ପୁରୀ : ତିନି ରଥର ପ୍ରଭା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କଳସ,ସିଂହ,ପଦ୍ମ,ଡାଳି,ଲତା,ମଗର ଖୋଦେଇ କାର୍ଯ୍ୟ ଆରମ୍ଭ

୨.୭.୨୦୨୧, ଶୁକ୍ରବାର ରଥ ଖଳା ରଥ ନିର୍ମାଣ ଅଗ୍ରଗତି ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :- ୧୯୭

ଓଡ଼ିଶା ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାର) ପୁରୀ /ରିପୋର୍ଟ ଅଭିମନ୍ୟୁ ମହାରଣା :- ରଥ ନିର୍ମାଣ ଅଗ୍ରଗତି  ତିନିରଥର ୪ ଟି ଲେଖାଁଏ ଦୁଆର ବେଢା ରଥ ଉପରକୁ ଉଠିଥିଲା । ଆଜି ଉକ୍ତ ଦୁଆର ବେଢାର ଉପର ଭାଗ ‘ଚନ୍ଦ୍ରଶାଳୀ’ ରେ ‘ଧ୍ୱଜ ବତା’ ସଂଯୋଗ ହୋଇ ଦୁଆର ବେଢା ମଜଭୁତ ହୋଇ ରହିବା ପାଇଁ ମଝି ଭୁଇଁ ଶେଣୀ ରେ କଣ୍ଟା ବସି ଫିଟିଙ୍ଗ କରାଯାଇଅଛି ।  ଏଥି ସହ ତିନିରଥର ‘ପ୍ରଭା’ଫିଟିଙ୍ଗ ପାଇଁ ସିଂହାସନ ବେଦୀ ପଛ ଭାଗ ଚଉଦ ନାହାକା ର ପଛ ଦୁଇ ନାହାକାର ରେ ଦୁଇଗୋଟି ‘ଧୂଳିଦଣ୍ଡା ଫିଟିଙ୍ଗ କରାଯାଇଅଛି ।

ଏଥିସହ ସିଂହାସନ ବେଦୀ ଉପର ପ୍ରଥମ ଭୁଇଁ ମଧ୍ୟ ଭାଗରେ ‘କନକ ମୁଣ୍ଡି’ ବସି କନକ ମୁଣ୍ଡିରୁ ୪ ଗୋଟି କାଣ୍ଡ ଏବଂ ୨୦ ଟି ରୁଅ ଗମ୍ବୁଜା କାର ଭାବେ ସେଟିଙ୍ଗ କରାଯାଇଛି, ଏହା ପରେ ସେଥିରେ ପିତଳ ଚଦର ଆବରଣ ବର୍ଷା ପାଣି ନପଡିବା ପାଇଁ ଫିଟିଙ୍ଗ ହେବ । ଆଜି ତିନି ରଥରେ ‘ହାତିଆଳ ମାଳ ବା ବତାଫାଳିଆ (କାଠ ବଟନ) ‘ବଡ ଥଳ ପୋଟଳ’ ଠାରୁ ‘ଚନ୍ଦ୍ରଶାଳୀ’ (ଦୁଆର ବେଢା ଉପର) ପର୍ଯ୍ୟନ୍ତ ଫିଟିଙ୍ଗ କରାଯାଇଛି ,ଏହା ପରେ ରଥ ଚାରି କୋଣରେ ମଣ୍ଡନୀ ବତା ଫିଟିଙ୍ଗ ହେବ । ଏଥିସହ ଆଜି ତିନିରଥର ପୋଟଳ ତଳକୁ ଚାରି ଗୋଟି ଲେଖାଁଏ ଋଷି ପଟା ଫିଟିଙ୍ଗ କରାଯାଇଅଛି ।

ରୂପକାର ସେବକ ମାନେ ତିନି ରଥର ‘ପ୍ରଭା’ ରେ ରୂପ ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି । ତିନିରଥର ଚିତ୍ରକାର ସେବକମାନେ ହଂସ ପଟା,ସଖୀ, ପାର୍ଶ୍ୱ ଦେବ ଦେବୀ ସାରଥୀ, ରଥରେ ଫିଟିଙ୍ଗ ହୋଇଥିବା ଚାର ପରିଛା,ପଟାଗୁଜ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି । ତିନିରଥର ଦରଜୀ ସେବକ ମାନେ ରଥ ବତା କନା ରେ ଲେସ ଫିଟିଙ୍ଗ ପରେ ଆଜି ଦୁଆର ବେଢା ଉପର ଚନ୍ଦ୍ରଶାଳୀ କଟିଙ୍ଗ କରି ସେଥିରେ ଜରିଲେସ ଫିଟିଙ୍ଗ କାର୍ଯ୍ୟ କରୁଛନ୍ତି ।

ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ରଥରେ ଦୁଆର ବେଢା ଫିଟିଙ୍ଗ ପାଇଁ ଧ୍ଵଜବତା କଣ୍ଟା, ଧୂଳିଦଣ୍ଡା କଣ୍ଟା, ଯୋଗାଇବା ସହ ଘୋଡା, ସାରଥିଙ୍କ ପାଇଁ ବାଗିଆ କଣ୍ଟା, ଏବଂ ଶୁଆ କଣ୍ଟା ନିର୍ମାଣ ସାରି ସାଇତି ଛନ୍ତି ।