No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) ଭୁବନେଶ୍ୱର :- ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ପୁରୀ, ଖୋର୍ଧା, ଜଗତ୍ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ରାସ୍ତାଗୁଡ଼ିକ ପାଣିେର ବୁଡ଼ି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି । ସୋମବର ସକାଳ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାସହିତ ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି କୁହାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ସୋମବାର ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବାକୁ ଥିବାରୁ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।
ରବିବାର ପୁରୀରେ ସର୍ବାଧିକ ୧୪୫ ମିମି ବର୍ଷା ହୋଇଥିବା ବଳେ ଭୁବନେଶ୍ବରରେ ୧୨୨ ମିମି ବର୍ଷା ରେକର୍ଡ କରାଯାଇଛି। ମଧ୍ୟରାତି ପର୍ଯ୍ୟନ୍ତ ବର୍ଷା ଲାଗିରହିଥିବାରୁ ସୋମବାର ୫୦ ବର୍ଷର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ରବିବାର/ସୋମବାର ରାତି ସାରା ବର୍ଷା ଲାଗି ରହିଲେ ସେପ୍ଟେମ୍ବର ମାସରେ ସର୍ବକାଳୀନ ରେକର୍ଡ ହେବ । କାରଣ ଭୁବନେଶ୍ବରରେ ୧୯୫୮ ସେପ୍ଟେମ୍ବର ୯ରେ (୨୪ ଘଣ୍ଟାରେ) ୧୬୩ ମିମି ବର୍ଷା ହୋଇଥିଲା । ସେହିପରି ୨୦୧୪ ସେପ୍ଟେମ୍ବର ପହିଲାରେ ୧୧୬ ଏବଂ ୨୦୧୯ ସେପ୍ଟେମ୍ବର ୨୫ରେ ୧୨୬ ମିମି ବର୍ଷା ରେକର୍ଡ କରାଯାଇଥିଲା । ଅନ୍ୟ ପକ୍ଷରେ ଲଗାଣ ବର୍ଷା ଯୋଗୁଁ ମହାନଦୀ, ଦେବୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଋଷିକୂଲ୍ୟା ଆଦି ନଦୀର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି ।
ସନ୍ଧ୍ୟା ୬ଟା ସୁଦ୍ଧା ଉକ୍ତ ସମସ୍ତ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶା ତଥା ମହାନଦୀ ଉପରମୁଣ୍ଡରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର ଆହୁରି ବଢ଼ିବା ନେଇ ଅନୁମାନ କରାଯାଉଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଏବେ ଅବପାତରେ ପରିଣତ ହୋଇଛି । ରାତି ୧୦ଟା ସୁଦ୍ଧା ଏହା ଚାନ୍ଦବାଲିଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୮୦ କିମି, ପାରାଦୀପର ପୂର୍ବରେ ୭୦ କିମି ଓ ବାଲେଶ୍ବରଠାରୁ ୧୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ।
ସୋମବାର ସକାଳ ସୁଦ୍ଧା ଏହା ଓଡ଼ିଶା ଉପକୂଳ ତଥା ଚାନ୍ଦବାଲି ନିକଟରେ ଉପକୂଳ ସ୍ପର୍ଶ କରିବ। ଧୀରେ ଧୀରେ ଏହା ଉତ୍ତର ଓଡ଼ିଶା ଦେଇ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଯିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଏସ୍ଆରସିଙ୍କ ପକ୍ଷରୁ କୁହାଯାଇଛି ଯେ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ । ୧୩ ତାରିଖ ସକାଳ ୮ଟା ୩୦ ସୁଦ୍ଧା ପୁରୀ, ଖୋର୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ଅର୍ଥାତ୍ ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ ।
ଏହି ସମୟ ମଧ୍ୟରେ ଅନ୍ୟ ଉପକୂଳ ଓ ଅାଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଯେଉଁଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ତେଣୁ ସ୍ଥିତି ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।
ସମ୍ଭାବ୍ୟ ବଡ଼ ବର୍ଷା ଯୋଗୁଁ ସହରତଳୀ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ । ପାହାଡ଼ିଆ ଅଞ୍ଚଳରେ ମାଟି ଧସିବା, ରାସ୍ତା ଧୋଇଯିବା, ମାଟି ଘର ଭାଙ୍ଗିବା ପରି ସମସ୍ୟା ଉପୁଜିପାରେ । ତେଣୁ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ବର୍ଷାର ସ୍ଥିତି ଉପରେ ନଜର ରଖିବାକୁ ବିଡିଓ, ତହସିଲଦାରମାନଙ୍କୁ ନିର୍ଦେଶ ଦେବାକୁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି । ୧୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ସମେତ ଖୋର୍ଧା, ପୁରୀ, ଗଞ୍ଜାମ, ନୟାଗଡ଼ରେ ୩୦ରୁ ୪୦ କିମି ଏବଂ ସ୍ଥଳ ବିଶେଷରେ ୫୦ କିମି ବେଗରେ ପବନ ହେବାକୁ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ସାଧାରଣ ଲୋକଙ୍କୁ କୁହାଯାଇଛି ।
No Result
View All Result