No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ବିଧାନସଭା ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ଗୃହରେ ହୋ-ହାଲ୍ଲା କରିଥିଲେ ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ନେତାମାନେ ବିଭିନ୍ନ ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଦେଇଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନ ଆରମ୍ଭରୁ ଆଜି ଯାଏଁ କୌଣସି ବି ଦିନ ସଠିକ୍ ଭାବରେ ଗୃହ କାର୍ଯ୍ୟ ଚାଲିପାରିନାହିଁ । ବିରୋଧୀ ଦଳ ନେତାମାନେ ବିଭିନ୍ନ ପ୍ରସଙ୍ଗ ନେଇ ମୁହଁ ଖୋଲିଥିଲେ ମଧ୍ୟ ସେ ସମ୍ପର୍କରେ କୌଣସି ଆଲୋଚନା ହୋଇପାରିନାହିଁ । ଏହାରି ମଧ୍ୟରେ ବିଜେପି ଆଣିଛି ଏକ ସଙ୍ଗିନ ଅଭିଯୋଗ ।
ଅଭିଯୋଗ ଅନୁସାରେ, ଗୃହ ଠିକ୍ ଭାବରେ ନ ଚାଲିବା ପାଇଁ ମ୍ୟାଚ ଫିକ୍ସିଂ କରାଯାଇଛି । ବିଜେଡି ଓ କଂଗ୍ରେସ ମଧ୍ୟରେ ଏକ ଡିଲ୍ ହୋଇଥିବା କହିଛନ୍ତି ବିରୋଧୀ ଦଳ ନେତା ମୋହନ ମାଝି । ସେ ଆଉ ମଧ୍ୟ କହିଛନ୍ତି, “ମାହାଙ୍ଗା ଡବଲ୍ ମର୍ଡର, ଆଇନ ଶୃଙ୍ଖଳା ନେଇ ଗୃହରେ ଆଲୋଚନା ହେବାର ଥିଲା । କାଳେ ଏସବୁ ପ୍ରସଙ୍ଗରେ ଆଲୋଚନା ହେଲେ ସରକାର ଅସୁବିଧାରେ ପଡ଼ିବେ, ତେଣୁ ଜାଣିଶୁଣି କଂଗ୍ରେସ ଷ୍ଟାଫ ସିଲେକସନ ପ୍ରସଙ୍ଗ ଉଠାଇ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ସେପଟେ ସରକାରଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ବାଚସ୍ପତି ପକ୍ଷପାତିତା କରିଛନ୍ତି ।”
ଶୁକ୍ରବାର ବିଧାନସଭା ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ଉଭୟଙ୍କ ପ୍ରସଙ୍ଗ ଭିନ୍ନ ଭିନ୍ନ ରହିଥିଲା । କଂଗ୍ରେସ ନେତାମାନେ ଷ୍ଟାଫ ସିଲେକସନ କମିସନ ଦୁର୍ନୀତିକୁ ନେଇ ହୋ ହାଲ୍ଲା କରିଥିଲେ । ଏମିତିକି ପୋଡିୟମ ନିକଟକୁ ଆସି ନାରାବାଜି ଦେଇଥିଲେ । ଗୁରୁବାର ଷ୍ଟାଫ ସିଲେକସନ କମିସନ ଦୁର୍ନୀତି ନେଇ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ କାହିଁକି ସେ ପ୍ରସଙ୍ଗରେ ଆଲୋଚନା କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ସେ ଆଉ ମଧ୍ୟ କହିଥିଲେ, “ଏସଏସସିରେ ଦୁର୍ନୀତି ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ କ୍ୟାରିୟର ବରବାଦ ହୋଇଯାଇଛି। ତେଣୁ ଏ ସମ୍ପର୍କରେ ଗୃହରେ ଆଲୋଚନା ହେବା ନିହାତି ଆବଶ୍ୟକ।”ଅଧିବେଶନ ଆରମ୍ଭରୁ କଂଗ୍ରେସ ଉଠାଇଥିଲା ଚାଷୀ ଓ ମରୁଡ଼ି ପ୍ରସଙ୍ଗ ସେପ୍ଟମ୍ବେର ୧ ତାରିଖରୁ ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ ହୋଇଯାଇଛି। ଅଧିବେଶନ ଆରମ୍ଭ ଦିନରୁ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ନେଇ ଗୃହରେ ମୁହଁ ଖୋଲିଛି। କଂଗ୍ରେସ ନେତାମାନେ କେତେବେଳେ ପୋଡିୟମ ନିକଟକୁ ଯାଇ ଦାବି କରୁଛନ୍ତି, ତ’ ପୁଣି କେତେବେଳେ ହାତରେ ପ୍ଲାକାର୍ଡ ଧରି ନାରାବାଜି କରୁଥିବାରୁ ଦୃଶ୍ୟ ଦେଖିବାକୁ ମିଳୁଛି ।
ଗତ ଦୁଇ ଦିନ ହେବ କଂଗ୍ରେସ ଚାଷୀ ଓ ରାଜ୍ୟରେ ମରୁଡ଼ି ପରିସ୍ଥିତି ନେଇ ମୁହଁ ଖୋଲୁଥିବାବେଳେ, ଏବେ ଷ୍ଟାଫ ସିଲେକସନ କମିସନ ଦୁର୍ନୀତି ନେଇ ହଟ୍ଟଗୋଳ କରୁଛି । ବିରୋଧୀମାନଙ୍କ ହୋ ହାଲ୍ଲା ଯୋଗୁଁ ଆଜି ବାଚସ୍ପତି ଗୃହକୁ ଅପରାହ୍ନ ୪ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଏହା ଦ୍ଵାରା ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରିନାହିଁ ବୋଲି ମତ ପ୍ରକାଶ ପାଉଛି । ତଥ୍ୟ ଅନୁସାରେ ଆଜି ଗୃହରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ଶକ୍ତି, କ୍ରୀଡା, ଶିଳ୍ପ ଇତ୍ୟାଦି ବିଭାଗ ଉପରେ ଆଲୋଚନା ହେବାର ଥିଲା । କିନ୍ତୁ ତାହା ହୋଇପାରିନାହିଁ ।
No Result
View All Result