ ଯେ, ଗାନ୍ଧିଜୀ ଓଡିଶାର ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଥିଲେ ା ସେ ଓଡିଶାରେ ଖଦି ଆନ୍ଦୋଳନ, ଲବଣ ସତ୍ୟାଗ୍ରହଠାରୁ ଆରମ୍ଭ କରି ନିଶା ନିବାରଣ,ଅସ୍ପୃଶ୍ୟତା ଦୂରୀକରଣ, ଗାନ୍ଧିଜୀଙ୍କ ବିଭିନ୍ନ ସମୟରେ ଓଡିଶା ଆଗମନର କାହାଣୀ ସହ ଗାନ୍ଧିଜୀଙ୍କର ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନର ଦିବ୍ୟ ଅନୁଭୂତି ସଂପର୍କରେ ଆଲୋକପାତ କରିଥିଲେ ା ଅତିଥି ବକ୍ତା ବିଶିଷ୍ଟ ଗାନ୍ଧିବାଦୀ ଚିନ୍ତକ ତଥା ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରହଲ୍ଲାଦ କୁମାର ସିଂହ ଯୋଗଦେଇ ଗାନ୍ଧିଜୀଙ୍କ ଓଡିଶା ସହିତ ସଂପର୍କ, ସ୍ୱତନ୍ତ୍ର ଭାଷାଭିତିକ ଆନ୍ଦୋଳନରେ ଗାନ୍ଧିଜୀଙ୍କ ପ୍ରମୁଖ ଯୋଗଦାନ ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । କଟକରେ ଗାନ୍ଧିଜୀଙ୍କ ଦ୍ୱାରା ଅନୁଷ୍ଠିତ ମହିଳା ସଭା,ଓଡିଶାରେ ମହିଳାମାନଙ୍କର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନକୁ ବ୍ୟାପକ କରିଥିଲା ଏବଂ ଗାନ୍ଧିଜୀଙ୍କ ପଦଯାତ୍ରା ଓ ତାଙ୍କ ନେତୃତ୍ୱରେ ଅନୁଷ୍ଠିତ ଲବଣ ସତ୍ୟାଗ୍ରହରେ ନାରୀଶକ୍ତିଙ୍କ ନେତୃତ୍ୱ ଅଭୂତପୂର୍ବ ଥିଲା ବୋଲି ଶ୍ରୀ ସିଂହ କହିଥିଲେ ।

ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ,ଗାନ୍ଧିଜୀଙ୍କ ଆଚରଣ ଓ ଉଚ୍ଚାରଣରେ ଅଭୂତପୂର୍ବ ସମନ୍ୱୟ ରହିଥିଲା, ଯେଉଁଥିପାଇଁ ସମସ୍ତେ ଗାନ୍ଧିଜୀଙ୍କୁ ବିଶ୍ୱାସ କରୁଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶାଶ୍ୱତୀ ସାମାଜିକ ଓ ସାସ୍କୃତିକ କେନ୍ଦ୍ର,ଭୁବନେଶ୍ୱରର କଣ୍ଠଶିଳ୍ପୀ ପ୍ରତିଭା ଦାସ ଓ ପ୍ରଦୀପ କୁମାର ପଲେଇ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋ…., ରାମଧୂନ ଏବଂ ଅନ୍ୟାନ୍ୟ ପ୍ରିୟ ଭଜନ ଗାନ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
No Result
View All Result