No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ) ଭୁବନେଶ୍ୱର :- ସେ ସାହେବାଣୀ ଟି, ସାହେବଙ୍କ ର ସ୍ତ୍ରୀ ଟି, ଆସିଲେ ଖାଲି ଲସର ପସର ହେବ, କଥା କହିବ ଯେ ଗପର ପେଡ଼ୀ । ବର୍ଷ କୁ ଦି ଥର ଆସିବ। ଶାଶୂ, ଶ୍ବଶୁର, ଦିଅର, ନଣନ୍ଦ ଙ୍କ ବୋଝ, କ’ଣ ଚାକିରି ଦାୟରେ କିଛି ଜାଣିଲାନି। ଆସିଲେ ତାର ସହରୀ ଗପ ସରିବନି ।। “ସବୁ ଚାକର ଚାକରାଣୀ ଙ୍କୁ ଖାଲି ଦେଇ ଥୁଇ କରାୟତ୍ତ କରି ନେଇଛି। ସେ ଆସିବା ମାତ୍ରେ ସମସ୍ତେ ଯେ ଖାଲି “ମାଜିଷ୍ଟ୍ରେଟ ବୋହୂ, “ମାଜିଷ୍ଟ୍ରେଟ ବୋହୂ ହେଉଥିବେ। “ଶାଶୂ ଙ୍କୁ ଦେଖୁନ ସାନ ଟା ଆସିବ ଯେ ଦୁଆର ମୁହଁରେ ବସିକି ପହରା ଦେଉଛନ୍ତି। ” “ଦୂରରେ ରହିବ, କିଛି କର୍ତ୍ତବ୍ୟ କରିବନି, ଆସିଲେ ଖାଲି ଦି ହାତ ଝାଡ଼ି ଟଙ୍କା ଖର୍ଚ୍ଚ କରିଦେଲେ କ’ଣ କର୍ତ୍ତବ୍ୟ ହୁଏ । ଦେଖେଇ ହେବାରେ ତାକୁ କେହି ଟପି ଯାଇ ପାରିବେନି ।।
ଏହିଭଳି ଅନେକ ଅସଂଖ୍ୟ ଅଭିଯୋଗ, ଆରୋପ, ଅସହଣୀୟ କଥାବାର୍ତ୍ତା ସାନବୋହୂ ହିରଣ୍ମୟୀ ବିପକ୍ଷରେ, ରନ୍ଧା ଘରେ ସଭା ବସେଇ ଥାଆନ୍ତି ବଡ଼ ଯା ଦୁଇ ଜଣ ଛନ୍ଦା ନାନୀ, ଏବଂ ମିତାକ୍ଷରା ନାନୀ ।। ହିରଣ୍ମୟୀ ର ସ୍ବାମୀ କଟକରେ ମାଜିଷ୍ଟ୍ରେଟ, ସେ ତାର ଶାଶୂଘର ଗାଁ ଲେଫ୍ରିପଡ଼ା କୁ ବର୍ଷ କୁ ଦୁଇ ତିନି ଥର ହିଁ ଆସିପାରେ।। ଷଡ଼ଙ୍ଗୀ ପରିବାର ର ସାନ ବୋହୂ ହିରଣ୍ମୟୀ, ନାମକରା ପରିବାର, ସବୁଥର ପରି ଏଥର ମେ ମାସ ରେ ସେ ଛୁଟି କାଟିବା ପାଇଁ ଆସୁନାହିଁ । ତାକୁ ବହୁତ ଭଲ ଲାଗେ ତା ଶାଶୂ ଘର ଗାଁ, ହେଲେ ଚାକିରି ଦାୟ ରେ ଆସି ପାରେନି। । ଏଥର ର ସ୍ଥିତି କିନ୍ତୁ ବିପରୀତ, ଏଥର ସେ ଛୁଟି କାଟିବା ପାଇଁ ଆସିନି, ରୋଗଗ୍ରସ୍ତ ଶ୍ବଶୁରଙ୍କୁ ଦେଖିବା ପାଇଁ ଆସୁଛି। ଝିଅ ମାନେ, ବନ୍ଧୁ ବାନ୍ଧବ ସମସ୍ତେ ଦେଖା ଶୁଣା କରି ଗଲେଣି। ଶିତିକଣ୍ଠ ଏବଂ ହିରଣ୍ମୟୀ ଆସି ପାରି ନ ଥିଲେ। ।
ଭାଇ ଭାଉଜ ଙ୍କ ଆକ୍ଷେପ ସବୁ କଥା କାନକୁ ଯାଏ, ଚୂପ୍ ରହନ୍ତି, ପ୍ରତିବାଦ କରନ୍ତି ନାହିଁ । କିନ୍ତୁ ଥରେ ଥରେ ମନୁଷ୍ୟ ଯେ ପରିସ୍ଥିତି ର ଚକ୍ରାନ୍ତ ରୁ ମୁକୁଳି ପାରେନି ଏକଥା ଅନୁଭବୀ ଛଡ଼ା ଅନ୍ୟ କେହି ବୁଝିପାରିବେନି ।। ଖରାମାସିଆ ସନ୍ଧ୍ୟାରେ ଯେତେବେଳେ ଗାଁ ରେ ଶିତିକଣ୍ଠ, ହିରଣ୍ମୟୀ ଏବଂ ପିଲାମାନେ ପହଞ୍ଚିଛନ୍ତି ଗାଁ ରେ ତାଙ୍କ ପାଇଁ ଉଦ୍ଧିଷ୍ଟ ଘରେ ବାପା ମା ଙ୍କ ବ୍ୟବସ୍ଥା କରାଯାଇଥାଏ ।। ଗାଁ ରେ ଅଳ୍ପ ଭୋଲଟେଜ୍, ମିଞ୍ଜି ମିଞ୍ଜି ହୋଇ ଜଳୁଛି କିନ୍ତୁ ପୁରୁଣା କାଳିଆ ଘର ହୋଇ ଥିବା ଯୋଗୁଁ ଆଲୋକ ଏବଂ ବାୟୁ ଚଳାଚଳ ର ଉତ୍ତମ ବ୍ୟବସ୍ଥା ଅଛି। ଶାଶୂ ଶ୍ବଶୁର ଙ୍କୁ ମୁଣ୍ଡିଆ ମାରି ଅଳ୍ପ କିଛି କଥା ଭାଷା ହୋଇ ଉଠିଗଲା ତା କକ୍ଷ କୁ ହିରଣ୍ମୟୀ ।।
ଜୀବନର ଭିନ୍ନ ଏକ ପରିସ୍ଥିତି ରେ ସେ, ଶାଶୁ, ଶ୍ବଶୁର ଏବଂ ପରିବାର ର ଅନ୍ୟ ସଦସ୍ୟମାନେ ଆଜି ଉପସ୍ଥିତ। ଖାଇବା ପିଇବା ଦେବା, ଔଷଧ ପତ୍ର ଆଦି ର କୌଣସି ପ୍ରକାର ଅବହେଳା କରିନାହାନ୍ତି ଅନ୍ୟ, ପୁଅ, ନାତି ମାନେ ।। ସେବାଯତ୍ନ, କପଡା ସଫା ଆଦି କାମ ପାଇଁ ସ୍ତ୍ରୀ ଲୋକ ଟିଏ ମଧ୍ୟ ନିୟୋଜିତ କରିଦେଇ ଛନ୍ତି ।। ରାତିର ନିସ୍ତବ୍ଧ ପ୍ରହର ଟା କିନ୍ତୁ ଶାଶୂ ଏବଂ ଶ୍ବଶୁର ଏକୁଟିଆ, ଦିନସାରା ସମସ୍ତେ ଯେ ଯାହା କର୍ତ୍ତବ୍ୟ କରନ୍ତି କିନ୍ତୁ ରାତିଟାକୁ ସେମାନେ ବାଣ୍ଟି ପାରିବେନି ।।
ବିରାଟକାୟ ଘରେ ଅଶତୀପର ବୟସ ର ଶ୍ବଶୁର ଙ୍କ ସମସ୍ତ ଅର୍ଦଳି ଶାଶୂ ସହ୍ୟ କରନ୍ତି।।
“”ଏ କୁଆଡ଼େ ଗଲୁ ? “” “”ଏ ପାଣି ଦେ ! “” ,ଔଷଧ ଦେ, ଚାଦର ଘୋଡ଼ାଇ ଦେ, ମୋ ପାଖରେ ବସିଥା ।। ଔଷଧ ଚାପରେ ଶ୍ବଶୁର ଦିନ ସାରା ଶୋଇବେ ସିନା ରାତିରେ ତାଙ୍କ କଥା ବାର୍ତ୍ତା ଚାଲିଥାଏ ।। ହିରଣ୍ମୟୀ ଜୀବନର ଶେଷ ପର୍ଯ୍ୟାୟର ପୀଡ଼ା ସବୁ କୁ ପାଖରେ ଦେଖି ପୂରାପୂରି ସ୍ଥାଣୁ ପାଲଟି ଯାଇଛି । ଏଇମିତି କିଛି ଦିନ ବିତି ଯାଏ। ଖରା ଛୁଟି ରେ ସେମାନେ ଆସିଛନ୍ତି ବୋଲି ଅନେକ ବନ୍ଧୁ ବାନ୍ଧବ ଆସୁଛନ୍ତି ସତେ ଯେମିତି ଏକା ସାଙ୍ଗରେ ଦିଅଁ ଦେଖା ଓ କଦଳୀ ଖିଆ ହୋଇ ଯିବ।

ରାତିସାରା ପ୍ରାୟତଃ ଉଜାଗର ରହନ୍ତି ଶାଶୂ, ସେ ବି ଚେଇଁରହେ, ଶିତିକଣ୍ଠ ମଧ୍ୟ ବାରମ୍ବାର ଉଠନ୍ତି, ମାଆ କୁ ଉଠିବା ପାଇଁ ବାରଣ କରନ୍ତି। ଭାଇ, ଭାଉଜ ଝିଆରୀ, ପୁତୁରା ଯେ ଯାହା ବାଟରେ, ଗାଁ ରେ ବିଜୁଳି ଯିବା ଆସିବା ଏକ ସ୍ବାଭାବିକ ପ୍ରକ୍ରିୟା, ଗାଁ ର ଲୋକ ମାନେ ଅଭ୍ୟସ୍ତ ହୋଇ ଗଲେଣି, ନଈଟିଏ କିମ୍ବା ପୋଖରୀ ଟିଏ ଯଦି ପାଖରେ ନାହିଁ ପାଣି ସମସ୍ୟା ତହୁଁ ଉତ୍କଟ। ଉପରକୁ ଅନେକ ଦିନ ପରେ ଗାଁ କୁ ଆସିଥିଲେ ଭାଉଜ ମାନଙ୍କର ଦେଖା ଶିଖା ଟାପରା କଥା, ତାକୁ ଭଲ ଲାଗେନି, ତେଣୁ କରି ହିରଣ୍ମୟୀ ଶାଶୂ ଙ୍କ ପାଖେପାଖେ ରହିଥାଏ। ଶ୍ବଶୁର ଙ୍କ ତୁରା (ସେବା) କରି କରି ହାଲିଆ ହୋଇ ଯାନ୍ତି ଶାଶୂ, ସବୁଦିନେ ତେଲ ଟିକିଏ ମାଲିସ କରିଦିଏ। ଶାଶୁ ଙ୍କ ମନ କୁ ହାଲୁକା କରିବା ସକାଶେ ଅନେକ କଥା ଗପେ ସିଏ ସବୁଥର ପରି ଗ୍ରାମ୍ୟ ଜୀବନର ପରିବର୍ତ୍ତିତ ପରିସ୍ଥିତିରେ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କରେ ।।
ଛୁଟି ସରିସରି ଆସିଲାଣି ଭାବି ଦିନେ ଯା ମାନଙ୍କ ପାଇଁ ଆଣିଥିବା ଭଳି କି ଭଳି, ଚୂଡ଼ି, ଶାଢି, ଝିଆରୀ, ପୁତୁରା, ଙ୍କ ପାଇଁ ଆଣିଥିବା ଉପହାର ସବୁ ବାଣ୍ଟି ଦିଏ। ଅନେକ କଥା ହୁଏ। ସମ୍ପର୍କ କୁ ଅଳ୍ପ ଦିନ ର ଛୁଟି ମଧ୍ୟରେ ସ୍ନେହ, ମମତା ରେ ସୁଦୃଢ଼ ରଖିବା ପାଇଁ ପ୍ରାଣପଣେ ଚେଷ୍ଟା କରେ।। ଏହିଭଳି କିଛି ଦିନ ରହଣି ମଧ୍ୟରେ ହଠାତ୍ ଦିନେ ସହାୟକ ସ୍ତ୍ରୀ ଲୋକ ଜଣକ ଅସୁବିଧା ଦର୍ଶାଇ କାମକୁ ଆସିଲାନି। ଶ୍ବଶୁର ଙ୍କ ଝାଡ଼ା, ପରିସ୍ରା କପଡ଼ା ଗୋଟିଏ କୋଠରୀ କୋଣରେ ଗଦା ହେଲାଣି ।
ବନ୍ଧୁ ବାନ୍ଧବ ଆସୁଛନ୍ତି… ଗାଁ ରେ ଖରା ଦିନିଆ ସନ୍ଧ୍ୟା ସମୟରେ ଝଡ଼ ତୋଫାନ ହୋଇଥାଏ ପୂର୍ବ ଦିନ ଯେ କରେଣ୍ଟ ନାହିଁ, ଟାଙ୍କି ରେ ପାଣି ନାହିଁ.. ବାରମ୍ବାର ବିଛଣା ଉପରେ ଝାଡ଼ା ହୋଇ ଯାଉଛି ଶ୍ବଶୁର ଙ୍କ ର।ଝାଡ଼ା, ପରିସ୍ରା କଥା ଅଶତୀପର ବୟସର ଶାଶୂ ବୁଝୁଥାନ୍ତି…. ଏତିକିବେଳେ କେହି ଧରା ଛୁଆଁ ଦେଉ ନାହାଁନ୍ତି….. କ’ଣ କରିବ କିଛି ଭାବି ପାରୁ ନ ଥାଏ ହିରଣ୍ମୟୀ !! ଯୋଗକୁ ଅନେକ ସମୟ ପରେ କରେଣ୍ଟ ଆସିଗଲା ।
ହିରଣ୍ମୟୀ ଏବଂ ଶିତିକଣ୍ଠ ଙ୍କୁ ଚାକିରିଆ କୁଣିଆ କହି ଥଟ୍ଟା ପରିହାସ କରନ୍ତି ଅନ୍ୟ ଯା ମାନେ। କ’ଣ ଭାବିଲା କେଜାଣି ଭିଡ଼ି ଦେଲା ପିନ୍ଧା ଶାଢି କୁ, ସମସ୍ତ ଧୋତି କୁ ପ୍ରଥମେ ପାଣି ଢାଳି ବତୁରାଇ ମଇଳା ସଫା କଲା, ତାପରେ ସର୍ଫ, ଡେଟଲ ଏବଂ ନୀଳପାଣି ରେ ସଫା କରିବା ପରେ ଛାଟ ଛାଟ କରି ଖରାରେ ଖୁଖାଇ ଦେଲା ।। ଗଦାଏ କପଡା ସଫା କରିବା ପାଇଁ ତାକୁ ଅତି ବେଶୀରେ ଦୁଇ ରୁ ତିନି ଘଣ୍ଟା ସମୟ ଲାଗିଲା ।। ଦୁଆରେ ଦଉଡ଼ି ଖଟରେ ଶାଶୂ ବସିଥାନ୍ତି, ବାରଣ କରୁଥାନ୍ତି “””କାହିଁକି କରୁଛୁ ,କରନା, ସେ ଆସିଲେ କରିବ, ଯେଉଁ କାମ କେହି କରୁ ନ ଥିଲେ ତୁ ଅନ୍ୟ ଘର ଝିଅ ଟା କାହିଁକି କରୁଛୁ ? “”
କପଡ଼ା ଶୁଖେଇ ଶୁଖେଇ ହିରଣ୍ମୟୀ କହିଲା “””ଆଉ କେଉଁଠି ମୁଁ ଅନ୍ୟ ଘର ଝିଅ ଯେ ମାଆ, ମୁଁ ତ ଏବେ ଏ ଘର ଝିଅ, ବାପାଙ୍କ ର କଲି, ଝିଅ ହୋଇ ସେତିକି କରିବିନି ତ ଆଉ କିଏ କରିବ? “”” ଏଇମିତି ନୂତନ ଅନୁଭବ ସମ୍ବଳିତ ଛୁଟି ସବୁ ସରିଯାଏ, ହିରଣ୍ମୟୀ, ଶିତିକଣ୍ଠ ଏବଂ ପିଲାମାନେ ବାହାରି ପଡ଼ନ୍ତି ସହରକୁ ।। ଯିବାସମୟରେ ଦୁଆର ମୁହଁରେ ଶାଶୂ ଛିଡ଼ା ହୋଇ କହିଲେ “”””ଫେର୍ ଘାଏ କେଭେ ଆଏବୁ ଯେ..? “””” ଆଖି ର ଭାଷା କୁ ପଢିପାରି ହିରଣ୍ମୟୀ କହିଲା “”””ଆଏମୁଁ ଯେ ମାଆ, ଆଏବା ଛୁଟି ଥି…
କ୍ଷୋଭ ପ୍ରକାଶ କରି ଶାଶୂ କହିଲେ “”,କେନେ ରହେଲୁ ଯେ ଇଥର ଆଉ ଥୁଡ଼େ ଦିନ୍ ରହିଥିତୁ…. ବାଟେଇ ଦେବାକୁ ଆସିଥିବା ସମସ୍ତ ଗୁରୁ ଜନଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇ ଯେତେବେଳେ ଗାଡ଼ି ନିକଟକୁ ପହଞ୍ଚିଲା
କାମ କରୁଥିବା ସ୍ତ୍ରୀ ଲୋକ ଜଣକ ଜୁହାର କରୁ କରୁ କହିଲା “”ସାନ୍ ବୋହୂ ଜଲ୍ଦି ଆସ୍ ବ, ତମର୍ ଶାଶ୍,, ଶ୍ବଶୂର୍ ତମ୍ କେ ଖୋବ୍ ହେତାଶନ୍।। “” ସ୍ତ୍ରୀ ଲୋକ ଟି କୁ ହିରଣ୍ମୟୀ କିଛି ଉତ୍ତର ଦେବା ପୂର୍ବରୁ, ଶାଶୂ ତା ପାଟିରୁ କଥା ଛଡ଼େଇ କହିଲେ “”” ସାନ୍ ବୋହୂ ନୁହେଁ ସେ, ସେ ସୁନା ବୋହୂ, ତାର୍ ବାପାର୍, ଖୋବ୍ ସେବା କରିଛେ…. “” କେଜାଣି କାହିଁକି ଶାଶୂଙ୍କର ପଦେ କଥା ରେ କେଉଁଠି ଥିଲା କେଜାଣି ହିରଣ୍ମୟୀ ଆଖିର ଲୁହ ଦୁଇ ଟୋପା ଆପଣା ଛାଏଁ ବାଟ ହୁଡ଼ି ଗଲା ।। (ଲେଖକ/ଡ଼ଃ. ପ୍ରକାଶ ତ୍ରିପାଠୀ)
No Result
View All Result