ଓଡ଼ିଶା ତାଜା ନ୍ୟୁଜ (୨୨ ଜୁଲାଇ ଗୁରୁବାର) ପୁରୀ :- ରଥାରୂଢ଼ ତିନି ଠାକୁରଙ୍କ ପାଖରେ ଅଧରପଣା ଲାଗି ହୋଇଥାଏ । ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ । ସୁନାବେଶ ଦିନ ପରେ ଅର୍ଥାତ ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କୁ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହୋଇଥିଏ । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦି ପଣା ସାମଗ୍ରୀ ପହଞ୍ଚାଯାଏ । ମହାପ୍ରଭୁଙ୍କ ସେବକମାନେ ପଣା ପ୍ରସ୍ତୁତ କରିଥାନ୍ତି ।
ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ପ୍ରତି ରଥରେ ଶ୍ରୀଜୀଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ । ପ୍ରତି ରଥରେ ୩ଟି ଲେଖାଏଁ ମାଟି ହାଣ୍ଡିରେ ଅଧର ପଣା ଭୋଗ କରାଯାଇଥାଏ । ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋ ପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ ।
ରଥଗୁଡ଼ିକରେ ଥିବା ପାର୍ଶ୍ଵ ଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି । ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥ ତଳକୁ ବୋହିଯାଏ । ତାହାକୁ ଅନ୍ୟ ଦେବାଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି କୁହାଯାଏ ।
ସୂଚନା ମୁତାବିକ, ଗୁରୁବାର ତ୍ରୟୋ ଦଶୀ ତିଥିରେ ରଥାରୁଢ ଦିଅଁଙ୍କୁ ଅଧରପଣା ଭୋଗ ଲଗାଯିବ । ଅଧର ଉଚ୍ଚା ୯ଟି ତୁମ୍ୱାକୃତି ମାଟି ପାତ୍ରରେ ପଣା ପ୍ରସ୍ତୁତ ହେବ । ଭୋଗ ସରିଲା ପରେ ରଥ ଉପରେ ହାଣ୍ଡି ଭଙ୍ଗା ଯିବ । କିମ୍ବଦନ୍ତୀ ଅନୁସାରେ ଉକ୍ତ ଭୋଗ ପଣା ପାଶ୍ୱର୍ଦେବାଦେବୀ, ଅଶରୀର, ଚଣ୍ଡୀ ଓ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ । ଠାକୁରଙ୍କ ମଧ୍ୟାହ୍ନଧୂପ ବଢିବା ପରେ ଅଧରପଣା ।
ଅଧରପଣା ପାଇଁ ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ସେବାୟତମାନେ ପାଣି ଆଣିଥାନ୍ତି । ଏହି ପାଣିରେ ପଣା ପ୍ରସ୍ତୁତ ହୋଇଥାଏ । ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲ ମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ ।(ଶ୍ରୀ ଲାଲା ଅନନ୍ତ କୁମାର ସିଂହଁ )