ବଲାଙ୍ଗିରରେ ହେବ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌ ଖର୍ଚ୍ଚ ହେବ ସାଢ଼େ ୨୧ କୋଟି : ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ବଲାଙ୍ଗିରରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌ ପ୍ରତିଷ୍ଠା ହେବ । ଆସନ୍ତା ୩୦ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ତଲପାଲି ମୌଜାର ସୂର୍ଯ୍ୟନଗରଠାରେ ଏହି ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌ କାର୍ଯ୍ୟ କରିବ । ପ୍ରାୟ ଦଶ ଏକରରୁ ଊଦ୍ଧ୍ୱର୍ ପରିମିତ ଅଞ୍ଚଳରେ ନିର୍ମିତ ହେବାକୁ ଥିବା ଏହି ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌ ନିମନ୍ତେ ୨୧.୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ହେବାକୁ ଥିବା ଏହି କେନ୍ଦ୍ର ପରିସରରେ ଏକ ପାର୍କରେ ବିଜ୍ଞାନ ସମ୍ବଳିତ ବିିଭିନ୍ନ ନମୁନା ଓ ପ୍ରଦର୍ଶନ ସାମଗ୍ରୀ ରହିବ । ପିଲାମାନଙ୍କ ନିମନ୍ତେ ବିଜ୍ଞାନ କୌତୁକ ପ୍ରସଙ୍ଗ ସମେତ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ପ୍ରାଣୀବିଜ୍ଞାନ ବିଷୟ ସଂପର୍କିତ ମତ ବିନିମୟ ନିମନ୍ତେ ବ୍ୟବସ୍ଥା କରାଯିବ । ଅନୁରୂପ ଭାବରେ ପ୍ଲାନେଟାରିୟମ୍‌ରେ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ସକାଶେ ମହାକାଶ ଅଭିଯାନ, ବିଶ୍ୱବ୍ରହ୍ମାଣ୍ଡ ଏବଂ ବିବର୍ତ୍ତନ ଇତ୍ୟାଦି ନେଇ ବିଭିନ୍ନ ପ୍ରଦର୍ଶନ ବ୍ୟବସ୍ଥା ରହିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି ।

ଆଜି ମନ୍ତ୍ରୀ ନିର୍ମାଣସ୍ଥଳି ପରିଦର୍ଶନ କରିଥିଲେ ଓ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିଶଦ ଆଲୋଚନା କରିଥିଲେ । ବିଜ୍ଞାନ ଓ କାରିଗରୀ ବିଭାଗର ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଣ୍ଡା ୮ ଜଣ ଭିନ୍ନକ୍ଷମ ଦଂପତିଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ବିବାହ ପ୍ରୋତ୍ସାହନ ସହାୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଚଂଚଲ ରାଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନବକୃଷ୍ଣ ସାହୁ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ରଶ୍ମିରଂଜନ ସାହୁଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।