No Result
View All Result
“କର୍ପୂର ଗୌରମଂ କରୁଣାବ ତକରଂ
ସଂସାର ସାରଂ ଭୁଜଗେନ୍ଦ୍ର ହାରମଂ ସଦା ବସନ୍ତଂ
ହୃଦୟାର ବିନ୍ଦେୟଂ ଭଶଂ ଭବାନୀ ସହିତଂ ନମାମୀ
ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର) ଭୁବନେଶ୍ୱର :– ସାରା ଭାରତ ବର୍ଷରେ ଶ୍ରାବଣ ମାସର ସୋମବାର ଦିନ ମାନିସଷିକ ଧାରି ହିନ୍ଦୁ ଭାଇ ଓ ଭଉଣି ମାନେ ଶିବଙ୍କ ଉପରେ ଜଳାଭିଷେକ କରି ବହୁ ପୁଣ୍ଯ ଲାଭ କରନ୍ତି ବୋଲି ବିଶ୍ଵାସ ଅଛି । ଯାହାକି କାଉଡ଼ିଆମାନଙ୍କ ଦ୍ୱାରା ଶିବଙ୍କ ମସ୍ତକରେ ଜଳଲାଗି ଉତ୍ସବ ଭାବରେ ପାଳିତ ହୁଏ । ଓଡ଼ିଆ ତଥା ଭାରତୀୟ ସଂସ୍କୃତିର ପ୍ରାଚୀନ ହିନ୍ଦୁ ଶାସ୍ତ୍ର ମତାନୁସାରେ ଶ୍ରାବଣ ଏକ ପବିତ୍ର ମାସ । ଏହି ମାସରେ ସଂସାରର ସମସ୍ତ ମନୁଷ୍ୟ ବିଶେଷତଃ ଶିବ, କୃଷ୍ଣ, ଶନିଶ୍ଚର, ଲକ୍ଷ୍ମୀ ଓ ଗୌରୀଙ୍କ ଉପାସନା କରି ବହୁ ଜ୍ଞାନ, କୀର୍ତ୍ତି ଓ ଧର୍ମ ଅର୍ଜନ କରିଥାନ୍ତି । ଏହି ମାସରେ କାଉଡ଼ିଆ ଭକ୍ତମାନେ ଜଳାଭିଷେକ ବା ଜଳଲାଗି କରି ପୂଣ୍ୟ କରିଥାନ୍ତି ବୋଲି ବିଶ୍ଵାସ ଅଛି । ଶ୍ରାବଣ ମାସର ପ୍ରତ୍ୟେକ ସୋମବାରର ମହତ୍ତ୍ୱ ସ୍ୱତନ୍ତ୍ର ଲାଗେ । ଦୁଇ ବର୍ଷ ହେବ କୋଭିଡ଼-୧୯ କଟକଣା ଯୋଗୁଁ ବିନାଭକ୍ତରେ ରଥଯାତ୍ରାର ପାଳନ ପରି ବିନା କାଉଡ଼ିଆ ଯାତ୍ରାରେ ଶ୍ରାବଣ ମାସ ପାଳିତ ହେଉଅଛି ।
ଶ୍ରଦ୍ଧାଳୁ ଓ ଭକ୍ତମାନେ ହବିଷ୍ୟାନ୍ନ ଭୋଜନ କରିବା ସଂଗେ ସଂଗେ ଦ୍ୱିପାକ୍ଷିକ ମତକୁ ଛାଡ଼ି ଧର୍ମ, ଅର୍ଥ, କାମ, ମୋକ୍ଷ ତଥା କାୟମନୋବାକ୍ୟରେ ଶିବଙ୍କୁ ଜଳଲାଗି କରି ମନଷ୍କାମନା ପୂରଣ କରିଥାନ୍ତି । ଏହି ମାସରେ ଜଳଲାଗି ଉତ୍ସବକୁ ମଧ୍ୟ ରୁଦ୍ରାଭିଷେକ କୁହାଯାଏ । ଶ୍ରାବଣ ମାସରେ ଶିବ ରୁଦ୍ର ରୂପ ଧାରଣ କରିଥିବାରୁ ତାଙ୍କୁ ସନ୍ତୁଷ୍ଟ କରାଇବାର ବିଧି ହେଉଛି ରୁଦ୍ରାଭିଷେକ । ରୁଦ୍ରାଭିଷେକର ଅନେକ ମହିମା ରହିଥିବା ବେଳେ ଅନେକ ପ୍ରକାର ବିଧି ମଧ୍ୟ ରହିଛି । ଏକମୁଖୀ ଠାରୁ ଆରମ୍ଭ କରି ଏକାଦଶମୁଖୀ ପର୍ଯ୍ୟନ୍ତ ରୁଦ୍ରାକ୍ଷକୁ ପାଣିରେ ଭିଜାଇ ମହୁ, କ୍ଷୀର, ବସାଦହି, ଶର୍କରା, ଘୃତ, ବେଲପତ୍ର, ପୁଷ୍ପାଦିରେ ବିଧିବଦ୍ଧ ପୂଜାର୍ଚ୍ଚନା, ପଞ୍ଚାମୃତ ଶୁଦ୍ଧି ଓ ସ୍ନାନ ଇତ୍ୟାଦି କରାଯାଏ ।
ଏହି ମାସରେ ଲକ୍ଷ୍ମୀ ଓ ଗୌରୀଙ୍କୁ ପୂଜା କରି ଅନେକେ ଫଳବତୀ ହେବାର ବହୁ ପୌରାଣିକ ମତବାଦ ରହିଅଛି । ଶ୍ରାବଣ ମାସରେ ଶନିଶ୍ଚରଙ୍କୁ ପୂଜା କରି ଅଯୋଧ୍ୟାର ରାଜା ଦଶରଥ ଶନିଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇଥିଲେ । ସେଥି ପାଇଁ ଶ୍ରାବଣ ମାସରେ ଶନିଶ୍ଚର ପୂଜାର ଫଳ ଲାଭଦାୟକ ତଥା ଜୀବ ଜଗତର ମଙ୍ଗଳକାରୀ ହୋଇଥାଏ । ଏଣୁ, ଘରେ ଘରେ ପ୍ରାୟ ଶନିଶ୍ଚର ମେଳା କରି ଶନି ଦଶାରୁ ମୁକ୍ତି ପାଇଥାନ୍ତି । ଶ୍ରାବଣ ମାସରେ ଶିବଙ୍କ ମସ୍ତକରେ ଜଳଲାଗି କଲେ ବା ରୁଦ୍ରାଭିଷେକ କଲେ ଜୀବର ସମସ୍ତ ଦୁଃଖ ଲାଘବ ଓ ଦୁଷ୍ଟ ଶକ୍ତି କବଳରୁ ରକ୍ଷା ମିଳିବା ସହ ସମୃଦ୍ଧି ତଥା ମନୋବାଞ୍ଛିତ ଫଳ ମିଳିଥାଏ । ଏହି ବୋଲ୍ ବମ୍ ପରମ୍ପରା ଓଡ଼ିଶା ସମେତ ସାରା ବିଶ୍ୱରେ ରହିଥିବା ହିନ୍ଦୁମାନଙ୍କୁ ପ୍ରଭାବିତ କରିଥିବା ବେଳେ ଏହା ପଛରେ ଏକ ପୌରାଣିକ କିମ୍ବଦନ୍ତୀ ରହିଛି । କାହିଁ କେତେ କାଳର କଥା, ସ୍ୱୟମ୍ଭୁ ମନୁ ନିରାକାର ବ୍ରହ୍ମଙ୍କ ଦ୍ୱାରା ସୃଷ୍ଟି ସର୍ଜନାର ପ୍ରାରମ୍ଭରେ ଆଷାଢ ମାସ ଶୁକ୍ଳ ତ୍ରୟୋଦଶୀ ତିଥି କର୍କଟ ସଂକ୍ରାନ୍ତି ଗୁରୁବାର ଦିନ ପୃଥିବୀ ଜଳମୟ ହେଲା ।
ଆଦ୍ୟରେ ଏକ ସୁନ୍ଦରୀ ଲଳନା ଜନ୍ମ ନେଲେ । ସେ ହେଲେ ଆଦିମାତା । ନିରାକାର ବ୍ରହ୍ମ ଓ ଆଦିମାତାଙ୍କ କଳାରୁ ସୁଗୁଣ ଜ୍ୟୋତିର୍ମୟ ତିନି ଜଣ ବାଳକ ଜନ୍ମ ନେଲେ । ସେମାନେ ହେଲେ, ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର । କାଳକ୍ରମେ ଦିତୀ ଓ ଅଦିତୀ କଶ୍ୟପଙ୍କୁ ବିବାହ କରି ସୁର ଓ ଅସୁରଙ୍କୁ ଜନ୍ମ ଦିଅନ୍ତି । ସୁର ଓ ଅସୁରଙ୍କ ମଧ୍ୟରେ ଚାଲେ ଅବିରତ ସଙ୍ଘର୍ଷ । ରାଜା ବଳି ଜଣେ ସତ୍ୟବାନ, ଦାନୀ ଓ ନ୍ୟାୟବନ୍ତ ରାଜା ଭାବେ ରାଜୁତି କରୁଥିବା ସମୟରେ ଇନ୍ଦ୍ରଙ୍କ ପ୍ରସ୍ତାବ ମୁତାବକ ସୁର ଓ ଅସୁରଙ୍କ ଦ୍ୱାରା ସମୁଦ୍ର ମନ୍ଥନ କରିବାକୁ ରାଜି ହୋଇଥିଲେ । ସମୁଦ୍ର ମନ୍ଥନରୁ ଯାହା ମିଳିବ, ସୁର ଓ ଅସୁର ତାହାକୁ ସମାନ ଭାବେ ବାଣ୍ଟି ନେବାର କଥା ହେଲା । ଚାଲିଲା ସମୁଦ୍ର ମନ୍ଥନ । ପ୍ରତ୍ୟେକ ସୁର ଅସୁର ସମୁଦ୍ରରୁ ନିର୍ଗତ ପଦାର୍ଥ ନେବା ପରେ ବାସୁକୀଙ୍କ ମୁଖରୁ ହଳାହଳ ଗରଳ ବାହାରିଥିଲା । ସେହି ଗରଳ ସାରା ସୃଷ୍ଟିର ଜୀବଙ୍କ ପାଇଁ ଆସନ୍ନ ବିପଦ ପାଲଟିଥିଲା ।
ସୃଷ୍ଟି ରକ୍ଷା ଉଦ୍ଦେଶ୍ୟରେ ସେହି ହଳାହଳ ବିଷକୁ ବିଶ୍ବର ମଙ୍ଗଳ କର୍ତ୍ତା ଶିବଶମ୍ଭୁ ମହାଦେବ ପାନ କରିଥିଲେ । ବିଷ ଜ୍ବାଳାରେ ତାଙ୍କର କଣ୍ଠ ନୀଳ ବର୍ଣ୍ଣ ହୋଇ ଯାଇଥିଲା , ସେଥି ପାଇଁ ତାଙ୍କର ଅନ୍ୟନାମ ନୀଳକଣ୍ଠ । ଯେତେବେଳେ ହଳାହଳ ବିଷ ମଙ୍ଗଳମୟଙ୍କ ଶରୀର ଉତପ୍ତ ହୋଇଗଲା । ସବୁ ଦେବତାଙ୍କ ଆକୁଳ ନିବେଦନରେ ଆଦିମାତା , ଦୁର୍ଗାଙ୍କୁ ସ୍ମରଣ କଲେ । ମାତା ଦୁର୍ଗା, ଗଙ୍ଗା ରୂପରେ ଦେବଦେବ ମହାଦେବଙ୍କ ଉପରେ ଶୀତଳ ଜଳଧାରା ଋପରେ ରେ ଅଭିଷେକ ହେଲେ । ଏହା ଶ୍ରାବଣ ମାସରେ ହୋଇଥିଲା । ଏଥି ପାଇଁ ନିଜେ ଶିବ ଆଦିମାତାଙ୍କର ନାମ ହରଚଣ୍ଡି ରଖିଥିଲେ । ସେଥିପାଇଁ ପୁରାଣ ଗ୍ରନ୍ଥରେ ରଚନା ଅଛି, ଶିବ ଜଳରେ ସନ୍ତୋଷ ହୋଇଥାନ୍ତି । ଗଙ୍ଗାଙ୍କର ଶୀତଳ ଜଳଧାରାରେ ମହାଦେବଙ୍କର ବିଷ ଜ୍ଜ୍ୱାଳା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା ଓ ସେହି ଦିନ ଠାରୁ ଗଙ୍ଗା ଶିବଙ୍କ ଜଟାରେ ବାସ କଲେ । ଶ୍ରାବଣ ମାସରେ ଜଳଲାଗିର ପ୍ରଥା କାବ୍ୟ ତଥା ପୌରାଣିକ ଗ୍ରନ୍ଥରେ ଲିଖିତ ଥିବାର ଦେଖାଯାଇଛି । ଏହାର ଅନ୍ତରାଳରେ ଏକ କିମ୍ବଦନ୍ତୀ ଥିବାର ନଜିର ରହିଛି ।
ବାନର ରାଜ କେଶରୀ, ଏକ ମାୟାବୀ ରାକ୍ଷସର ମାୟାକୁ ବୁଝି ନପାରି ଯୁଦ୍ଧରେ କ୍ଷତାକ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିଥିଲେ । ମହର୍ଷି ମାତଙ୍ଗଙ୍କ ପରାମର୍ଶ କ୍ରମେ ପ୍ରଥମେ ନାରୀ ଭାବେ ଅଞ୍ଜନା, କାଉଡ଼ିଆ ଭାର ନେଇ ଶିବଙ୍କ ମସ୍ତକରେ ଜଳଲାଗି କରି ନିଜ ସ୍ୱାମୀଙ୍କ ପ୍ରାଣ ରକ୍ଷା କରି ପାରିଥିଲେ । ସେତେବେଳର କାଉଡ଼ିଆ ‘ବୋଲ୍ ବମ୍’ ପ୍ରଥା ସମ୍ପୂର୍ଣ୍ଣ ଅଲଗା ଥିଲା । କାଉଡ଼ିଆମାନେ ଭାର ନେଇ ଯିବାର ବହୁ ପୂର୍ବରୁ ନୀତି ନିୟମ ମଧ୍ୟରେ ରହୁଥିଲେ । ନିଃସ୍ୱାର୍ଥପର ସେବା, ପରୋପକାରିତାର ଭାବନା ସଦା ସେମାନଙ୍କ ମଧ୍ୟରେ ରହୁଥିଲେ । ଏହା ଦ୍ୱାରା ନିଜର ତଥା ପରିବାରର ଉପକାର ସାଧନ ହେଉଥିବାର ବିଶ୍ୱାସ ସେମାନଙ୍କର ରହୁଥିଲା । ଭାରକୁ ଭୂମିରେ ନରଖି ବୃକ୍ଷର ଡାଳ, କାଷ୍ଠ କିମ୍ବା ଧାତୁ ନିର୍ମିତ ଷ୍ଟାଣ୍ଡରେ ରଖୁଥିଲେ । ଝାଡ଼ା, ପରିସ୍ରାଦି ଗଲେ, ପୁନର୍ବାର ସ୍ନାନ କରି ସୂଚୀମନ୍ତ ହେଉଥିଲେ । କିନ୍ତୁ, ବର୍ତ୍ତମାନର ବୋଲ୍ ବମ୍ ପ୍ରଥା ସମ୍ପୂର୍ଣ୍ଣ ନିଆରା । ଭକ୍ତି ନାମରେ ଏକ ପ୍ରହସନ କରା ଯାଉଅଛି । ପୁରାଣ ଶାସ୍ତ୍ର କହେ-ଭାରତବର୍ଷରେ ପ୍ରାୟ ୧୨ଟି ସ୍ଥାନରେ ଜ୍ୟୋତିର୍ଲିଙ୍ଗ ରହିଛି । ଯଥା-୧.ସୋମନାଥ, ୨.ମଲ୍ଲିକାର୍ଜୁନ, ୩.ଓଁକାରେଶ୍ୱର, ୪.କାଶି ବିଶ୍ୱନାଥ, ୫.ତ୍ର୍ୟମ୍ବକେଶ୍ୱର, ୬.ରାମେଶ୍ୱର, ୭.ଭୀମେଶ୍ୱର, ୮.ମହାକାଳେଶ୍ୱର, ୯.ହଟକେଶ୍ୱର, ୧୦.ମଙ୍ଗେଶ୍ୱର, ୧୧.କେଦାରନାଥ ଓ ୧୨.ବୈଦ୍ୟନାଥ ଇତ୍ୟାଦି ଶୈବ ପୀଠମାନଙ୍କରେ ବେଶି ଭିଡ଼ ଜମିଥରଏ ।
ସେହିପରି ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ସେତୁବନ୍ଧ ପ୍ରତିଷ୍ଠା କରିବା ପୂର୍ବରୁ ସମୁଦ୍ରତଟରେ ବାଲୁକାର ଏକ ଶିବଲିଙ୍ଗ ନିର୍ମାଣ କରି ପୂଜା କରିଥିଲେ । ତାହାର ନାମ ରାମେଶ୍ୱର ଥିଲା । ପ୍ରଭୁଙ୍କ କହିବା ଅନୁସାରେ ରାମସ୍ୟ ଈଶ୍ୱର-ଯଥା ରାମେଶ୍ୱରଃ । ଏ କଥା ସମ୍ବନ୍ଧରେ ମାତା ପାର୍ବତୀ ମହାଦେବଙ୍କୁ ପଚାରିଥିଲେ-ପ୍ରଭୁ ଶ୍ରୀରାମ ଆପଣଙ୍କୁ ତାଙ୍କର ଆରାଧ୍ୟ ଭାବେ ପୂଜା କରି ଆପଣଙ୍କ ନାମ ରାମେଶ୍ୱର ରଖିଲେ ଓ ଆପଣଙ୍କୁ ତାଙ୍କର ଈଶ୍ୱର ଭାବେ ଅଭିହିତ କଲେ । ହେଲେ, ଦେବ ଦେବ ମହାଦେବ ଉତ୍ତରରେ କହିଥିଲେ-ତାହା ଭୁଲ୍, ରାମେଶ୍ୱରର ଅର୍ଥ ହେଉଛି ରାମ ଯସ୍ୟ ଈଶ୍ୱର । ସେହିପରି ଓଡ଼ିଶାର ଚନ୍ଦନେଶ୍ୱର, ଆଖଣ୍ଡଳମଣି, ଲଡ଼ୁବାବା, ଗୋରଖନାଥ, ଲୋକନାଥ, ଧବଳେଶ୍ୱର, ଲିଙ୍ଗରାଜ, କପିଳାସ, ହରିଶଙ୍କର, ପଞ୍ଚଲିଙ୍ଗେଶ୍ୱର, ଗୁପ୍ତେଶ୍ୱର ପ୍ରଭୃତି ପ୍ରଖ୍ୟାତ ଶୈବ ପୀଠକୁ ଛାଡ଼ି ନିଜ ନିଜ ଅଂଚଳର ଶୈବପୀଠମାନଙ୍କରେ ଶ୍ରନ୍ଧାରୁ ବୋଲବମ ଭକ୍ତମାନେ ଜଳଲାଗି କରିଥାନ୍ତି ।
ଶ୍ରାବଣର ଝିପି ଝିପି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ବିଜୁଳି ସହ ତାଳ ଦେଇ କାଉଡ଼ିଆ ମାନେ ଖାଲି ପାଦରେ ଚାଲନ୍ତି ଆଗକୁ ଆଗକୁ, ରୁଣୁଝୁଣୁ କରୁଥିବା ତାଙ୍କ ବାହୁଙ୍ଗୀକୁ କାନ୍ଧରେ ଧରି । ଜଳଲାଗିର ପ୍ରକ୍ରିୟା କିପରି ଆରମ୍ଭ ହୁଏ, ତାହା ସମ୍ବନ୍ଧରେ କିଛି । କାଉଡ଼ି ଅର୍ଥ-ବାଉଁଶ ବତାେରେ ନିର୍ମିତ ବାହୁଙ୍ଗୀ । ଏହି ବାହୁଙ୍ଗୀରେ ଶିକା ବାନ୍ଧି ସେଥିରେ ପବିତ୍ର ଜଳରେ ପୂର୍ଣ୍ଣ କଳସ ରଖି କାନ୍ଧରେ ଭାର ପରି ବୋହି ନେଉଥିବା ଭକ୍ତକୁ କାଉଡ଼ିଆ କୁହାଯାଏ । କାଉଡ଼ିଆମାନଙ୍କର ଜାତି ପ୍ରଥା, ପୁରୁଷ ସ୍ତ୍ରୀ, କନ୍ୟା ବାଳୁତ, ଯୁବକ କିଶୋର, ବୃଦ୍ଧ ବୃଦ୍ଧା, କୋଣସି ଅବସ୍ଥାକୁ ଖାତିର ନଥାଏ । ସମସ୍ତ ଭକ୍ତ ଏହି ପବିତ୍ର ମାସରେ ଶିବଙ୍କ ଠାରେ ଜଳାଭିଷେକ କରି ତୃପ୍ତ ହେବା ସହ ମନଷ୍କାମନା ପୂର୍ଣ୍ଣ କରିଥାନ୍ତି । ଏହାର ନୀତି ନିୟମକୁ ଦେଖିବା । ଦୂର ସ୍ଥାନ ହୋଇଥିଲେ ଦୁଇରୁ ତିନି ଦିନର ରାସ୍ତାକୁ ଅନୁମାନ କରି ସେହି ଅନୁସାରେ ଭକ୍ତମାନେ ପ୍ରାତଃରୁ ସୁବିଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ନଦୀ ତଟରେ ଗୋମୟ ଏବଂ ଗଙ୍ଗାଜଳରେ ପବିତ୍ର କରାଇ ବାଲୁକାରେ ଶିବ ଲିଙ୍ଗ, ସର୍ପ, ତ୍ରିଶୂଳ ଆଦି ପ୍ରତିମା ପ୍ରସ୍ତୁତ କରି, ଦୀପ ଜାଳ. ଚୂନା ଗାର ଟାଣି ମଙ୍ଗଳ ବାକ୍ୟ ଉଚ୍ଚାରଣ କରି ଶ୍ରଦ୍ଧାଳୁ ଭକ୍ତ ତଥା କାଉଡ଼ିଆମାନଙ୍କର ନାମ ଗୋତ୍ର ରାଶି ଉଚ୍ଚାରଣ କରି ବିଧିବଦ୍ଧ ପୂଜାର୍ଚ୍ଚନା କରି କଳସ, ଗୁଆ, କଉଡ଼ି ଆଦି ପକାଇ ଆମ୍ବଡାଳ, ପଇଡ଼ ବା ନାରିକେଳକୁ ରଡ଼ା ସୂତା ଓ କପଡ଼ା ଦ୍ୱାରା ପରିବେଷ୍ଟିତ କରି ବେଲପତ୍ର, ଧଣ୍ଡାହାର, ଅରଖ ହାରରେ ସୁସଜ୍ଜିତ କରନ୍ତି ।
ଶିବଙ୍କ ପ୍ରତିମାକୁ ଧୂପ, ଦୀପ, ନୈବେଦ୍ୟ ଦେଇ କପୂର ଆରତି କରି ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଧାଡ଼ିରେ ଠିଆ କରାଇ ତାଙ୍କ କାନ୍ଧରେ ବାହୁଙ୍ଗୀ ଭାରକୁ ଦେଇ ଶିବ ଷଡ଼ାକ୍ଷରୀ ମନ୍ତ୍ର ଗାଇ ଗନ୍ତବ୍ୟ ସ୍ଥଳାଭିମୁଖୀ କରାନ୍ତି । କାଉଡ଼ିଆଙ୍କ ବେଶଭୂଷା-ସାଧାରଣତଃ ବୋଲବମ କାଉଡ଼ିଆ ଭକ୍ତମାନେ ଗୈରିକ ବସନ, ଓଡ଼ିଆ, ହିନ୍ଦୀ, ବଙ୍ଗଳା ଲେଖା ଥିବା ପଟି ମୁଣ୍ଡରେ, ହାତରେ ବାନ୍ଧିବା ସହ ଓଁ ନମଃ ଶିବାୟ ଲେଖାଥିବା ଗାମୁଛା କାନ୍ଧରେ ପକାନ୍ତି । ବିଭିନ୍ନ ରଂଗର ଧଡ଼ି, ବାଘଛାଲ, ମୃଗଛାଲ ଚିତ୍ରିତ ଥିବା କମଳା ରଂଗର ସାର୍ଟ, ପ୍ୟାଣ୍ଟ, ଧୋତି, ଗଞ୍ଜି, ବ୍ୟାନିୟନ ଆଦି୍ୱଧ୍ୟ ପିନ୍ଧିଥାନ୍ତି । ଅଣ୍ଟାରେ ଗେରୁଆ ରଂଗର ବଟୁଆ, ଯେଉଁଥିରେ ଟଙ୍କା, ଗଞ୍ଜେଇ, ଚିଲମ, ସିଗାରେଟ, ବିଡ଼ି, ଭାଙ୍ଗ ଇତ୍ୟାଦି ଶିବଙ୍କର ଛପା ଓଁକାର ସ୍ୱସ୍ତିକ ଆଦି ବେକ ବାହୁ, ଅଣ୍ଟା ମଥାରେ ସୁସଜ୍ଜିତ ହୋଇଥାନ୍ତି । ବାହୁଙ୍ଗୀରେ ସୁନ୍ଦର ହଳଦିଆ ଗେରୁଆ ବା ଧଳା ରଙ୍ଗର କପଡାକୁ ଗୁଡାଇ ଆଲପିନ କଣ୍ଟା ମାରି ସୁନ୍ଦର ସୁନ୍ଦର ଲେସ କପଡା ଲଗା ଯାଇଥାଏ । ସେଥିରେ ହାତୀ ଶୁଣ୍ଢ, ବଂଶୀ, ଫିତା, ଫୁଲ, ଘୁଙ୍ଗୁର, ନାଗ, ଧୂପଦାନୀ, ଶିବଲିଙ୍ଗ, ଓଁକାର, ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି, ବିଭିନ୍ନ ରଂଗର ବ୍ୟାଟେରୀ ଚାଳିତ ଲାଇଟ ଲଗାଯାଇ ତାହାକୁ ସୁଶୋଭିତ କରା ଯାଇଥାଏ ।
କାଉଡ଼ିଆମାନେ ଦଳ ଦଳ ହୋଇ ରାସ୍ତାରେ ଯାଉଥିବା ବେଳେ ସେମାନଙ୍କ ଦିଗରୁ ଭାସି ଆସୁଥିବା ପବିତ୍ର ଶବ୍ଦରେ ଆକର୍ଷିତ ହୋଇ ରାସ୍ତାର ଦୁଇ ପାଖରେ ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖିବାକୁ ଉତ୍କଣ୍ଠାର ସହ ଠିଆ ହୋଇଥାନ୍ତି । କିନ୍ତୁ, ବର୍ତ୍ତମାନ ସେଥିରେ ବ୍ୟତିକ୍ରମ କରୁଛନ୍ତି କିଛି ଯୁବପିଢୀର ଭକ୍ତ । ଉତ୍ସୃଙ୍ଖଳିତ ଭାବେ ଶିବଙ୍କର ନାମ, ଭଜନ ତଥା ଆଧୁନିକତା ଭାବଭଙ୍ଗୀର ଗୀତ ଗାଇ ସେମାନେ ରାସ୍ତାରେ ଯିବା ବେଳେ ଅନ୍ୟମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବାକୁ ମଧ୍ୟ ପଛାନ୍ତି ନାହିଁ । ସାଧାରଣତଃ କାଉଡ଼ିଆମାନେ ବୋଲ ବମ୍, ହରହର ବମ୍…, ଭୋଲେ ବାବା ପାର କରେଗା…, ଜଟିଆ ବାବା ପାର କରେଗା…, ପାର୍ବତୀ ପତି ପାର କରେଗା…, ଗଣେଶ ପିତା ପାର କରେଗା…, କାର୍ତ୍ତିକ ପିତା ପାର କରେଗା… ଆଦି ଗାଇ ଗାଇ ଚାଲୁଥିବା ବେଳେ ଆଜିର କାଉଡ଼ିଆମାନେ ଗଞ୍ଜେଇ ଟାଣି ଶୋଇଛି ବାବା, ମିସ୍ କଲ୍ ମାରି ଉଠାଇ ଦେବା… ପରି ସଂଗୀତ ଗାଇଥାନ୍ତି । ଅସାମାଜିକ ଶବ୍ଦ ଉଚ୍ଚାରଣ କରିବା ଦ୍ୱାରା ବୋଲବମ ଶୈବ ଭକ୍ତର ପୁଣ୍ୟହାନୀ ହେବା ସହ ପୌରାଣିକ ଏହି ପରମ୍ପରାର କୀର୍ତ୍ତି କ୍ଷୂର୍ଣ୍ଣ ହେଉଛି ବୋଲି ସେମାନେ ଭୁଲି ଯାଉଛନ୍ତି ।
ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବାଟରେ ମାରୱାଡି, ସ୍ୱଚ୍ଛାସେବୀ, ଯୁବକ ସଂଘର ସଦସ୍ୟ, ମନ୍ଦିର କମିଟି ଓ ଗ୍ରାମବାସୀଙ୍କ ଦ୍ୱାରା ଅନ୍ନ ପ୍ରସାଦ, ଜଳପାନ, ଔଷଧ ଓ ସେବା ସୁଶ୍ରୁଷାର ବ୍ୟବସ୍ଥା କରା ଯାଇଥାଏ । ସାମ୍ପ୍ରତିକ ସମୟରେ କରୋନାକୁ ଦୃଷ୍ଟିରେ ରଖି ବୋଲବମ ଯାତ୍ରା ବନ୍ଦ ଅଛି , ହେଲେ କରୋନା କଟକଣା ପୂର୍ବରୁ ବୋଲବମ୍ ଭକ୍ତମାନଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟିଥିବାରୁ ସରକାରଙ୍କ ତରଫରୁ ମଧ୍ୟ ସ୍ଥାନେ ସ୍ଥାନେ ସାମୟିକ ଚିକିତ୍ସାଳୟ, ସେବା କେନ୍ଦ୍ର ଓ ଉଦ୍ଧାରକାରୀ କେନ୍ଦ୍ର ଖୋଲାଯାଉଥିଲା । କାଉଡ଼ିଆମାନେ ଶୁଦ୍ଧ ନିରାମିଷ ଶାକାହାରୀ ଭୋଜନ କରିଥାନ୍ତି । ମନରେ ଅତୁଟ ଭକ୍ତି, ଦୃଢ ବିଶ୍ୱାସ ଏବଂ ଅଶେଷ ମାନସିକ ନେଇ ଶିବଙ୍କ ଜଳଲାଗି ପାଇଁ ବାହାରି ପଡନ୍ତି ପ୍ରଖ୍ୟାତ ଶୈବପୀଠମାନଙ୍କୁ । ରାସ୍ତାରେ ଯାଉଥିବା ବୋଲବମ୍ ଭକ୍ତମାନେ ଏବେ ପ୍ରଚୁର ମାତ୍ରାରେ ମଦ, ଗଞ୍ଜେଇ ଓ ଭାଙ୍ଗ ଆଦି ମାଦକ ଦ୍ରବ୍ୟ ସେବନ କରୁଥିବାରୁ ଭାରସାମ୍ୟ ହରାଇ କେବେ କେବେ ଦୁର୍ଘଟଣାର ଶିକାର ହେଉଥିବା ଏବଂ କେଉଁଠି ମା’ ଭଉଣୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଗ୍ରାମବାସୀଙ୍କ ଦ୍ୱାରା ଅଟକ ରହୁଥିବାର ଦେଖାଯାଉଥିଲା ।
ଅତ୍ୟଧିକ ଭିଡ ପରିଲକ୍ଷିତ ହେଉଥିବା ଶୈବପୀଠମାନଙ୍କରେ ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସମେତ ପୋଲିସ ମଧ୍ୟ ମୁତୟନ କରା ଯାଉଥିଲା । ଜଳଲାଗି କରିବା ପରେ ଭକ୍ତମାନେ ଠାକୁରଙ୍କ ପାଖରେ ଭୋଗ ଲଗାଇ ଘରକୁ ପ୍ରସାଦ ନେଇ ଫେରିଥାନ୍ତି । ସର୍ବୋପରି ଆମର ପ୍ରାଚୀନ ପରମ୍ପରାକୁ ଦୃଷ୍ଟିରେ ରଖି ବୋଲବମ ଶ୍ରଦ୍ଧାଳୁମାନେ ନିଜ ନିଜର ମନଷ୍କାମନା ପୂରଣ ପାଇଁ ଶ୍ରାବଣ ମାସର ଏ ଜଳଲାଗି ଉତ୍ସବକୁ ବୋଲ୍ ବମ୍ ବା କାଉଡ଼ିଆମାନଙ୍କର ଉତ୍ସବ ବା ପରମ୍ପରାଗତ ପର୍ବ ରୂପେ ପାଳନ କରି ଆସୁଛନ୍ତି । ପ୍ରତ୍ୟେକ ଭକ୍ତ ଏହି ପବିତ୍ର ପ୍ରଥାକୁ କଳୁଷିତ ନ କରିବାକୁ ଯତ୍ନବାନ ହେବା ଉଚିତ । ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକ (ବ୍ଯଙ୍ଗକବି ଧର୍ମଛଡା)
ସାଧାରଣ ସମ୍ପାଦକ ନୀଳଶୈଳ ଏବଂ ବିଶ୍ବ ଓଡ଼ିଆ ସମ୍ମିଳନୀ
No Result
View All Result