No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୮ ସେପଟେମ୍ୱର ବୁଧବାର) ପାରଳାଖେମୁଣ୍ଡି :- ରାଜ୍ୟରେ ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ୫୭ ଦିନ ଅତିକ୍ରାନ୍ତ କଲା । ତଥାପି ଘଟଣାର କୌଣସି ସ୍ପଷ୍ଟତା କି ସ୍ୱଚ୍ଛତା ବର୍ତ୍ତମାନ ସୁଦ୍ଧା ଲୋକଲୋଚନକୁ ଆସିପାରିଲା ନାହିଁ । ଘଟଣାଟି ତଦନ୍ତ ଓ ଜେରା ନାମରେ ବାରମ୍ବାର ଦିନ ଗଢି ଚାଲିଛି । ଦିନ ଯେତେ ବଢିଚାଲିଛି ଘଟଣାର ତଥ୍ୟ ଓ ପ୍ରମାଣ ସେତିକି ପରିମାଣରେ ନଷ୍ଟ ହେବାରେ ଲାଗିଛି । ସବୁ ଠାରୁ ମୁଖ୍ୟ ଘଟଣା ହେଲା ଘଟଣାର ମୁଖ୍ୟ ଅଭିଯୁକ୍ତ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କାହିଁକି ପାରଳାଖେମୁଣ୍ଡିରୁ ବଦଳି କିମ୍ବା ଅନ୍ତର କରାଯାଉ ନାହିଁ ବୋଲି ସବୁସ୍ତରରୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପାରଳା ଡିଏଫ୍ଓ କଣ ରାଜ୍ୟ ସରକାରଙ୍କ ଗେଲ୍ହାପୁଅ ଅଟନ୍ତି କି ? ପାରଳା ଡିଏଫଓଙ୍କୁ ବଦଳି ନ କରି ତଦନ୍ତରେ ସ୍ୱଚ୍ଛତା ନ ରଖିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି ।
ଲୋକେ କହୁଛନ୍ତି ଯେ, ସାଧାରଣତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛତା ପାଇଁ ଯିଏ ହୁଅନ୍ତୁ ନା କାହିଁକି ତଦନ୍ତରେ ଯେପରି ବାଧା ସୃଷ୍ଟି ନ ହୁଏ ସେଭଳି ପଦକ୍ଷେପ ଗ୍ରହଣ କରିଥାନ୍ତି । ହେଲେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମାମଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖ୍ୟମନ୍ତ୍ରୀ କାହିଁକି ବିହିତ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ବନ ବିଭାଗର ପୂର୍ବତନ କର୍ମଚାରୀ ଗଙ୍ଗା ପ୍ରଧାନ ପାରଳା ଡିଏଫଓଙ୍କୁ ନେଇ ବିସ୍ଫୋରକ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଅର୍ଦ୍ଧରାତ୍ରରେ ଡିଏଫଓ ସଂଗ୍ରାମ କେଶରୀ ବେହେରା, ଏସିଏଫ ସୌମ୍ୟ ମହାପାତ୍ରଙ୍କ ଘରକୁ ଯିବା ଆସିବା କରୁଥିବା ମୁଁ ଦେଖିବା ଯୋଗୁଁ ମୋତେ ଚାକିରୀରୁ ବିଦା କରିଦେଲେ । ମୋ ଭଳି ଅନେକ କର୍ମଚାରୀ ରହିଛନ୍ତି ।
ସମସ୍ତେ ଜାଣନ୍ତି ଏହି ଡିଏଫଓଙ୍କ କାରନାମା । ହେଲେ ସତ୍ୟ ଘଟଣା ପ୍ରକାଶ କଲେ ବିପଦ ରହିଥିବା ଜାଣି ସମସ୍ତେ ଚୁପ ରହିଛନ୍ତି । ଏହାର ମୁଖ୍ୟ କାରଣ, ଡିଏଫଓ ସଂଗ୍ରାମ କେଶରୀ ବେହେରା ପାରଳାଖେମୁଣ୍ଡି ବନ ଉପଖଣ୍ଡର ସର୍ବୋଚ୍ଚ କର୍ତ୍ତା । ତାଙ୍କ ବିରୁଦ୍ଧରେ ଯଦି କୌଣସି କର୍ମଚାରୀ କିଛି ପ୍ରକାଶ କରନ୍ତି ତେବେ ମୋ ପରି ସେ ମାନଙ୍କର ଚାକିରୀ ଯାଇପାରେ କିମ୍ବା ଅନ୍ୟ କୌଣସି ବଡ ବିପଦ ସୃଷ୍ଟି ହୋଇପାରେ । ତେଣୁ ବନ କର୍ମଚାରୀମାନେ ସତ୍ୟ ଘଟଣା ଜାଣିଥିଲେ ସୁଦ୍ଧା ଭୟରେ ପ୍ରକାଶ କରିପାରୁ ନାହାନ୍ତି ।
ତେଣୁ ପାରଳାଖେମୁଣ୍ଡି ଡିଏଫଓ ପଦବୀରୁ ସଂଗ୍ରାମ କେଶରୀ ବେହେରାଙ୍କୁ କୌଣସି ଭାବେ ଅନ୍ତର କରାଗଲେ ମୋ ଭଳି ଅନ୍ୟ କର୍ମଚାରୀମାନେ ମଧ୍ୟ ଏସିଏଫଓ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣା ନେଇ ନିଶ୍ଚିତ ଭାବେ ଅନେକ ତଥ୍ୟ ଓ ସତ୍ୟ ଘଟଣା ପ୍ରକାଶ କରିବେ । ଏହି ପରିପ୍ରେକ୍ଷୀରେ ଏହି ଘଟଣାର ତଦନ୍ତରେ ସ୍ୱଚ୍ଛତା ପାଇଁ ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ପାରଳାଖେମୁଣ୍ଡିରୁ ତୁରନ୍ତ ବଦଳି ବା ଅନ୍ତର କରିବା ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result