No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ହିଞ୍ଜିଳିକାଟୁ :- ଆସନ୍ତା ୭୫ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ପାଳନ ଅବସରରେ ସକାଳ ୯:୧୫ମି ରେ ମୁଖ୍ୟ ଅତିଥି ଜିଲ୍ଲା ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିବେ। ପୂର୍ବ ପରି ଏଥର ମଧ୍ୟ କୋଭିଡ୍ କଟକଣା ଅନୂପାଳନ ପୂର୍ବକ ନିରାଡମ୍ବର ଭାବେ ପାଳନ କରିବା ସହ କେବଳ ଓଏସ୍ଏପି ପ୍ରଥମ ବାଟାଲିୟନ, ପୋଲିସ ବାହିନୀ ଓ ପୋଲିସ ବ୍ୟାଣ୍ଡ୍ ଦଳ ଅଂଶଗ୍ରହଣ କରି ଜାତୀୟ ପତାକାକୁ ସମ୍ମାନ ପ୍ରଦାନ କରିବେ ଏବଂ କୋଭିଡ୍ ଯୋଦ୍ଧାଙ୍କୁ ସମ୍ନାନିତ କରାଯିବ।ସକାଳୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡ଼ାକବାଜି ଯାନ ଦ୍ଵାରା ରାମଧୂନ୍ ଗାନ କରାଯିବ।
ସହରସ୍ଥିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ।ବନଖଣ୍ଡ ବିଭାଗ ପକ୍ଷରୁ ସହର ମଧ୍ୟରେ ବୃକ୍ଷ ରୋପଣ କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ, ଜେଲ୍ କଏଦୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବ। ବିଭିନ୍ନ ଶିଶୁଗୃହ,ଜରାଶ୍ରମ ଆଦିରେ ସଂମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବ। ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ବକ୍ତୃତା,ପ୍ରବନ୍ଧ ଓ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ଏହି ଦିବସରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ, ବାଣିଜ୍ୟ ପ୍ରତିଷ୍ଠାନରେ ଆଲୋକ ସଜ୍ଜାର ବ୍ୟବସ୍ଥା କରିବାକୁ ସଂମ୍ପୃକ୍ତ ଅନୁଷ୍ଠାନର ମୁଖ୍ୟଙ୍କୁ ଅନୁରୋଧ କରାଯାଇଛି। ( ରିପୋର୍ଟ – ଅମର ରଞ୍ଜନ ଦାସ )
No Result
View All Result