ଅଗଷ୍ଟ ମାସ ୧ ତାରିଖରେ କାହିଁକି ସମ୍ବଲପୁରୀ ଦିବସ ପାଳନ କରାଯାଏ

ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର ) ସମ୍ବଲପୁର :- ଅଗଷ୍ଟ ମାସ ୧ ତାରିଖରେ କାହିଁକି ସମ୍ବଲପୁରୀ ଦିବସ ପାଳନ କରାଯାଏ ହୁଏତ ବହୁତ ଲୋକ ଜାଣନ୍ତି ନାହିଁ ।  ତେଣୁ ଆସନ୍ତୁ ଜାଣିବା କାହିଁକି ସମ୍ବଲପୁରୀ ଦିବସ ପାଳିତ ହୁଏ । ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସ୍ୱର୍ଗତଃ କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଏ। ସମ୍ବଲପୁର ଭାଷା ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ତାଙ୍କ ଜନ୍ମଦିନକୁ ୨୦୧୩ରୁ ଏହି ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଅବସରରେ ପୂରା ପଶ୍ଚିମାଞ୍ଚଳ ଉତ୍ସବମୁଖର ହୋଇପଡ଼େ। ସମ୍ବଲପୁରିଆ ଭାବେ ଗର୍ବ କରୁଥିବା ପ୍ରତିଟି ମଣିଷ ଏହିଦିନ ସମ୍ବଲପୁରୀ ବସ୍ତ୍ର ଏବଂ ସମ୍ବଲପୁରୀ ଖାଦ୍ୟ ଗ୍ରହଣ କରି ଏହି ଦିବସ ପାଳନ କରିଥାନ୍ତି । ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।

ଚଳିତ ବର୍ଷ କରୋନା ମହାମାରୀ ଏହି ଉତ୍ସବକୁ ଫିକା କରି ଦେଇଛି । ସମ୍ବଲପୁରୀ ଦିନକୁ ଘରେ ରହି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ସମ୍ବଲପୁରୀ ଦିବସ କାର୍ଯ୍ୟକ୍ରମ ମଞ୍ଚରେ ଆୟୋଜିତ ହୋଇପାରୁନାହିଁ । ସମ୍ବଲପୁରୀ ଭାଷା, ସଂସ୍କୃତି, କଳା ଏବଂ ଐତିହ୍ୟ ସ୍ୱତନ୍ତ୍ର । ଏହାକୁ ଆହୁରି ପ୍ରଚାର ପ୍ରସାର କରି ଏହି ଦିବସର ଉଦ୍ଦେଶ୍ୟ । ବିଶେଷ କରି ସମ୍ବଲପୁରୀ ନୃତ୍ୟର ଆଦର ଖୁବ୍‌ ବେଶୀ  । ଦେଶ ବିଦେଶରେ ଏହା ପରିଚିତ । ସମ୍ବଲପୁରୀ ଲୋକଗୀତ କାନରେ ପଡ଼ିଲେ ମତୁଆଲା ହୋଇଥାନ୍ତି ଲୋକ । ଗୀତର ତାଳେ ତାଳେ ନାଚି ଉଠେ ପାଦ। ଏହି ଦିବସରେ ସ୍ଥାନେ ସ୍ଥାନେ ଲୋକ ସମ୍ବଲପୁରୀ ନୃତ୍ୟ କରିଥାନ୍ତି ।


ସମ୍ବଲପୁରୀ ସଙ୍ଗୀତରେ ଢୋଲ ,ମାଦଳ , ନିସାନ, ତାସା, ପାଖୋଜ, ବଂଶୀ, ବୀର, କାହାଳି, ଗିନି, ଏକତାରା, ମହୁରୀ, ଘୁଲଗୁଲା, ଘୁଙ୍ଗୁର, ଝାଞ୍ଜ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ। ତେଣୁ ଏଠାକାର ସଙ୍ଗୀତର ସ୍ୱତନ୍ତ୍ରତା ବାରି ହୋଇପଡ଼େ  । କେବଳ ଏତିକି ନୁହେଁ ସମ୍ବଲପୁରୀ ଭାଷା ମଧ୍ୟ ମଧୁର । ରାଜ୍ୟବ୍ୟାପୀ ଲୋକେ ସମ୍ବଲପୁରୀ ଭାଷାକୁ ଆଦର କରିଥାନ୍ତି। ଏଠିକାର ପର୍ବ ମଧ୍ୟ ସବୁଠୁ ନିଆରା। ଶୀତଲ ଷଷ୍ଠୀ, ନୂଆଖାଇ, ଭାଇଜୋଊତିଆ, ପୁଅଜୋଊତିଆ ଆଦି ପର୍ବ ସମ୍ବଲପୁର ବଡ଼ ପର୍ବ । ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରିଥାନ୍ତି ସମ୍ବଲପୁରବାସୀ  । ଏହାଛଡ଼ା ସମ୍ବଲପୁରୀ ଶାଢ଼ିରବି ସାରାଦେଶରେ ଆଦର ରହିଛି। ନାରୀମାନଙ୍କ ପ୍ରଥମ ପସନ୍ଦ ସମ୍ବଲପୁରୀ ଶାଢ଼ି କହିଲେ ମଧ୍ୟ ଭୁଲ ହେବ ନାହିଁ । ବହୁ ପୁରାତନ ସମୟରୁ ସମ୍ବଲପୁରୀ ଶାଢ଼ିର ଚାହିଦା ରହିଛି  । (ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକ )