ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ରବିବାର ) କଳାହାଣ୍ଡି :- ନର୍ଲା ବ୍ଲକ ଅନ୍ତର୍ଗତ ଭାନପୁର ଗ୍ରାମ ପଞ୍ଚାୟତ ସ୍ଥିତ ରାକ୍ସି ଗ୍ରାମବାସୀ ପଞ୍ଚାୟତ କର୍ତ୍ତୃପକ୍ଷ ତଥା ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ପକ୍କା ରାସ୍ତା ଟିଏ ପାଇଁ ଅଭିଯୋଗ କରିଥିବା ବେଳେ ଭାନପୁରରୁ ଯାଇଥିବା କଚ୍ଚା ରାସ୍ତା କାହାରି ନଜରକୁ ଆସିପାରିନାହିଁ । ଶେଷରେ ନୟାନ୍ତ ହୋଇ ରାକ୍ସି ଗ୍ରାମବାସୀ ତଥା ଯୁବକ ମାନଙ୍କ ଉଦ୍ୟମରେ ଘର ପିଛା ଚାନ୍ଦା କରି ଟ୍ରାକ୍ଟର ଯୋଗେ ପଥର ଗୁଣ୍ଡ ପକାଇ ଖାଲ ଗୁଡିକୁ ମରାମତି କରିଛନ୍ତି |ଗ୍ରାମବାସୀଙ୍କ କହିବା ଅନୁଯାୟୀ ରାକ୍ସି ଗ୍ରାମରେ ୩ଟି ଗ୍ରାମ ଯଥା -ଲମସିଂହା, ଜୁଡ଼ାବନ୍ଦ, ରାକ୍ସିରେ ୧୫୦୦ ଲୋକ ବସବାସ କରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ସ୍କୁଲ, କଲେଜ, ମେଡିକାଲ ଯିବା ଆସିବା ରାସ୍ତାରେ ବଡ ବଡ଼ ଖାଲ ଓ ପାଣି କାଦୁଅରେ ରାସ୍ତାଟି ମରଣ ଯନ୍ତା ପାଲଟିଛି । ଦୁଇ ଚକିଆ ଯାନ ଦୁର୍ଘଟଣା ମଧ୍ୟ ହେଉ ଥିବାର ଦେଖିବାକୁ ମିଳୁଛି |
ଏହି ପରିସ୍ଥିତିରେ ସରକାର ଆମ ଗ୍ରାମ ପାଇଁ ପକ୍କା ରାସ୍ତା ଟିଏ କରି ପାରୁ ନାହାନ୍ତି କାହିଁକି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଏଥି ପାଇଁ ସରକାର ଓ ପ୍ରଶାସନକୁ ଦାୟୀ କରିଛନ୍ତି ରାକ୍ସି ଗ୍ରାମବାସୀ । ଏହି ଗ୍ରାମଟି ମୁଖ୍ୟ ରାସ୍ତା କଳାହାଣ୍ଡି ଜିଲ୍ଲା ସବଡ଼ିଭିଜନ ଭବାନୀପାଟଣା ରୁ ଭୁବନେଶ୍ୱର ରା଼ଜ ରାସ୍ତା କଡରୁ ଠାରୁ ପ୍ରାୟ ୩ କି. ମି ଦୂରତା ରହିଅଛି | ଭାନପୁର ଗ୍ରାମରୁ ରାକ୍ସି ଗ୍ରାମ ପର୍ଯ୍ୟନ୍ତ ଦେଢ଼ କି. ମି ରାସ୍ତାର ମରାମତି ପାଇଁ ପଞ୍ଚାୟତ ସମିତି ଅଧୀନରେ ଥିବା ବେଳେ ରାସ୍ତାର ମରାମତି ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଫୋନରେ ଯୋଗା ଯୋଗ କରିବାରୁ ପଞ୍ଚାୟତ ସ୍ତରରେ ୨ ରୁ ୩ ଲକ୍ଷ ଫଣ୍ଡ ଥିବା ବେଳେ ଆମେ ସେତିକି ହିଁ ମୁରୁମ, ମେଟାଲ, କିମ୍ବା କଂକ୍ରିଟ କରିପାରିବୁ ଓ ଅଧିକ ଅର୍ଥ ରାଶିର ଅନୁଦାନ ହେଲେ ହିଁ ପକ୍କା ରାସ୍ତା କରିହେବ ଯାହା ଆମ ପଞ୍ଚାୟତ ବାହାରେ ଵୋଲି ମତ ବ୍ୟକ୍ତ କରିଛନ୍ତି |
ତଥାପି ଭାନପୁର ଗାଁ ଶେଷରେ ୧୦୦ ମିଟର କଂକ୍ରିଟ ରୋଡ ଓ ରାକ୍ସି ଗାଁର ପ୍ରଥମ ମୁଣ୍ଡରେ ୧୦୦ମିଟର କଂକ୍ରିଟ ପଞ୍ଚାୟତ ସମିତି ଜରିଆରେ ହୋଇଥିବା ଦେଖିବାକୁ ମିଳୁଛି | ସେହିପରି ପଞ୍ଚାୟତ ସମିତିରେ ମଧ୍ୟ୧୦ ଲକ୍ଷ ଅନୁଦାନ ରାଶି ପଡ଼ିଥିବାର ସୂଚନା ମିଳିଛି | ଆଉ ୧ କି.ମି ୩୦୦ମିଟର କାମ ବାକି ଥିବା ବେଳେ ଗତ ୫ ବର୍ଷ ମଧ୍ୟରେ ୨ଥର ମୁରୁମ ଓ ମେଟାଲରେ କାମ ହୋଇଅଛି । ରାସ୍ତାରେ ଗାଡି ମଟର ଚଳାଚଳ କରିବା ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି | ରାସ୍ତା ପାଇଁ ଯେଉଁ ଅର୍ଥ ରାଶି ଦିଆଯାଉଛି ତାହା “ସମୁଦ୍ର କୁ ଶଙ୍ଖେ “କହିଲେ ଚଳେ । ରାକ୍ସି ଗ୍ରାମ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରି ରାସ୍ତା ଟିଏ ନିର୍ମାଣ କରାଯାଉ ବୋଲି ଦାବି ହେଉଛି | ଏହି ପରିପ୍ରେକ୍ଷୀରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବାବେଳେ କେବେ ପ୍ରଶାସନର ଚେତା ପଶିବ ? କେବେ ପିଚୁ ରାସ୍ତା ଟିଏ ପାଇବେ ରାକ୍ସି ଗ୍ରାମବାସୀ ତାହା ହିଁ ଦେଖିବାକୁ ବାକି ରହିଲା । ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)