ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଉଠାଜଳସେତନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା

ଓଡ଼ିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ଓଏଲଆଇସି ମୁଖ୍ୟ କାର୍ଯ୍ୟାଳୟଠାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ସାମନ୍ତରାୟ ନିଜ ନିର୍ବାଚନ ମଣ୍ଡଳୀରେ ଉଠା ଜଳସେଚନ ପ୍ରକଳ୍ପର ସ୍ଥିତି ସଂପର୍କରେ ଓ.ଏଲ୍‌. ଆଇ.ସି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ନିଜ ନିର୍ବାଚନ ମଣ୍ଡଳୀର କେତେକ ସ୍ଥାନରେ ନୂତନ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ ।

ବୈଠକରୁ ଜଣାଯାଇଛି ଯେ, ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସତ୍ୟବାଦୀ ଓ କଣାସ ବ୍ଲକରେ ମୋଟ ୨୫୩ ଟି ଉଠା ଜଳସେଚନ ପ୍ରକଳ୍ପ ଥିବା ବେଳେ ଓ ୨୦୭ ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି ଓ ୩୭ ଟି ପ୍ରକଳ୍ପ ଅସ୍ଥାୟୀ ଭାବେ ଅଚଳ ରହିଛି ଏବଂ ୯ ଟି ସ୍ଥାୟୀ ଭାବେ ଅଚଳ ରହିଛି । ସଂପ୍ରତି ଖରିଫ ଚାଷ କାର୍ଯ୍ୟ ସମୟରେ କୃଷି କ୍ଷେତ୍ରକୁ ଆବଶ୍ୟକ ପରିମାଣର ଜଳ ଯୋଗାଣକୁ ନିଶ୍ଚିତ କରିବାର ଆବଶ୍ୟକତା ରହିଥିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସବୁ ଉଠାଜଳସେଚନ ପ୍ରକଳ୍ପଗୁଡିକୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଯୁଦ୍ଧକାଳୀନ ଭିତିରେ ଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ନିର୍ମାଣାଧିନ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ଶୀଘ୍ର ସଂପୂର୍ଣ୍ଣ କରିବା,

ମରାମତି ଆବଶ୍ୟକ କରୁଥିବା ପ୍ରକଳ୍ପକୁ ମରାମତି ପୂର୍ବକ ସଚଳ କରି କୃଷି କ୍ଷେତ୍ରକୁ ଜଳ ଯୋଗାଣ କରିବାକୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓ.ଏଲ୍‌.ଆଇ.ସି କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ବେଲେଶ୍ୱରନାଥ ସାହୁ, କଟକ ଅଧିକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ପଟ୍ଟନାୟକ, ମୁଖ୍ୟ କାର୍ଯ୍ୟାଳୟ ଅଧିକ୍ଷଣ ଯନ୍ତ୍ରୀ (ପି.ପି.ଏଫ୍‌ ,ଏଚ୍‌.ଆର) ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଭୁବନେଶ୍ୱର ଡିଭିଜନ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁଜିତ କୁମାର ମହାନ୍ତି, ପିପିଲି ଏସ୍‌.ଡି.ଓ ନିମାଇଁ ଚରଣ ବେହେରା, ଏସ୍‌.ଡି.ଓ ଖୋର୍ଦ୍ଧା ଶ୍ରୀ ରଞ୍ଜନ କୁମାର ମାଝି, ଏଷ୍ଟିମେଟର ଶ୍ରୀ ସୁଦର୍ଶନ ଷଡଙ୍ଗୀ, ପୁରୀ ଏସ୍‌.ଡି.ଓ ଶୁକଦେବ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।