No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୩ ଅଗଷ୍ଟ ଶୁକ୍ରବାର) କଳାହାଣ୍ଡି :- ସରକାର ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ତେବେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକରେ ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ବ୍ଳକର ଅନେକ ଗାଁକୁ ପକ୍କା ରାସ୍ତା ଟିଏ ହୋଇ ପାରୁନାହିଁ । ରାସ୍ତା ଶୋଚନୀୟ ଯୋଗୁଁ ରୋଗୀ ଓ ଗର୍ଭବତୀ ମହିଳା ଖଟିଆରେ ବୁହା ହୋଇ ଡାକ୍ତରଖାନା ଆସୁଛନ୍ତି । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ବ୍ଳକର ମଦାଙ୍ଗଦାନୀ ଗାଁରେ ।
ଏହି ବ୍ଳକର କମର୍ଦ୍ଧା ପଞ୍ଚାୟତର ମଦାଙ୍ଗଦାନୀ ଗାଁର ମୋହନ ମାଝୀଙ୍କ ସ୍ତ୍ରୀ ଇନ୍ଦୁମତୀ ମାଝୀ ଗର୍ଭବତୀ ଥାଇ ପ୍ରସବ ଯନ୍ତ୍ରଣା ହେବାରୁ ଗାଁ ଆଶାକର୍ମୀ କଳ୍ପନା ପାତ୍ର ୧୦୮କୁ ଫୋନ କରି ଜଣାଇଲେ । ଗର୍ଭବତୀ ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇବା ପାଇଁ ଆମ୍ବୁଲାନ୍ସ ଆସି ଅଧା ବାଟରେ ଅଟକି ଗଲା । ଏହି ଗାଆଁକୁ ଦୀର୍ଘ ଦିନରୁ ଯାତାୟତ ପାଇଁ ଭଲ ରାସ୍ତା ନଥିବାରୁ ଲୋକେ ବାଧ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କି.ମି ଯାଏଁ ବୋହି ପିପଲପଡା ଗ୍ରାମ ଯାଏଁ ଆଣି ଆମ୍ବୁଲାନ୍ସ ଯୋଗେ ନର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ସେଠାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବାପରେ ପୁଣି ଆମ୍ବୁଲାନ୍ସ ଯୋଗେ ପିପଲପଡା ଯାଏଁ ମାଆ ଓ ଶିଶୁ ପୁତ୍ରକୁ ଅଣାଯାଇ ଖଟିଆରେ ବୁହା ହୋଇ ଘରେ ପହଞ୍ଚି ଥିଲେ । ଏଠାରେ ସୂଚନାଯୋଗ୍ୟ ପଶ୍ଚିମ ଓଡ଼ିଶାର ଅନୁନ୍ନତ ଜିଲ୍ଲା ମାନଙ୍କୁ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇ କୋଟି କୋଟି ଟଙ୍କା ବିନିଯୋଗ କରାଯାଇ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ତେବେ ଲାଞ୍ଜିଗଡ଼ ବ୍ଲକରେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଏଠାକାର ଗମନାଗମନ ପଥରୁ ସ୍ପଷ୍ଟ ଭାବରେ ଚିତ୍ରିତ ହେଉଛି ବୋଲି ବୁଦ୍ଧିଜୀବୀମହଳରେ ପ୍ରକାଶ ପାଉଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ)
No Result
View All Result