No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଶୁକ୍ରବାର )ହିଞ୍ଜିଳିକାଟୁ :– କଥାରେ ଅଛି ଚାଷ କାମ ଯାହାର, କି ସୁଖ ତାହାର । ଦିନ ଥିଲା ଲୋକେ ଚାଷ କରି ଯାହା କିଛି ଉପାର୍ଜନ କରୁଥିଲେ , ସେଥିରେ ବର୍ଷ ତମାମ ହସଖୁସିରେ ପରିବାର ପ୍ରତିପୋଷଣ କରି ଆସୁଥିଲେ । ଆଧୁନିକ ଯୁଗରେ ଲୋକେ ଚାଷ କାମ ଠାରୁ ପ୍ରାୟତଃ ଦୂରେଇ ଯିବାକୁ ବସିଲେଣି । ଯେଉଁ କିଛି ଲୋକେ ଚାଷ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି, ସେମାନଙ୍କ ଚାଷ କରିବା ପ୍ରଣାଳୀ ମଧ୍ୟ ବଦଳିବାକୁ ବସିଲାଣି । ଯୁଗ ବଦଳିବା ସହ ସମୟ ସହ ତାଳ ଦେଇ ଲୋକେ ଆଧୁନିକ ପ୍ରଣାଳୀରେ ଚାଷ କରି କମ ଶାରୀରିକ ପରିଶ୍ରମ କରିବା ସହ ଖୁବ କମ ସମୟରେ କମ ଚାଷ ଜମିରୁ ଅଧିକ ଶସ୍ୟ ଅମଳ କରୁଥିବାର ଦେଖିବାକୁ ମିଳିଛି ।
ହିଞ୍ଜିଳିକାଟୁ ଅଂଚଳର ଚାଷୀ ମାନେ ମୁଖ୍ୟତଃ ଖରିଫ ଓ ରବି ଋତୁରେ ଧାନଚାଷ କରିଥାନ୍ତି । ଯୁଗ ବଦଳିବା ସହ ଚାଷ କାର୍ଯ୍ୟର ଗୁରୁତ୍ୱ କମିବାରେ ଲାଗିଛି । ଏପରିକି ଚାଷୀ ମାନେ ପୂର୍ବଭଳି ଚାଷ ନକରି ଆଧୁନିକ ପ୍ରଣାଳୀରେ ଚାଷ କାମ କରିବାକୁ ଉଚିତ ମଣୁଛନ୍ତି । ପୂର୍ବକାଳରେ ଲୋକମାନେ ଚାଷ କରିବା ପାଇଁ ସାଧାରଣତଃ ହଳ, ଲଙ୍ଗଳ ବ୍ୟହାର କରୁଥିଲେ । ହେଲେ ଆଧୁନିକ ଯୁଗରେ ହଳ, ଲଙ୍ଗଳ ବିଲରେ ବୁଲୁନଥିବା ଦେଖିବାକୁ ମିଳୁଛି । ଚାଷୀ ବର୍ତମାନ ଟ୍ରାକ୍ଟର ଓ ପାୱାରଟିଲର ସହାୟତାରେ ଚାଷ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ପୂର୍ବେ ମାସ ମାସ ଦିନ ଧରି ଚାଷ କାର୍ଯ୍ୟ ଚାଲୁ ରହିଥିବା ବେଳେ ବର୍ତମାନ ଆଧୁନିକ ପ୍ରଣାଳୀରେ ଖୁବ କମ ସମୟ ମଧ୍ୟରେ ଚାଷୀ ତାର ଚାଷ କାର୍ଯ୍ୟ ଶେଷ କରୁଥିବା ଜଣାପଡ଼ିଛି ।
ପୂର୍ବରୁ ପ୍ରତ୍ୟେକ ଚାଷୀ ପରିବାରରେ ଚାଷ କାର୍ଯ୍ୟ ପାଇଁ ଗୋରୁ, ବଳଦ ପାଳନ କରି ଆସୁଥିଲେ । ବିଲରେ ହଳ କରିବା ପାଇଁ କୁସୁମ, ଫାଶୀ, ବାବୁଲ, ଗୁହାରିଆ ଭଳି ବିଭିନ୍ନ କାଠରେ ନିର୍ମିତ ଲଙ୍ଗଳ, ଟାମଣା, ଇଶ ଓ ଅନ୍ୟାନ ଚାଷ ଉପକରଣ ରଖୁଥିଲେ । କିଛି ଧନୀକ ଶ୍ରେଣୀର ଚାଷୀ ମାନେ ଗାଇ, ଗୋରୁ, ବଳଦର ଯତ୍ନ ନେବା ପାଇଁ ଏବଂ ଚାଷ କାର୍ଯ୍ୟରେ ସାହାର୍ଯ୍ୟ ସହଯୋଗ କରିବା ପାଇଁ ହଳିଆ ରଖୁଥିବାର ଦେଖିବାକୁ ମିଳୁଥିଲା । ସେମାନଙ୍କୁ ବାର୍ଷିକ ଚୁକ୍ତି ଅନୁଯାୟୀ ପାରିଶ୍ରମିକ ବାବଦରେ ଅମଳ ଶସ୍ୟ ପ୍ରଦାନ କରାଯାଉଥିଲା । ପ୍ରତିବର୍ଷ ବର୍ଷଋତୁ ଆରମ୍ଭରୁ ଚାଷୀ ମାନେ ଚାଷ କାର୍ଯ୍ୟ ପାଇଁ ହିଞ୍ଜିଳିକାଟୁ ପ୍ରସିଦ୍ଧ ସାପ୍ତାହିକ ଶନିବାର ଗୋରୁ ହଙ୍କଳର ଆସି ଗାଇ, ଗୋରୁ, ବଳଦ, ପୋଢ ଆଦି କିଣାବିକା କରୁଥିଲେ । ପହିଳି ବର୍ଷା ପରେ ଚାଷୀ ମନ ଆନନ୍ଦରେ ଭରି ଯାଉଥିଲା । ଦେବସ୍ନାନ ପୁର୍ଣ୍ଣିମା ଦିନ ଚାଷୀ ବିଲରେ ପୂଜାର୍ଚ୍ଚନା କରିବା ପରେ ଚାଷ କାମକୁ ଆଗେଇ ନେଉଥିଲା ।
ଧାନ ରୂଆ ଓ ବିଲରେ ହଳ, ଲଙ୍ଗଳ ଚାଲୁଥିବା ସମୟରେ ମହିଳା ମାନେ ହୁଳହୁଳି ଦେଉଥିବା ବେଳେ ଚଷା ପୁଅ ହଳିଆ ଗୀତ ଗାଇ ମନ ଆନନ୍ଦରେ ଚାଷ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଥିଲା । ଖରା, ବର୍ଷାକୁ ଖାତିର ନକରି ମହା ଆନନ୍ଦରେ ଚାଷ କାର୍ଯ୍ୟ କରି ଯାହା କିଛି ଅମଳ କରୁଥିଲା ସେଥିରେ ବର୍ଷ ତମାମ ପରିବାର ପ୍ରତିପୋଷଣ କରି ଆସୁଥିଲା । ହେଲେ ସମୟ ବଦଳିଯାଇଛି । ଚାଷୀ ପୁଅ ହଳ ଲଙ୍ଗଳ ଧରି ବିଲକୁ ଯାଉନାହିଁ କି ମହିଳା ମାନେ ହୁଳହୁଳି ଦେଉନାହାନ୍ତି । ଟ୍ରାକ୍ଟର ସହାୟତାରେ ଚାଷ କାମ କରାଯାଉଛି । ଧାନ ରୁଆ ଠାରୁ ଆରମ୍ଭ କରି ଧାନକଟା ପର୍ଯ୍ୟନ୍ତ ସମୟ ଚାଷ କାମ ଆଧୁନିକ ଯନ୍ତ୍ରପାତି ସହାୟତାରେ କରାଯାଉଛି । ସହରାଂଚଳ ତ ଦୂରର କଥା ବର୍ତମାନ ସ୍ଥାନୀୟ ଅଂଚଳର ଗ୍ରାମାଂଚଳ ଗୁଡ଼ିକରେ ମଧ୍ୟ ହଳ ଲଙ୍ଗଳ କିମ୍ବା ହଳ କରାଯାଉନଥିବା ଦେଖିବାକୁ ମିଳିଛି । ଏପରିକି ଦିନକୁ ଦିନ ପଶୁ ସମ୍ପଦ ମଧ୍ୟ ଲୋପ ପାଇବାକୁ ବସିଲାଣି । (ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result