ରାଜ୍ୟର ସବୁ ହସ୍ପିଟାଲ୍‌ରେ କୋଭିଡ୍‌ ରୋଗୀ ନାହାନ୍ତି କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ ରହିଛି

ଭୁବନେଶ୍ୱର, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍‌) 7.4.2020 :- କଟକର ଏସ୍‌ସିବି ମେଡିକାଲ୍‌ କଲେଜ୍‌ ଓ ସିଟି ହସ୍‌ପିଟାଲ୍‌, ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌ ଏବଂ ସମସ୍ତ ଜିଲ୍ଲା ହସ୍ପିଟାଲ୍‌ ଗୁଡ଼ିକରେ କୌଣସି କୋଭିଡ୍‌-୧୯ ରୋଗୀ ନାହାନ୍ତି । କେବଳ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଥିବା ଏକମାତ୍ର ରୋଗୀଙ୍କର ପ୍ରଥମ ରିପୋର୍ଟ କୋଭିଡ୍‌ ନେଗେଟିଭ୍‌ ଆସିଛି । ଆସ ୨୪ ଘଣ୍ଟା ମଧ୍ୟରେ ଯଦି ଦ୍ୱିତୀୟ ରିପୋର୍ଟ ନେଗେଟିଭ୍‌ ଆସେ ତାଙ୍କୁ ହସ୍ପିଟାଲ୍‌ ଛାଡ଼ି ଦିଆଯିବ । ବର୍ତ୍ତମାନ ତାଙ୍କୁ ପୃଥକବାସରେ ରଖାଯାଇଛି । କୋଭିଡ୍‌ ରୋଗୀଙ୍କ ପାଇଁ ୭ଟି ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ୍‌ କାର୍ଯ୍ୟକରୁଛି । ତେଣୁ ସମସ୍ତ ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନରେ ପୂର୍ବ ଭଳି ସ୍ୱାସ୍ଥ୍ୟସେବା ପାଇବାରେ ଜନସାଧାରଣ କୌଣସି ଆଶଙ୍କା କରିବା ଉଚିତ ନୁହେଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି ।

1 – ଆଗାମୀ ଦିନରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ୍‌ ଉପଲବ୍ଧ ହେବ ।

2 – ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶ୍ରୀ ଧଳ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଲାବୋରେଟୋରୀ ଆସିଷ୍ଟାଣ୍ଟ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ତଥା ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

3 – କୋଭିଡ୍‌-୧୯ ଭୂତାଣୁ ଅତ୍ୟଧିକ ସଂକ୍ରମକ ହୋଇଥିବାରୁ ଏହା ପାଇଁ ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ସାଧାରଣ ସର୍ଦ୍ଦି ଭଳି ଲକ୍ଷଣ ଦେଖାଦେଲେ ଡାକ୍ତରଖାନା ଆସିବା ଜରୁରୀ ନୁହେଁ । ପ୍ରଥମେ ୧୦୪କୁ ଫୋନ କରି ହେଲପ୍‌ଲାଇନ୍‌ରେ ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଛି । କୋଭିଡ୍‌-୧୯ ସନ୍ଦେହ ହେଲେ ପ୍ରଥମେ ଆଇସୋଲେସନ୍‌ ସେଣ୍ଟର ( ପୃଥକବାସ କେନ୍ଦ୍ର)ରେ ରଖାଯିବ ଓ ଆବଶ୍ୟକ ହେଲେ ନମୁନା ପରୀକ୍ଷଣ କରାଯିବ । କୋଭିଡ୍‌- ୧୯ ହୋଇଥିବା ଜଣା ପଡ଼ିଲେ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ କୁ ରୋଗୀଙ୍କୁ ପଠାଯିବ । ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’

4 – ରାଜ୍ୟରେ ଥିବା ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନ ଗୁଡ଼ିକ ମଧ୍ୟ କଡ଼ାକଡ଼ି ଭାବରେ କୋଭିଡ୍‌-୧୯ ସନ୍ଦିଗ୍ଧ ଲୋକମାନଙ୍କ ପାଇଁ ପୃଥକ ବ୍ୟବସ୍ଥା କରିଛନ୍ତି । ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ସେମାନେ ତୁରନ୍ତ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

5 – କୋଭିଡ୍‌-୧୯ ସଂକ୍ରମିତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇଛନ୍ତି । ସେମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଇଛି ଓ ସେମାନେ ଅନ୍ୟ ରୋଗୀମାନଙ୍କୁ ଚିକିତ୍ସା କରୁନାହାଁନ୍ତି ବୋଲି ଡିଏମ୍‌ଇଟିର ନିର୍ଦ୍ଦେଶକ ପ୍ରଫେସର ଡ. ସି.ବି.କେ. ମହାନ୍ତି ପ୍ରକାଶ କରିଛନ୍ତି ।