ଭୁବନେଶ୍ୱର : ବୁଦ୍ଧିଆ ସିଂଙ୍କୁ ସମସ୍ତେ ଭଲଭାବେ ଜାଣନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ୨୦୦୬ରେ ମାତ୍ର ୪ ବର୍ଷ ବୟସରେ ବୁଦ୍ଧିଆ ପୁରୀରୁ ଭୁବନେଶ୍ୱର ମଧ୍ୟରେ ୬୫ କିମିର ରେସ୍ ପୂରଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେତେବେଳେ ବୁଦ୍ଧିଆଙ୍କୁ ପରବର୍ତ୍ତୀ ମିଲଖା ସିଂହ କୁହାଯାଉଥିଲା ଏବଂ ଦେଶ ପାଇଁ ବଡ଼ ଇଭେଣ୍ଟରେ ପଦକ ଜିତିବେ ବୋଲି ସମସ୍ତେ ଆଶାୟୀ ଥିଲେ । କିନ୍ତୁ ଆଜି ସେ କେଉଁଠି ଅଛନ୍ତି..?  କ’ଣ କରୁଛନ୍ତି..?  ତାକୁ ନେଇ ଆଦୌ ଚର୍ଚ୍ଚା ହେଉନାହିଁ। ଆସନ୍ତୁ ଜାଣିବା ଏବେ ବୁଦ୍ଧିଆ ସିଂ ବର୍ତ୍ତମାନ କ’ଣ କରୁଛନ୍ତି ।

ବର୍ତ୍ତମାନର ବୁଦ୍ଧିଆ ସିଂ

ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ବୁଦ୍ଧିଆ ସିଂ ଏବେ ଖେଳରୁ ଦୂରେଇ ସାରିଛନ୍ତି । ଭୁବନେଶ୍ୱରର ଭରତପୁରରେ ତାଙ୍କର ବିଧବା ମା’ ଓ ଦୁଇ ଭଉଣୀ ଏକ ଛୋଟିଆ ଘରେ ରହୁଛନ୍ତି । ବିଗତ କିଛି ବର୍ଷ ଧରି ବୁଦ୍ଧିଆଙ୍କୁ ଦୌଡ଼ୁଥିବାର ଦେଖିବାକୁ ମିଳିନାହିଁ । ତାଙ୍କ ପରିବାରଙ୍କ କହିବା ଅନୁଯାୟୀ ସମସ୍ତେ ତାଙ୍କୁ ଧୋକା ଦେଇଛନ୍ତି । ବୁଦ୍ଧିଆଙ୍କ ବଡ଼ ଭଉଣୀ ରଶ୍ମି କହିଛନ୍ତି, ମୋ ଭାଇ ଗ୍ରାଜୁଏସନ କରିବା ପାଇଁ ଦିଲ୍ଲୀ ଯାଇଛି । ବୁଦ୍ଧିଆଙ୍କ କୋଚ୍ ବିରଞ୍ଚି ଦାସଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ସରକାର ସମସ୍ତେ ତା’ ସହ ଖରାପ ବ୍ୟବହାର କରିଛନ୍ତି ।

ଏହି କାରଣରୁ ସେ ଏଠାରେ ରହିବାକୁ ଚାହୁଁନଥିଲା। ବୁଦ୍ଧିଆ ଏକ ବଡ଼ ମାରାଥନ ଧାବକ ହୋଇପାରିଥାନ୍ତା । କିନ୍ତୁ ତାକୁ କେବଳ ବ୍ୟବହାର କରାଗଲା ଏବଂ ତା’ପରେ ତାକୁ ସବୁ ଭୁଲିଗଲେ । ରଶ୍ମି କହିଛନ୍ତି, ‘ସରକାର ତାକୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାକୁ ଗୋଟିଏ ଭଲ ଘରଟିଏ ମିଳିଲା ନାହିଁ । ଆମେ ଭଡ଼ା ଘରେ ରହୁଛୁ । ଏଠାରେ କେହି ରହିପାରିବେ ନାହିଁ ।’

ରଶ୍ମି ଓ ତାଙ୍କ ମା’ ସୁକାନ୍ତି ଗୋଟିଏ ଇଞ୍ଜିନିୟରିଂ କଲେଜରେ କାମ କରନ୍ତି। ବୁଦ୍ଧିଆ ସିଂ ମେ’ ଓ ଜୁନ୍ ମାସରେ ଘରକୁ ଆସିଥିଲେ । ବୁଦ୍ଧିଆ ଫୋନ୍ ଯୋଗେ କହିଛନ୍ତି, କ’ଣ ଆପଣ ମୋ ଅତୀତ କଥା ଜାଣିବାକୁ ଚାହୁଁଛନ୍ତି..? ମୁଁ ଏହା ଉପରେ କିଛି କହିବାକୁ ଚାହୁଁନାହିଁ। ମୁଁ ସବୁ କିଛି ଭୁଲି ଗଲିଣି । ବୁଦ୍ଧିଆ ନିଜର ପାଠପଢ଼ା ଓ ଭବିଷ୍ୟତରେ କ’ଣ କରିବେ, ଏହା ଉପରେ କିଛି ବି କହିବାକୁ ମନା କରିଦେଇଛନ୍ତି।

ଅତୀତ

୨୦୦୨ରେ ବୁଦ୍ଧିଆଙ୍କ ଜନ୍ମ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ମା’ ସୁକାନ୍ତି ବୁଦ୍ଧିଆକୁ ଏକ ଫେରିବାଲାକୁ ୮୦୦ ଟଙ୍କାରେ ବିକ୍ରି କରିଦେଇଥିଲେ। ହେଲେ ପରେ ଆସୋସିଏସନର ସହାୟତାରେ ବୁଦ୍ଧିଆ ପୁଣିଥରେ ନିଜ ଘରକୁ ଫେରିଥିଲା। ବୁଦ୍ଧିଆର ଦୌଡ଼ିବାର କାହାଣୀ ମଧ୍ୟ ବେଶ୍ ରୋଚକ। ସ୍ଥାନୀୟ ଜୁଡୋ ପ୍ରଶିକ୍ଷକ ବିରଞ୍ଚି ଦାସ ବୁଦ୍ଧିଆକୁ ଦଣ୍ଡ ଆକାରରେ ଦୌଡ଼ିବାକୁ କହିଥିଲେ। କିନ୍ତୁ ୫ ଘଣ୍ଟା ପରେ ବିରଞ୍ଚି ଦେଖିବାକୁ ପାଇଲେ ଯେ ବୁଦ୍ଧିଆ ଦୌଡ଼ିବା ଜାରି ରଖିଛି। ଏହା ଦେଖି କୋଚ୍ ସ୍ତବ୍ଧ ହୋଇଯାଇଥିଲେ। ଏହା ପରେ ବୁଦ୍ଧିଆ ୬୫ କିଲୋମିଟର୍ ରେସ୍ ପୂରଣ କରି ଲିମକା ବୁକ୍ ଅଫ୍ ରେକର୍ଡରେ ନିଜ ନାଁ ଉଲ୍ଲେଖ କରିଥିଲେ। କିନ୍ତୁ ଏହି ସମୟରେ ବିରଞ୍ଚିଙ୍କ ଉପରେ ଶିଶୁମାନଙ୍କୁ ଶୋଷଣ କରିବାର ଅଭିଯୋଗ ଲଗାଯାଇଥିଲା ଏବଂ ୨୦୦୭ରେ ସରକାର ବୁଦ୍ଧିଆକୁ ସ୍ପୋର୍ଟ୍ସ ହଷ୍ଟେଲକୁ ପଠାଇ ଦେଇଥିଲେ। ୨୦୦୭ରେ ବିରଞ୍ଚି ଦାସଙ୍କୁ ହତ୍ୟା କରାଯାଇଥିଲା।

ଭୁବନେଶ୍ୱରର ସାଇ ହଷ୍ଟେଲରେ ବୁଦ୍ଧିଆ ଭଲ ପ୍ରଦର୍ଶନ କରିପାରିନଥିଲେ। ତାଙ୍କୁ ସ୍ପ୍ରିଣ୍ଟ ଇଭେଣ୍ଟ ପସନ୍ଦ ନଥିଲା ଏବଂ ବାକି ଇଭେଣ୍ଟରେ ସେ ପଛରେ ପଡ଼ିଗଲେ। ଖାଦ୍ୟର କ୍ୱାଲିଟି ଓ ଟ୍ରେନିଂକୁ ନେଇ ମଧ୍ୟ ବୁଦ୍ଧିଆ ଅଭିଯୋଗ କରିଥିଲେ। ଏହା ପରେ କୌଣସି ବିବାଦ କାରଣରୁ ସେ ହଷ୍ଟେଲ ଛାଡ଼ି ଦେଇଥିଲେ। ଓଡ଼ିଶାର କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି ଯେ ବୁଦ୍ଧିଆର ପରିବାର ସରକାରଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିସାରିଛନ୍ତି।

୨୦୧୬ରେ ବୁଦ୍ଧିଆ ସିଂ ଜୀବନୀକୁ ନେଇ ଡାଇରେକ୍ଟର ସୌମେନ୍ଦ୍ର ପାନ୍ଧି ‘ବୁଦ୍ଧିଆ ସିଂହ ବର୍ଣ୍ଣ ଟୁ ରନ୍’ ଫିଲ୍ମ ନିର୍ମାଣ କରିଥିଲେ । ଏଥିରେ ମନୋଜ ବାଜପାୟୀ ଥିଲେ । ଏହି ଫିଲ୍ମଟି ସର୍ବଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲା। ୨୦୧୮ରେ ମାରାଥନ ରନ୍‌ର ଇଲ୍ୟୁଡ୍ କିପଚୋଗେଙ୍କ କୋଚ୍ ପ୍ୟାଟ୍ରିକ୍ ସାଙ୍ଗ୍ ବୁଦ୍ଧିଆଙ୍କୁ ଟ୍ରେନିଂ ଦେବା ପାଇଁ ଆଗ୍ରହ ଦେଖାଇଥିଲେ । କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ । ବୁଦ୍ଧିଆଙ୍କ ନାଁରେ ଏକ ଟ୍ୱିଟର୍ ପେଜ୍ Budhiasingh_Ind ଅଛି । ଏଥିରେ ତାଙ୍କର ବଡ଼ ହେବା, ଦୌଡ଼ିବା ଏବଂ ମାରାଥନରେ ଭାଗ ନେବାର ଫଟୋ ରହିଛି । ଏଥିରେ ତାଙ୍କର ଅଲିମ୍ପିକ୍ସର ସ୍ୱପ୍ନକୁ ଉଜ୍ଜୀବିତ ରଖିବା ପାଇଁ ଫଣ୍ଡ ସଂଗ୍ରହର ଲିଙ୍କ୍ ରହିଛି । ହେଲେ ଏଥିରେ ଏପର୍ଯ୍ୟନ୍ତ ୪୪,୬୭୬ ଟଙ୍କା ସଂଗ୍ରହ ହୋଇଛି । କିନ୍ତୁ ଅଲିମ୍ପିକ୍ସ ପାଇଁ ଦରକାର ୧୩ ଲକ୍ଷ ଟଙ୍କା । (ରିପୋର୍ଟ/ଲାଲା ଅନନ୍ତ କୁମାର ସିଂହଁ )